ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍‌ ଷ୍ଟିଲ୍ ଆସୋସିଏସନ୍‌ : ଅଧିକ ଲୁହା ପଥର ଉତ୍ପାଦନ ଓ ଷ୍ଟିଲ୍ କମ୍ପାନୀକୁ ଲୁହା ପଥର ଯୋଗାଣ ଉପରେ ଗୁରୁତ୍ୱାରୋପ

Published By : Prameya-News7 Bureau | May 15, 2025 IST

ଭୁବନେଶ୍ବର ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡ଼ିଶାର ଲକ୍ଷ୍ୟ । ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ । ତେଣୁ, ଓଡ଼ିଶାରେ କମ୍ପାନୀ ପ୍ରତିଷ୍ଠା କରୁଥିବା ସଂସ୍ଥା ଗୁଡିକୁ ସୁବିଧାରେ କଞ୍ଚାମାଲ୍ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଷ୍ଟିଲ କମ୍ପାନୀ ଗୁଡିକୁ ମଧ୍ୟ ଉପଯୁକ୍ତ ବିଚାର ଆଲୋଚନା କରାଯାଇ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।




ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଦେଶର ଷ୍ଟିଲ୍ ଉତ୍ପାଦନ ପରିମାଣ ବାର୍ଷିକ ୧୬୫ ମିଲିୟନ ଟନ୍ ରହିଛି । ୨୦୪୭ ସୁଦ୍ଧା ଏହି ପରିମାଣ ୫୦୦ ମିଲିୟନ ଟନ୍ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି । ଦେଶର ଷ୍ଟିଲ ଉତ୍ପାଦନ ବୃଦ୍ଧିରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ । ତେଣୁ, ଷ୍ଟିଲ କମ୍ପାନୀ ମାନଙ୍କୁ ଯେପରି ସୁବିଧାରେ ଲୁହାପଥର ମିଳିବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମିଳିପାରିବ, ସେ ବିଷୟରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । 



ବୈଠକରେ ଅଧିକ ଲୁହା ପଥର ଖଣିର ନିଲାମ ଏବଂ ନିଲାମ ହୋଇଥିବା ଖଣି ଗୁଡିକରୁ ଶୀଘ୍ର ଉତ୍ତୋଳନ ଆରମ୍ଭ ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ପ୍ରାୟ ୩୦ଟି ଖଣି ନିଲାମ ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି । ଏହା ସହିତ OMCରୁ କିପରି ସୁବିଧାରେ ଷ୍ଟିଲ କମ୍ପାନୀ ମାନଙ୍କୁ ଲୁହାପଥର ଯୋଗାଇ ଦିଆଯାଇ ପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ ।

You Can Read:

ମହାଙ୍ଗା ବ୍ଲକ୍ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ : ତଦନ୍ତ ଦାବି କଲା ବିଜେଡି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.