ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପାକିସ୍ତାନ ସେନାକୁ ହଜମ ହୋଇନଥିଲା । ତେଣୁ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ପାକ୍ ସେନା ପାଲଟା ଆକ୍ରମଣ କରିଥିଲା । ଭାରତର ସୀମାବର୍ତ୍ତୀ ଅଞ୍ଚଳ ଓ ବାୟୁସେନା ଆଡ୍ଡାକୁ ଟାର୍ଗେଟ୍ କରିବାକୁ ପ୍ରୟାସ କରିଥିଲା । ହେଲେ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ସବୁ ପ୍ରୟାସକୁ ବିଫଳ କରିଦେଇଥିଲା । ଏୟାର ମାର୍ଶଲ ଏ.କେ ଭାରତୀଙ୍କ କହିବା ଅନୁଯାୟୀ, ମେ’ ୭ ତାରିଖରେ ପାକିସ୍ତାନ ଦ୍ବାରା ହୋଇଥିବା ଗୁଳିଗୋଳା ମାଡ଼ ଓ ଡ୍ରୋନ୍ ଆଟାକରେ ଭାରତରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ । କାରଣ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ଓ ସତର୍କ ଥିଲା ।
ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯଥା S-400 ସୁଦର୍ଶନ, ଆକାଶ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସମସ୍ତ ଡ୍ରୋନ୍ ଓ ମିସାଇଲକୁ ଆକାଶ ମାର୍ଗରେ ନଷ୍ଟ କରିଦେଇଥିଲା । ସେହିପରି ମେ’ ୮ ଓ ୯ ତାରିଖରେ ପାକ୍ ସେନା ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭାରତର ସୀମାବର୍ତ୍ତୀ ସହରକୁ ଟାର୍ଗେଟ୍ କରି ଡ୍ରୋନ୍, ୟୁଏଭି (Unmanned Aerial Vehicles) ଓ ୟୁସିଏଭି (Unmanned Combat Aerial Vehicles) ଆଦି ମାଡ଼ କରିଥିଲା । ମାତ୍ର ଏହାକୁ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିବାରେ ସକ୍ଷମ ହୋଇଥିଲା । ଅନ୍ୟପଟେ ୭ ତାରିଖ ଅପେକ୍ଷା ୮ ତାରିଖରେ ଡ୍ରୋନ୍, ୟୁଏଭି ଓ ୟୁସିଏଭି ମାତ୍ରା କମ୍ ଆସିଥିଲା ବୋଲି ଡିଜିଏମଓ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।