ଭଦ୍ରକରେ ଖୋଲିଲା ସାଇବର ପୋଲିସ ଷ୍ଟେସନ, ଜିଲ୍ଲାରେ ପ୍ରଥମ

NEWS7
pakistan-bowed-before-the-pressure-of-the-international-court-the-biggest-relief-given-to-kulbhushan-jadhav

ଭଦ୍ରକ: ଦିନକୁ ଦିନ ବଢ଼ି ଚାଲିଛି ସାଇବର ଫ୍ରଡ। ବିଭିନ୍ନ ଉପାୟରେ ସାଇବର ଠକମାନେ ଲୁଟୁଛନ୍ତି ଲୋକଙ୍କ ଝାଳବୁହା ଧନ। ଖାଲି ଲୁଟ୍ ନୁହେଁ, ଏହି ଠକମାନେ ବିଭିନ୍ନ ସମୟରେ ଲୋକଙ୍କୁ ନାନା ହଇରାଣ ମଧ୍ୟ କରୁଛନ୍ତି। ଏମିତିରେ ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାର ସାଇବର ଥାନାର ସ୍ଥାପନ ଉପରେ ଧ୍ୟାନ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବାର ଭଦ୍ରକରେ ଉଦଘାଟିତ ଜିଲ୍ଲାର ପ୍ରଥମ କରି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ।

ଭଦ୍ରକ ସହରର ବାଇପାସ୍ ସ୍ଥିତ ପୁରୁଣା ଗ୍ରାମାଞ୍ଚଳ ଥାନାକୁ ସାଇବର ଥାନାରେ ପରିଣତ କରାଯାଇଛି । ଏକ ଭବ୍ୟ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏହି ଥାନାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଏସପି ମନୋଜ ରାଉତଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ।

ତେବେ, ଭଦ୍ରକ ବାସୀଙ୍କ ପାଇଁ ଏହି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ବେଶ୍ ସହାୟକ ହେବ । ପୂର୍ବରୁ କୌଣସି ସାଇବର ସମ୍ବନ୍ଧୀୟ ମାମଲା ପାଇଁ ଭୁବନେଶ୍ୱର ସ୍ଥିତ ସାଇବର ଥାନାକୁ ଯିବାକୁ ପଡୁଥିଲା। ଏହି ସାଇବର ଥାନା ସ୍ଥାପନ ପରେ ସାଧାରଣ ଲୋକେ ସାଇବର ଠକେଇ କିମ୍ବା ଅର୍ଥନୈତିକ ଅପରାଧ ସମ୍ପର୍କୀୟ ଘଟଣାକୁ ନେଇ ସାଇବର ଥାନାର ଦ୍ବାରସ୍ଥ ହୋଇପାରିବେ ବୋଲି କହିଛନ୍ତି ଏସପି।

ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇଥିବା ଜଣେ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ୧୮ ଜଣ ଅନ୍ୟ କର୍ମଚାରୀଙ୍କୁ ନେଇ ଏହି ସାଇବର ଥାନା କାର୍ଯ୍ୟ କରିବ। ତେବେ ସାଇବର ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କେବଳ ସାଇବର ଅପରାଧ ସହ ଅର୍ଥନୈତିକ ଅପରାଧ ନେଇ ମାମଲା ରୁଜୁ ସହ ତଦନ୍ତ କରିବ, ତେଣୁ ଅଭିଯୋଗକାରୀମାନେ ଉତ୍ତମ ସେବା ପାଇବେ।