ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଏସିଆ କପ୍-2025। ସେପ୍ଟେମ୍ବର ୧୪ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ମ୍ୟାଚକୁ ନେଇ ଚାଲିଛି ହଙ୍ଗାମା। ପ୍ରଥମେ ବିସିସିଆଇର ନିଷ୍ପତ୍ତି  ଆଉ ଏବେ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ପରେ ମ୍ୟାଚ ହେବା ପାଇଁ ଖୋଲିଛି ରାସ୍ତା। ଦୁବାଇ ମୈଦାନରେ ଓହ୍ଲାଇବେ ଦୁଇଟି ଦଳର ଟିମ୍‌।  ଏହି ମ୍ୟାଚକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ବୟକଟ୍‌ ଟ୍ରେଣ୍ଡ୍‌। ଏହା ସତ୍ତ୍ୱେ ଏହି ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ଲୋକଙ୍କ ମଧ୍ୟରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧ ଦେଖିବାକୁ ମିଳୁଛି। ସେହି ସମୟରେ, ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ତାଙ୍କ ସ୍ୱାମୀଙ୍କୁ ହରାଇଥିବା ମହିଳା କ୍ଷୁବ୍ଧ ହୋଇଛନ୍ତି। ମ୍ୟାଚ୍ ନ ଦେଖିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ପହଲଗାମ ପୀଡିତା।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏଥିରେ କାନପୁରର ଶୁଭମ ଦ୍ୱିବେଦୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ ଐଶ୍ନ୍ୟାଙ୍କ ସହିତ ପହଲଗାମ ବୁଲିବାକୁ ଯାଇଥିଲେ। ଶୁଭମଙ୍କ ପତ୍ନୀ ଐଶ୍ନ୍ୟା ମ୍ୟାଚ୍ କୁ ବିରୋଧ କରିଛନ୍ତି। ସେ କହିଛନ୍ତି-ତୁମେମାନେ ଏହି ମ୍ୟାଚ୍ ଦେଖିବାକୁ ଆଦୌ ଯିବା ଉଚିତ୍ ନୁହେଁ ଏବଂ ମ୍ୟାଚ୍ ଦେଖିବା ପାଇଁ ଟିଭି ଚାଲୁ କରିବା ଉଚିତ୍ ନୁହେଁ।"

କ୍ରିକେଟରମାନଙ୍କ ଉପରେ ଆହୁରି ପ୍ରଶ୍ନ ଉଠାଇ ଐଶନ୍ୟ କହିଛନ୍ତି, "ଆମର କ୍ରିକେଟରମାନେ କ'ଣ କରୁଛନ୍ତି? ଜଣେ କିମ୍ବା ଦୁଇଜଣ କ୍ରିକେଟରଙ୍କ ବ୍ୟତୀତ, କେହି ଆଗକୁ ଆସି କହିନାହାଁନ୍ତି ଯେ ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉଚିତ। କ୍ରିକେଟରମାନଙ୍କୁ ମଧ୍ୟ ରାଷ୍ଟ୍ରବାଦୀ କୁହାଯାଏ, କିନ୍ତୁ BCCI ସେମାନଙ୍କୁ ବନ୍ଧୁକ ମୁନରେ ଖେଳିବାକୁ ବାଧ୍ୟ କରିପାରିବ ନାହିଁ, ସେମାନେ ଦେଶ ପାଇଁ ଠିଆ ହେବା ଉଚିତ କିନ୍ତୁ ସେମାନେ ଏପରି କରୁନାହାଁନ୍ତି।