ଇସ୍ଲାମବାଦ ୯।୧୧: ପାକିସ୍ତାନରେ ଏକ ବଡ଼ ସମ୍ବିଧାନିକ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତୁତି ଦେଶର ରାଜନୈତିକ ପରିବେଶକୁ ବିଗାଡି ଦେଇଛି। ଶାହବାଜ ସରକାର ୨୭ତମ ସମ୍ବିଧାନ ସଂଶୋଧନ ଆଗକୁ ବଢାଉଛନ୍ତି, ଯେଉଁଥିରେ ସେନାମୁଖ୍ୟଙ୍କୁ ଅଭୂତପୂର୍ବ ଶକ୍ତି ଦେବା ଓ ସୁପ୍ରିମକୋର୍ଟ ଭୂମିକା ସୀମିତ କରିବା ଭଳି ଦୂରଗାମୀ ପ୍ରାବଧାନ ସବୁ ରଖା ଯାଇଛି। ଏହାକୁ ବିରୋଧ କରି ବିପକ୍ଷ ଦଳ ରବିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି ଓ ଚେତାବନୀ ଦେଇଛି ଯେ ଏହି ସଂଶୋଧନ ଦେଶର ସମ୍ବିଧାନର ନିଅଁକୁ ଦୋହଲାଇ ଦେବ।

ସରକାର ୨୭ତମ ସମ୍ବିଧାନ ସଂଶୋଧନରେ ଏକ ନୂଆ ପଦବୀ ଚିଫ ଅଫ ଡିଫେନ୍ସ ଫୋର୍ସେସ (ସିଡିଏଫ) ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ପଦରେ ସେନା ମୁଖ୍ୟ ଅବସ୍ଥାପିତ ହେବେ। ଏହି ସଂଶୋଧନ ଦ୍ୱାରା ଦେଶର ସେନା ମୁଖ୍ୟ ଅସୀମ ମୁନିର ତିନି ସେନା ଆର୍ମି, ଏୟାରଫୋର୍ସ ଓ ନେଭିର ସାମ୍ବିଧାନିକ ମୁଖ୍ୟ ଭାବେ ଅବସ୍ଥାପିତ ହେବେ। ତେବେ ବିରୋଧୀ ଅଭିଯୋଗ କରିଛନ୍ତି ଯେ ଏହି ସମ୍ବିଧାନ  ସଂଶୋଧନ ହେଲେ ଦେଶର ସେନାମୁଖ୍ୟଙ୍କ ସାମ୍ବିଧାନିକ ଓ ରାଜନୈତିକ ପ୍ରଭାବ ଅସାଧାରଣ ରୂପେ ବଢିଯିବ। ସଂଶୋଧନ ପରେ ସେନାମୁଖ୍ୟଙ୍କୁ ଆଜୀବନ ବିଶେଷାଧିକାର ମିଳିବ ଓ ତାଙ୍କ ବିରୋଧରେ କେବେ ବି କୌଣସି ମକଦ୍ଦମା ରୁଜୁ ହୋଇ ପାରିବ ନାହିଁ।

ସେହିପରି ସଂଶୋଧନରେ ଏକ ଫେଡେରାଲ କନଷ୍ଟିଟ୍ୟୁସନାଲ କୋର୍ଟ (ଏଫସିସି) ସ୍ଥାପନା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏହା ଗଠିତ ହେଲେ ସମ୍ବିଧାନର ବ୍ୟାକ୍ଷ୍ୟା ସମେତ ସଂଘ-ପ୍ରାନ୍ତ ବିବାଦ ସମାଧାନ ଭଳି ସୁପ୍ରିମକୋର୍ଟଙ୍କ ଅନେକ ଅଧିକାର ନିଜ ହାତକୁ ନେଇନେବ। ଏହା ଛଡା ଉଚ୍ଚ ନ୍ୟାୟାଳୟମାନଙ୍କରେ ଜଜମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ସହ ରାଷ୍ଟ୍ରପତିଙ୍କୁ ଆଜୀବନ ଅପରାଧିକ ମାମଲାରୁ ଛାଡ ଦେବାକୁ ପ୍ରାବଧାନ  ରହିଛି। ତେବେ ଆଇନ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହା ଦ୍ୱାରା ଦେଶର ସୁପ୍ରିମକୋର୍ଟ ପ୍ରାୟତଃ ଅପ୍ରାସଙ୍ଗିକ ହୋଇଯିବ। ଏହା କେବଳ ସିଭିଲ ଓ କ୍ରିମିନାଲ କୋର୍ଟ ହୋଇ ରହିଯିବ।

ଏଣୁ ଏହାକୁ ବିରୋଧ କରି ବିରୋଧୀ ମେଣ୍ଟ ତହରିକ-ଏ-ତହଫୁଜ-ଏ-ଆଇନ-ଏ ପାକିସ୍ତାନ (ଟିଟିଏପି) ସାରା ଦେଶରେ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି। ଏହି ମେଣ୍ଟରେ ଏମଡବ୍ଲୁଏମ, ପିଟିଆଇ, ପିକେଏମଏପି, ବିଏନପି-ଏମ ଓ ସୁନ୍ନି ଇତ୍ତେହାଦ କାଉନସିଲ ଆଦି ରାଜନୈତିକ ଦଳମାନେ ସାମିଲ ଅଛନ୍ତି। ଏମଡବ୍ଲୁଏମ ମୁଖ୍ୟ ଅଲ୍ଲାମା ରାଜା ନାସିର ଅବ୍ବାସ କହିଛନ୍ତି ଯେ ପାକିସ୍ତାନରେ ଗଣତାନ୍ତ୍ରିକ ସଂସ୍ଥାଙ୍କୁ ପଙ୍ଗୁ କରି ଦିଆଗଲାଣି।   ଏଣୁ ୨୭ତମ ସଂଶୋଧନ ବିରୋଧରେ ଜନତାଙ୍କୁ ସଚେତନ କରିବାକୁ ପଡିବ।