ପ୍ରମାଣ ଅଭାବରୁ ଅଭିନେତା ବିଜୟ ରାଜ୍ ନିର୍ଦ୍ଦୋଶରେ ମୁକ୍ତ; ସହକର୍ମୀ ଆଣିଥିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ

Published By : Prameya-News7 Bureau | May 15, 2025 IST

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ବଲିଉଡ ଅଭିନେତା ବିଜୟ ରାଜ୍ ନିର୍ଦ୍ଦୋଶ । ଗୁରୁବାର ମହାରାଷ୍ଟ୍ର ଏକ ଅଦାଲତ ତାଙ୍କୁ  ନିର୍ଦ୍ଦୋଶରେ ଖଲାସ୍ କରିଛନ୍ତି । ଜଣେ ସହକର୍ମୀ ତାଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ଏତଲା ଅଧାରରେ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ହେଲେ ଅଦାଲତ ଆଜି ତାଙ୍କୁ ନିର୍ଦ୍ଦୋଶରେ ମୁକ୍ତ କରିଛନ୍ତି । 

ଏହି ଘଟଣା ୨୦୨୦ ମସିହାର । ପଞ୍ଚ ବର୍ଷ ପୂର୍ବରୁ ‘ଶେରନୀ’ ଫିଲ୍ମ ସୁଟିଂରେ ବେଳେ ଅଭିନେତା ବିଜୟ ରାଜ୍ ସହକର୍ମୀଙ୍କ ସହିତ ଯୌନ ଉତ୍ପୀଡ଼ନ କାର୍ଯ୍ୟ କରିଥିଲେ । ଏନେଇ ମହିଳା ଜଣଙ୍କ ତାଙ୍କ ବିରୋଧରେ ଅଭିଯୋଗ ଆଣି ମହାରାଷ୍ଟ୍ର ରାମନଗର ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ୨୦୨୦ ନଭେମ୍ବର ୪ ତାରିଖରେ ଅଭିନେତା ବିଜୟ ରାଜ୍‌ଙ୍କୁ ମଧ୍ୟପ୍ରଦେଶର ବାଲଘାଟରୁ ଗିରଫ କରିଥିଲା । ସେହି ଦିନ ତାଙ୍କୁ ମହାରାଷ୍ଟ୍ରର ଗୋଣ୍ଡିଆ କୋର୍ଟରେ ହାଜର କରାଯାଇଥିଲା । 

ମାମଲାର ଶୁଣାଣି ବେଳେ ପୀଡ଼ିତା ଯୌନ ଉତ୍ପୀଡ଼ନ ନେଇ ଅଦାଲତଙ୍କୁ ଆବଶ୍ୟକ ପ୍ରମାଣ  ଦେଇ ପାରିନଥିଲେ । ଫଳରେ କୋର୍ଟ ଅଭିଯୋଗକୁ ଖାରଜ କରିବା ସହିତ ମେ’ ୧୫ ତାରିଖରେ ଅଭିନେତା ବିଜୟ ରାଜ୍‌ଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.