ନୂଆଦିଲ୍ଲୀ ୧୨/୦୮: ଡିସେଣ୍ଟ ଗେମ୍ କ୍ରିକେଟ । ବିଶ୍ୱରେ ଏହି ଖେଳର ରହିଛି ଡିମାଣ୍ଡ । ଫ୍ୟାନ୍ସ ସଂଖ୍ୟା ବିଶ୍ୱବ୍ୟାପୀ ଅଧିକ । ଅନେକ ଦେଶରେ ଖେଳାଳି ବି ରହିଛନ୍ତି । କିନ୍ତୁ ଭାରତରେ ଖେଳର ଅଧିକ ପ୍ରଶଂସକ । ଖେଳାଳି ବି ବେଶ୍ ଫେମସ ତାଙ୍କ ଖେଳକୁ ନେଇ । ବିଶେଷ କରି ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଭଳି ଅନେକ ଦେଶ ସାମିଲ ରହିଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଦୁନିଆରେ ଏମିତି ଦେଶ ଅଛି, ଯେଉଁଠି, ଜଣେ କ୍ରିକେଟରଙ୍କ ଫଟୋ ନୋଟ୍ ଉପରେ ହୋଇଛି ଛପା । ଆଉ ଏହି କ୍ରିକେଟର ଜଣକ ହେଉଛନ୍ତି ୱେଷ୍ଟଇଣ୍ଡିଜର ସାର୍ ଫ୍ରାଙ୍କ୍ ୱାରେଲ୍ ।
ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ସାର୍ ଫ୍ରାଙ୍କ୍ ୱାରେଲ୍, ଯାହାଙ୍କୁ ସମ୍ମାନ ଜଣାଇଛି ତାଙ୍କ ଦେଶ । ଫଟୋକୁ ନିଜର କରେନ୍ସି ନୋଟରେ ଦେଇଛି ସ୍ଥାନ । ବିଶ୍ୱର ଏକମାତ୍ର କ୍ରିକେଟର ଯାହାଙ୍କ ଫଟୋ କୌଣସି ଦେଶର ନୋଟରେ ଛପା ଯାଇଛି । ତାଙ୍କ ଫଟୋ ବାରବାଡୋସର ୫ ଡଲାର ନୋଟରେ ଦେଖିବାକୁ ମିଳେ । କେବଳ ଜଣେ କ୍ରିକେଟର ଭାବରେ ନୁହେଁ, ବରଂ ଜଣେ ମହାନ ବ୍ୟକ୍ତି ଭାବରେ ମଧ୍ୟ ସେ ସର୍ବଦା ଚିର ସ୍ମରଣୀୟ । ବିଶେଷ କରି ଭାରତ ସହିତ ତାଙ୍କର ଏକ ଅତୁଟ ସମ୍ପର୍କ ରହିଛି ।
ସାର୍ ଫ୍ରାଙ୍କ୍ ୱାରେଲଙ୍କର ଭାରତ ସହିତ ସମ୍ପର୍କ କେବଳ କ୍ରିକେଟ ମଧ୍ୟରେ ସୀମିତ ନଥିଲା । ୧୯୬୨ ମସିହା କଥା ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା । ମ୍ୟାଚ୍ ବେଳେ ଭାରତୀୟ ଅଧିନାୟକ ନାରୀ କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ଅବସ୍ଥା ଏତେ ଗୁରୁତର ଥିଲା ଯେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ପଡ଼ିଥିଲା ।
ତେବେ ଏହି ସଙ୍କଟ ସମୟରେ ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଥିବା ସାର୍ ଫ୍ରାଙ୍କ୍ ୱାରେଲ୍ ଆସିଥିଲେ ଆଗେଇ । ନିଜେ ରକ୍ତଦାନ କରିବା ସହ ନିଜ ଦଳର ଅନ୍ୟ ଖେଳାଳିଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରିତ କରିଥିଲେ । ତାଙ୍କର ଏହି ମହାନତା ପାଇଁ ନାରୀ କଣ୍ଟ୍ରାକ୍ଟରଙ୍କ ଜୀବନ ବଞ୍ଚି ଯାଇଥିଲା । ଏହି ଘଟଣା ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଆହୁରି ମଜବୁତ ହୋଇଥିଲା । ଏହି ମହାନ କାର୍ଯ୍ୟକୁ ସମ୍ମାନ ଜଣାଇ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜକୁ 'ଫ୍ରାଙ୍କ୍ ୱାରେଲ୍ ଟ୍ରଫି' ଭାବରେ ନାମିତ କରାଯାଇଛି । ଏହା ବ୍ୟତୀତ, କୋଲକାତାରେ ପ୍ରତିବର୍ଷ ଫେବୃଆରୀ ୩ ତାରିଖକୁ 'ଫ୍ରାଙ୍କ୍ ୱାରେଲ୍ ଦିବସ' ଭାବେ ପାଳନ କରାଯାଏ ।
ସାର୍ ଫ୍ରାଙ୍କ୍ ୱାରେଲ୍ (୧୯୨୪-୧୯୬୭) ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ପ୍ରଥମ ଅଶ୍ୱେତ ଅଧିନାୟକ ଭାବରେ ଜଣାଶୁଣା । କିନ୍ତୁ ଖେଳ ପଡ଼ିଆ ବାହାରେ ତାଙ୍କର ଏହି ମାନବୀୟ କାର୍ଯ୍ୟ ପାଇଁ ସେ ଆଜି ବି କ୍ରିକେଟ୍ ଇତିହାସରେ ଅମର ହୋଇ ରହିଛନ୍ତି ।