ଇସ୍ତାନବୁଲ ୨୯/୧୦: ତୁର୍କୀର ଇସ୍ତାନବୁଲରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୩ ଦିନ ଧରି ଚାଲିଥିବା ଶାନ୍ତି କଥାବାର୍ତ୍ତା ମଙ୍ଗଳବାର ବିଫଳ ହୋଇଛି । ଉଭୟଙ୍କ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ଏହାପରେ ଦୁଇଦେଶ ପୁଣି ଯୁଦ୍ଧମୁହାଁ ହୋଇଛନ୍ତି । ସୂତ୍ର ମୁତାବକ, ପୂର୍ଣ୍ଣ ସହଯୋଗ ପାଇଁ ଆଫଗାନ ତାଲିବାନ ଦୃଢ଼ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପାକିସ୍ତାନ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲା । ସୁରକ୍ଷା ଗ୍ୟାରେଣ୍ଟି ବି ମାଗିଥିଲା । ହେଲେ ଏ ନେଇ ସହମତି ହୋଇପାରି ନାହିଁ ।

ରିପୋର୍ଟ ଅନୁସାରେ, ବୈଠକରେ ପାକିସ୍ତାନ ପ୍ରତିନିଧି ଆତଙ୍କବାଦୀ ସଙ୍ଗଠନ ତେହରିକ୍‌-ଏ-ତାଲିବାନ ପାକିସ୍ତାନ (ଟିଟିପି) କୁ ନେଇ ଚିନ୍ତାପ୍ରକଟ କରିଥିଲା । ଏହା ହିଁ ଦୁଇଦେଶ ମଧ୍ୟରେ ସୃଷ୍ଟ ବିବାଦର ମୂଳ ମଞ୍ଜି ବୋଲି କହିଥିଲା । କିନ୍ତୁ ଏହା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ବୋଲି ଆଫଗାନ ତାଲିବାନ ପକ୍ଷରୁ କତାର୍‌ ଓ ତୁର୍କୀ ମଧ୍ୟସ୍ଥିଙ୍କୁ କୁହାଯାଇଥିଲା । ଆଫଗାନିସ୍ତାନର ଜମି କୌଣସି ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ହେଉ ନ ଥିବା ସ୍ପଷ୍ଟ କରାଯାଇଥିଲା । ଆଫଗାନ ତାଲିବାନ ମଧ୍ୟ କିଛି ଦାବି ରଖିଥିଲା ।

ଏହାର ପ୍ରତିନିଧି କହିଥିଲେ, ଆଫଗାନିସ୍ତାନରେ ପ୍ରବେଶ ପାଇଁ ପାକିସ୍ତାନ ଆମେରିକା ଡ୍ରୋନ୍‌କୁ ଅନୁମତି ଦେବା ଉଚିତ ନୁହେଁ । ପାକିସ୍ତାନ ଏ ନେଇ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ଆବଶ୍ୟକ । ଏହାକୁ ପାକିସ୍ତାନ ଅଗ୍ରାହ୍ୟ କରିଦେଇଥିଲା । ଦୁଇ ଦେଶର ପ୍ରତିନିଧି ପରସ୍ପରର ଦାବିକୁ ନେଇ ସହମତ ହୋଇ ନ ପାରିବାରୁ ମତପାର୍ଥକ୍ୟ ଦେଖାଦେଇଥିଲା । ଆଫଗାନ ତାଲିବାନ ସରକାରରେ ଥିବା ଗୋଷ୍ଠୀ କନ୍ଦଳ ବି ବାଧକ ସାଜିଥିଲା । ଆଫଗାନ ତାଲିବାନର ‘କାବୁଲ ଗୋଷ୍ଠୀ’ ଓ ‘କାନ୍ଦାହାର ଗୋଷ୍ଠୀ’ ମଧ୍ୟରେ ଫାଟ ଯୋଗୁ ଇସ୍ତାନବୁଲ୍‌ ଶାନ୍ତି ଆଲୋଚନା ଠିକ୍‌ ବାଟରେ ଯାଇପାରି ନ ଥିଲା ।

ଦୁଇ ଗୋଷ୍ଠୀ ମଧ୍ୟରେ ଯୋଗସୂତ୍ର ରହିଲେ ହିଁ କଥା ଆଗକୁ ବଢ଼ିପାରେ । ଆଲୋଚନା ବିଫଳ ହେବା ପରେ ପାକିସ୍ତାନୀ ପ୍ରତିନିଧି ଆଜି କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି, ସୁରକ୍ଷା ରାଜିନାମାକୁ ନେଇ କଥାବାର୍ତ୍ତା ସଫଳ ହୋଇ ନ ଥିବାରୁ ଏବେ ଆମେ ଆଫଗାନ ମାଟିରେ ଥିବା ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍‌ କରି ଭୀଷଣ ଆକ୍ରମଣ ଜାରି ରଖିବୁ । ଏଥିପାଇଁ ଆଫଗାନ ତାଲିବାନ ଉତ୍ତରଦାୟୀ ରହିବ । ତେବେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ବିଫଳ ହୋଇଥିଲେ ମଧ୍ୟ କତାର୍‌ ଓ ତୁର୍କୀ ସମେତ ଅନ୍ୟ ଦେଶର ମଧ୍ୟସ୍ଥିମାନେ ସେମାନଙ୍କ ଉଦ୍ୟମ ଅବ୍ୟାହତ ରଖିବେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଟିଟିପି ଶିବିରକୁ ଟାର୍ଗେଟ୍‌ କରି ପାକିସ୍ତାନୀ ସେନା ଅକ୍ଟୋବର ୯ରେ କାବୁଲରେ ସୀମାପାର ଆକ୍ରମଣ କରିଥିଲା । ଜବାବରେ ତାଲିବାନ ତରଫରୁ ପାକିସ୍ତାନରେ ଭୀଷଣ ହମ୍‌ଲା ହୋଇଥିଲା । ଏଥିରେ ୫୮ ପାକ୍‌ ସୈନ୍ୟ ପ୍ରାଣ ହରାଇଥିଲେ । ସପ୍ତାହକରେ ୨୦ଟି ସୁରକ୍ଷା ଆଉଟପୋଷ୍ଟ ଧ୍ୱଂସ ହୋଇଯାଇଥିଲା । ଏହାପରେ ସାଉଦି ଆରବ ଓ କତାର୍‌ର ମଧ୍ୟସ୍ଥତାରେ ଅସ୍ଥାୟୀ ଯୁଦ୍ଧବିରତି ହୋଇଥିଲା । ଅସ୍ଥାୟୀ ଯୁଦ୍ଧବିରତି ନେଇ ଅକ୍ଟୋବର ୧୯ରେ ଆଫଗାନିସ୍ତାନ ଓ ପାକିସ୍ତାନ ରାଜି ହୋଇଥିଲେ ।