ଅନଲାଇନ୍ ଗେମିଂ ବିଲ୍‌କୁ କ୍ୟାବିନେଟ୍‌ର ଅନୁମୋଦନ: ଜୁଆ ଖେଳ ଓ ବାଜି ଲଗାଇବା ଉପରେ ରହିବ କଡ଼ା ନଜର

Published By : Prameya-News7 Bureau | August 19, 2025 IST

indiatoday

ନୂଆଦିଲ୍ଲୀ: ଆଗକୁ ବେଟିଂ ଆପ୍‌ଗୁଡ଼ିକୁ ନିୟନ୍ତ୍ରଣ ସହ ଅନ୍‌ଲାଇନ ଜୁଆ ଖେଳକୁ ଯାଞ୍ଚ କରିବେ ସରକାର। ଏଥିପାଇଁ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ ଅନଲାଇନ୍ ଗେମିଂ ବିଲ୍‌କୁ ମଞ୍ଜୁରୀ ଦେଇଛି। ଏହି ବିଲ୍ ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ଏକ ଆଇନଗତ ଢାଞ୍ଚାରେ ଅଧୀନରେ ଆଣିବା ସହିତ ଡିଜିଟାଲ୍ ଆପ୍ ମାଧ୍ୟମରେ ଜୁଆ ଖେଳ ଦଣ୍ଡ ବ୍ୟବସ୍ଥା କରିବ।

ସମ୍ପ୍ରତି ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଏହି କ୍ଷେତ୍ରରେ ତଦାରଖକୁ କଡ଼ାକଡ଼ି କରିଆସୁଛନ୍ତି। ଅକ୍ଟୋବର ୨୦୨୩ ଠାରୁ, ଅନଲାଇନ୍ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ କରାଯାଇଛି। ତେବେ ଖେଳରୁ ଜିତିଥିବା ରାଶି ଉପରେ  ୨୦୨୪-୨୫ ଆର୍ଥିକ ବର୍ଷରୁ ୩୦% ଟିକସ ଲାଗୁ ହୋଇଛି। ଏପରିକି ଦେଶ ବାହାରେ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଟିକସ ପରିସର ଅଧୀନକୁ ଅଣାଯାଇଛି। କେବଳ ସେତିକି ନୁହେଁ ବେଆଇନ ଓ ଅଣପଞ୍ଜିକୃତ ସାଇଟଗୁଡ଼ିକୁ ମଧ୍ୟ ବ୍ଲକ୍ କରିବାକୁ କ୍ଷମତା ଦିଆଯାଇଛି।

ଗତ ବର୍ଷ, ଭାରତୀୟ ନ୍ୟାୟ ସଂହିତା ଅଧୀନରେ ନୂଆ ଅପରାଧିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା, ଯାହା ଦ୍ଵାରା ଅନଧିକୃତ ବାଜି(ଅନଅଥରାଇଜ୍ ବେଟିଂ) ଲଗାଇଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଜରିମାନାର ଦଣ୍ଡବିଧାନ କରାଯାଇଥିଲା। ତଥାପି,ଯେହେତୁ ସମ୍ବିଧାନରେ ଜୁଆ ଓ ବାଜି ଲଗାଇବା ଭଳି କାମ ରାଜ୍ୟ ସରକାରଙ୍କ ଅଧୀନରେ ଅସୁଛି, ତେଣୁ ରାଜ୍ୟ ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠଆନ ନେବାର ମୁଖ୍ୟ ଅଧିକାରୀ ହୋଇଥାନ୍ତି।  

ତଥାପି ୨୦୨୨ ରୁ ଫେବୃଆରୀ ୨୦୨୫ ମଧ୍ୟରେ, ସରକାର ୧୪୦୦ ରୁ ଅଧିକ ବେଟିଂ ଏବଂ ଜୁଆ ୱେବସାଇଟ୍ ଏବଂ ଆପ୍‌କୁ ବ୍ଲକ କରିଛନ୍ତି। ଜୁଆ ଖେଳିବାର ନିଶାକୁ ନିୟନ୍ତ୍ରଣ କରିବା ପାଇଁ, ଶିକ୍ଷା ମନ୍ତ୍ରଣାଳୟ ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ପରାମର୍ଶ ଜାରି କରିଛି। ଅନ୍ୟପଟେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ଟିଭି ଚ୍ୟାନେଲଗୁଡ଼ିକୁ ଗେମିଂ ବିଜ୍ଞାପନଗୁଡ଼ିକରେ ଆର୍ଥିକ ବିପଦ ଏବଂ ଖେଳଦ୍ୱାରା ନିଶା ଲାଗିଯିବାର ଭୟ ରହିଛି ବୋଲି ସତର୍କତମୂଳକ ବିଜ୍ଞାପନ ଦେବାକୁ ନିର୍ଦ୍ଦେଶ ଦେଇଛି। ଇଣ୍ଟରନେଟ୍ - ଏବଂ ବିଶେଷକରି ଅନଲାଇନ୍ ଗେମିଂକୁ - ସୁରକ୍ଷିତ, ଦାୟିତ୍ୱବାନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.