ଭଦ୍ରକ ୨୭।୧୧: ଷଣ୍ଢ ଲଢ଼େଇ ଜୀବନ ନେଲା । ଷଣ୍ଢ ଲଢ଼େଇ ପାଇଁ ବଳିପଡ଼ିଲେ ଯୁବକ । ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଷଣ୍ଢ ଲଢ଼େଇ ପାଇଁ ବାଇକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା ହୋଇ ଏଭଳି ଅଘଟଣ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଭଦ୍ରକ-ଆନନ୍ଦପୁର ୫୩ ରାଜ୍ୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି । ଆନନ୍ଦପୁର ରାସ୍ତାର ଗଣିଯାଙ୍ଗ ନିକଟ ହାଟଡିହି ଗାଁ ନିକଟରେ ଦୁଇଟି ଷଣ୍ଢ ମଧ୍ୟରେ ଲଢେଇ ଲାଗିଥିଲା । ଷଣ୍ଢ ଲଢ଼େଇ ଯୋଗୁ ଭଦ୍ରକରୁ ବନ୍ତ ଯାଉଥିବା ଦୁଇ ବାଇକ୍ ଆରୋହୀ ହଠାତ ଭାରସାମ୍ୟ ହରାଇଥିଲେ । ଫଳରେ ଆନନ୍ଦପୁରରୁ ଭଦ୍ରକ ଆସୁଥିବା ଏକ ବସ୍ ସାମ୍ନାରେ ଧକ୍କା ହୋଇଯାଇଥିଲା । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।