'ଅପରେସନ ସିନ୍ଦୂରର ଲକ୍ଷ୍ୟ ସଫଳ, ଭାରତକୁ ମିଳିଲା ବଡ ବିଜୟ'

Published By : Prameya-News7 Bureau | May 14, 2025 IST

ନୂଆଦିଲ୍ଲୀ ୧୪/୦୫: ଭାରତର ଅପରେସନ ସିନ୍ଦୂରରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଛି । ଶତ୍ରୁଦେଶର ୯ ଆତଙ୍କୀ ଠିକଣାକୁ ଧ୍ବଂସ କରିଦେଇଛି ଭାରତ । ଶହେରୁ ଅଧିକ ଆତଙ୍କୀଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଏବେବି ଅନେକ ଭୟରେ ଲୁଚି ବୁଲୁଛନ୍ତି । କାହିଁକି ନା ଭାରତର ଅପରେସନ ସିନ୍ଦୂର ଏବେବି ସରିନି । ନିଜେ ପ୍ରଧାନମନ୍ତ୍ରୀ ମୋଦି ଏହା କହିସାରିଛନ୍ତି ଆତଙ୍କୀ ଯେଉଁଠି ଥିଲେ ବି ଖୋଜି ଖୋଜି ମାରିବୁ । ଭାରତ କେମିତି ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ନିଦ ହଜାଇଦେଇଥିଲା ୟେ ପୁରା ବିଶ୍ବ ଦେଖିସାରିଛି । ଭାରତର ରଣନୀତିକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଉଛି । ଏସବୁ ଭିତରେ ଯୁଦ୍ଧ ବିଶେଷଜ୍ଞ ଜନ୍‌ ସ୍ପେନସରଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି ସେ  କହିଛନ୍ତି ଅପରେସନ ସିନ୍ଦୂରର ଲକ୍ଷ୍ୟ ପୂରଣ ହୋଇଛି ।  ଆଉ ଭାରତ ଏକ ବଡ ଜିତ ହାସଲ କରିଛି । ସେ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ୪ ଦିନର ସେନା ଆକ୍ସନ ପରେ ଏ କଥା ସ୍ପଷ୍ଟ ହୋଇଯାଇଛି କି ଭାରତର ବଡ ବିଜୟ ହୋଇଛି । ଅପରେସନ ସିନ୍ଦୂର ନିଜର ରଣନୀତିକ ଉଦ୍ଦେଶ୍ୟ ପୂରଣ କରିବା ସହ ଆହୁରି ଆଗକୁ ଯାଇସାରିଛି । ଏଥିରେ ଆତଙ୍କବାଦୀଙ୍କ ଠିକଣାକୁ ନଷ୍ଟ କରିବା ଓ ସୈନ୍ୟଙ୍କ ବୀରତ୍ବ ପ୍ରଦର୍ଶନ ସାମିଲ ରହିଛି । ଏ କୌଣସି ଲୋକଦେଖାଣିଆ ଶକ୍ତି ନଥିଲା । ଥିଲା ନିର୍ଣ୍ଣାୟକ ଶକ୍ତି । ଯାହାକୁ ସ୍ପଷ୍ଟ ଭାବରେ ସୁଚିନ୍ତିତ ଉପାୟରେ ଲାଗୁ କରାଯାଇଛି । 

ଜନ୍‌ ସ୍ପେନସର ନିଜ ପୋଷ୍ଟରେ ପହଲଗାମ ଆକ୍ରମଣ ଠାରୁ ଆରମ୍ଭ କରି ଅପରେସନ ସିନ୍ଦୂର ଆଉ ସିଜଫାୟର ଘଟଣା ସବୁ ଉଲ୍ଲେଖ କରିଛନ୍ତି । ୨୨ ଏପ୍ରିଲରେ ପହଲଗାମ୍‌ ଆକ୍ରମଣ ପରେ ଭାରତ ଆଉ ଅପେକ୍ଷା କରିନଥିଲା । କି ଅନ୍ତର୍ଜାତୀୟ ସ୍ତରରେ ଅପିଲ କରିନଥିଲା । ଭାରତ ସିଧା ଫାଇଟର ଜେଟ୍‌ ଲଞ୍ଚ କରିଥିଲା । ମେ ୭ରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ଧୂଆଁ ଧୂଆଁ କରିଦେଇଥିଲା । ପାକିସ୍ତାନ ଓ ପିଓକେରେ ୯ ଆତଙ୍କୀ ଠିକଣା ନଷ୍ଟ ହୋଇଯାଇଛି । ଏବେ ଭାରତ ସିଧା ସିଧା ଶୁଣାଇ ଦେଇଛି କି ଭାରତ ଉପରେ କୌଣସି ବି ଆତଙ୍କୀ ହମ୍‌ଲାକୁ ଆକ୍ଟ ଅଫ ୱାର ଭାବରେ ଗ୍ରହଣ କରାଯିବ । 

ଜନ୍‌ ସ୍ପେନସର ଆହୁରି କହିଛନ୍ତି ଏବେ ପାକିସ୍ତାନ ପଟୁ ହେବାକୁ ଥିବା ଆତଙ୍କୀ ଆକ୍ରମଣର କଡା ଜବାବ ଦେବ ଭାରତୀୟ ସେନା । ଏ କୌଣସି ଧମକ ନୁହେଁ ଏକ ମିଶନ । ଭାରତ ଦେଖାଇ ଦେଲାକି ପାକିସ୍ତାନର କୌଣସି ବି ଠିକଣାରେ ଆକ୍ରମଣ କରିବାକୁ ସକ୍ଷମ ଭାରତ । ଏହା କୌଣସି ଆତଙ୍କୀ ଠିକଣା ହେଉ କି ଡ୍ରୋନର ଲଞ୍ଚ ପ୍ୟାଡ ଅବା ଏୟାରବେସ୍‌ । ଅନ୍ୟପଟେ ପାକିସ୍ତାନ ଭାରତର କୌଣସି ସୁରକ୍ଷିତ ସ୍ଥାନର କ୍ଷତି ପହଞ୍ଚାଇ ପାରିନି । ତେଣୁ ଏ ଲଢେଇ ବରାବର ନୁହେଁ । ଏ ଲଢେଇ ଭାରତ ଓ ଭାରତୀୟ ସେନାର ଶ୍ରେଷ୍ଠ ପ୍ରଦର୍ଶନ । ପାକିସ୍ତାନ ଓ ତାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଭାରତ ମୁହଁତୋଡ ଜବାବ ଦେଇଛି । ହେଲେ ଯୁଦ୍ଧକୁ ଏଡାଇ ଯାଇଛି । ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ ସନ୍ଦେଶ ଦେଇଛି କି ଭାରତ ନିଶ୍ଚୟ ଜବାବ ଦେବ ହେଲେ ସଠିକ ସମୟରେ ଓ ନିଜ ଷ୍ଟାଇଲରେ । ଆଉ ଗୋଟିଏ ବଡ କଥା ହେଉଛି ଭାରତ ଏତେ ବଡ ସଂକଟକୁ ବିନା କୌଣସି ମଧ୍ୟସ୍ଥତାରେ ସମାଧାନ କରିପାରିଥିବା କହିଛନ୍ତି ପୂର୍ବତନ ସେନା ଅଧିକାରୀ ତଥା ଯୁଦ୍ଧ ବିଶେଷଜ୍ଞ ଜନ୍‌ ସ୍ପେନସର । 

 

 

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.