ଆମେରିକା ସୁପ୍ରିମକୋର୍ଟ ଟାରିଫ ରଦ୍ଦ କରିବା ପରେ ଆସିଲା ଭାରତର ପ୍ରତିକ୍ରିୟା, ବାଣିଜ୍ୟ ମନ୍ତ୍ରଣାଳୟ କହିଲା, ଦେଖି ଚାହିଁ ନେବୁ ନିଷ୍ପତ୍ତି

NEWS7
one-person-arrest-by-excise-dept

ନୂଆଦିଲ୍ଲୀ: ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବେଆଇନ କହି ଆମେରିକା ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ଭାରତକୁ ନେଇ ହୋଇଥିବା ଟ୍ରେଡ୍ ଡିଲକୁ ନେଇ ପ୍ରଶ୍ନ ଉଠିଛି। ଡିଲ୍ ଅନୁସାରେ ଭାରତ ଉପରେ ଆମେରିକା ୧୮%ପ୍ରତିଶତ ଶୁଳ୍କ ଲଗାଇବା ଓ ଭାରତ ସୁବିଧା ଅନୁସାରେ କିଛି ଶୁଳ୍କ ଛାଡ଼ କରିବ ଓ ଆଉ କିଛିରେ ଟ୍ୟାକ୍ସ କସିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏବେ ଟ୍ରମ୍ପଙ୍କ ୧୦ଶୁଳ୍କ ଘୋଷଣା ପରେସ୍ଥିତି କଣ ହେବ ସେ ନେଇ ପ୍ରଶ୍ନ ଛିଡ଼ା ହୋଇଛି। ହେଲେ ଟ୍ରମ୍ପ କିନ୍ତୁ କହୁଛନ୍ତି ଭାରତ ପାଇଁ କିନ୍ତୁ କିଛି ବଦଳିବ ନାହିଁ, ଭାରତକୁ ପୂରା ଟାରିଫ ଦେବାକୁ ପଡ଼ିବ। ହେଲେ ଆମେରିକା କିଛି ଦେବନି। ଏନେଇ ଭାରତ କଣ କହୁଛି ପଢନ୍ତୁ ରିପୋର୍ଟ। 

ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ଟାରିଫକୁ ରଦ୍ଦ କରିବା ପରେ ଭାରତ ସହିତ ହୋଇଥିବା ଟ୍ରେଡ୍ ଡିଲ୍କୁ ନେଇ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ରଖିଥିଲେ ଆମେରିକା ରାଷ୍ଟ୍ରପତି। ଏଥର ବି ଭାରତ ପ୍ରତି ସେହି ସମାନ ଆଚରଣ ଥିଲା ତାଙ୍କର। ଟ୍ରମ୍ପ କହିଥିଲେ କିଛି ପରିବର୍ତ୍ତନ ହେବ ନାହିଁ, ଭାରତଙ୍କୁ ଶୁଳ୍କ ଦେବାକୁ ପଡିବ ହେଲେ ଆମେ ଶୁଳ୍କ ଦେବୁ ନାହିଁ। ଏହା ପୂର୍ବ ସ୍ଥିତିର ଲେଉଟାଣି ବୋଲି ଟ୍ରମ୍ପ କହିଛନ୍ତି। ଅର୍ଥାତ୍ ଭାରତ ପୂର୍ବରୁ ଟାରିଫ ଲଗାଉଥିଲେ, ହେଲେ ଆମେରିକା ଖୁବ୍ କମ ଶୁଳ୍କ ଆଦାୟ କରୁଥିଲା। ହେଲେ ଏବେ ସ୍ଥିତି ଓଲଟିବ, ଭାରତ ଶୁଳ୍କ ଦେବ ହେଲେ ଆମେରିକା ଦେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ତେବେ ଭାରତ ସହିତ ଟ୍ରେଡ୍ ଡିଲ୍ ଏକ ଉଚିତ୍ ଡିଲ୍ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପୁଣିଥରେ ଭାରତ ପାକିସ୍ତାନ ଯୁଦ୍ଧ କଥା ଉଠାଇଥିଲେ ଟ୍ରମ୍ପ। ଏବଂ କହିଥିଲେ ତାଙ୍କର ଧମକ ଯୋଗୁ ଦୁଇ ଦେଶ ଯୁଦ୍ଧ ବନ୍ଦ କରିଥିଲେ। ଟ୍ରମ୍ପ କହିଥିଲେ ଭାରତ ସହ ଆମର ଭଲ ସମ୍ପର୍କ ରହିଛି, ଆମେ ବ୍ୟବସାୟ ମଧ୍ୟ କରୁଛୁ। ମୋ ଅନୁରୋଧ ପରେ ଭାରତ ଋଷ ଠାରୁ ସମ୍ପର୍କ ଭାଙ୍ଗି ଅଲଗା ହୋଇଯାଇଛି। ଋଷ ଠାରୁ ତେଲ ଆମଦାନୀ ବହୁତ କମେଇ ଦେଇଛି। ତା ଛଡ଼ା ମୁଁ ୨୦୦ ପ୍ରତିଶତ ଶୁଳ୍କ ଧମକ ଦେବାରୁ ଉଭୟ ଦେଶ ମୋତେ ଫୋନ୍ କରି କହିଲେ ଆମେ ଶାନ୍ତି ପାଇଁ ରାଜି ଅଛୁ। ଟ୍ରମ୍ପଙ୍କର ଏହି କଥାରେ କିଛି ସତ୍ୟତା ଥାଉ ବା ନଥାଉ ତାଙ୍କ ଶୈଳୀ କିନ୍ତୁ ଧମକପୂର୍ଣ୍ଣ ରହିଥିଲା। ଆଉ ଭାରତ ଟ୍ରମ୍ପଙ୍କର ଏଭଳି କଥାରେ କେବେ ବି ସିଧା କୌଣସି ପ୍ରତିକ୍ରିୟା ଦେଇପାରି ନାହିଁ। ତେବେ ଟ୍ରମ୍ପଙ୍କର କଥାରେ ଯୁଦ୍ଧ ବନ୍ଦ ହୋଇ ନାହିଁ, ବରଂ ପାକିସ୍ତାନର ଅନୁରୋଧରେ ହୋଇଛି ବୋଲି ଭାରତ ଦାବି କାରି ଆସୁଛି।

ଏପଟେ ଦୁଇ ଦେଶ ମଧ୍ୟରେ ହୋଇଥିବା ଟ୍ରେଡ୍ ଡିଲ୍ କଥା ଯଦି ଦେଖିବା ତେବେ ଏଯାଏ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଫେବ୍ରୁଆରୀ ଶେଷରେ ଡିଲ୍ ଚୂଡ଼ାନ୍ତ ହେବ ଓ ମାର୍ଚ୍ଚରେ ସ୍ୱାକ୍ଷର ହୋଇପାରେ ବୋଲି ବାଣିଜ୍ୟମନ୍ତ୍ରଣାଳୟ କହିଛି। ତେବେ ଶୁଳ୍କ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବଂ ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ପରେ, ଭାରତ ସରକାର କହିଛନ୍ତି ଯେ ଏହା ସମଗ୍ର ମାମଲା ଉପରେ କଡ଼ା ନଜର ରଖିଛି। ଆମେରିକା ପ୍ରଶାସନ ଦ୍ୱାରା ନିଆଯାଇଥିବା ନୂଆ ପଦକ୍ଷେପର ଭାରତ ଉପରେ ସମ୍ଭାବ୍ୟ ପ୍ରଭାବ ମୂଲ୍ୟାଙ୍କନ କରାଯାଉଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ଆମେରିକା ଦ୍ୱାରା କିଛି ନୂଆ ଘୋଷଣା କରାଯାଇଛି। ଏହା ଭାରତ ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉପରେ କି ପ୍ରଭାବ ପକାଇପାରେ ଏହାର ଅନୁଧ୍ୟାନ କରାଯାଉଛି ବୋଲି ଶନିବାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି।

ତେବେ ବିବିସିର ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ ବି ଶୁଳ୍କ ହ୍ରାସ ହୋଇ ୧୦ ପ୍ରତିଶତ ହୋଇଯିବ। ହେଲେ ଟ୍ରମ୍ପ କହୁଛନ୍ତି କିଛି ବଦଳିବନି, ଭାରତ ଆମକୁ ୧୮ ପ୍ରତିଶତ ଶୁଳ୍କ ଦେବ, ହେଲେ ଆମେ ଦେବୁ ନାହିଁ,। ଏହି ଦୁଇଟି କଥାରେ ଭାରତ ନିରପେକ୍ଷ ଉତ୍ତର ଦେଇ କହିଛି ଆମେ ସ୍ଥିତି ଅନୁଧ୍ୟାନ କରୁଛୁ।

ଆମେରିକା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଶୁକ୍ରବାର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଫେବୃଆରୀ ଶେଷ ସୁଦ୍ଧା ଆମେରିକା ସହିତ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହେବ। ଏହା ମାର୍ଚ୍ଚରେ ସ୍ୱାକ୍ଷରିତ ହେବ ଏବଂ ଏପ୍ରିଲରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ।

ଡିଲ୍ ନେଇ ଫେବୃଆରୀ ୨୩ ତାରିଖରୁ, ଭାରତୀ ଓ ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଆମେରିକାରେ ଏକ ଗୁରୁତ୍ୱପୂର୍ଣ୍ଣ ତିନି ଦିନିଆ ବୈଠକ ବସିବ। ବାଣିଜ୍ୟ ମନ୍ତ୍ରଣାଳୟର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଫେବୃଆରୀ ୭ ତାରିଖରେ ଦୁଇ ଦେଶର ଜାରି ହୋଇଥିବା ମିଳିତ ବିବୃତ୍ତି ଉପରେ ଆଧାରିତ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବେ।

ଏହା ବ୍ୟତୀତ, ଭାରତ ଆଗାମୀ ମାସଗୁଡ଼ିକରେ ପ୍ରମୁଖ ଦେଶଗୁଡ଼ିକ ସହିତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବ। ଏପ୍ରିଲରେ ବ୍ରିଟେନ ଏବଂ ଓମାନ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମଧ୍ୟ ଆରମ୍ଭ ହେବାର ଆଶା କରାଯାଉଛି।