ଭୁବନେଶ୍ଵର: ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ଆସନ୍ତାକାଲି କଂଗ୍ରେସ ଓ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟବ୍ୟାପୀ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଏସପିଙ୍କୁ ଆଲର୍ଟ କରିଛି ଗୃହ ବିଭାଗ। ଏ ନେଇ ଗୃହ ବିଭାଗ ବୁଧବାର ଚିଠି ଲେଖିଛି।
ଗୃହ ବିଭାଗ ପକ୍ଷରୁ ଜାରି ଚିଠି ଅନୁସାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନକାରୀ ଶିକ୍ଷାନୁଷ୍ଠାନ, ମାର୍କେଟ୍, ଅଫିସ ବନ୍ଦ କରି ପାରନ୍ତି। ଟାୟାର ଜାଳି ରାସ୍ତା ଅବରୋଧ କରି ପାରନ୍ତି। ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନମାନଙ୍କରେ ରେଳ ରୋକୋ ପ୍ରଦର୍ଶନ ହୋଇପାରେ, ଯାହା ଟ୍ରେନ୍ ଚଳାଚଳକୁ ବାଧାପ୍ରାପ୍ତ କରିପାରେ। ପରିସ୍ଥିତି ଉପରେ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସରକାରୀ କାର୍ଯ୍ୟାଳୟକୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶାନାମା କରାଯାଇଛି। ଏଥିସହ ଜରୁରୀକାଳୀନ ସେବା ପ୍ରଭାବିତ ନ ହେବା ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି।
ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରାଉ କରିଥିଲା ଯୁବ ଓ ଛାତ୍ର କଂଗ୍ରେସ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି କରି ଶହ ଶହ ଯୁବ ଓ ଛାତ୍ର କଂଗ୍ରେସର କର୍ମୀ ହଲ୍ଲାବୋଲ ଆନ୍ଦାଳନ କରିଥିଲେ। ଏହି ଘଟଣାରେ ସରକାର ତୁରନ୍ତ ନ୍ୟାୟିକ ତଦନ୍ତ ନିର୍ଦେଶ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସଂସଦରେ ଓଡ଼ିଶା ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ସଂସଦ ଘେରାଉ କରିବ ବୋଲି କହିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ସିପିଆଇ, ସିପିଏମ ଓ ସମାଜବାଦୀ ପାର୍ଟି ।
ସୂଚନାଯୋଗ୍ୟ, ଗତ ଶନିବାର ବାଲେଶ୍ବର ଏଫଏମ୍ କଲେଜ ପରିସରରେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍ନାରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଏମିତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ହେଲେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମଙ୍ଗଳବାର ବାଲେଶ୍ବର ଭୋଗରାଇ ବ୍ଲକରେ ଥିବା ପଳାସିଆ ମଶାଣିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର ସମୟରେ ହଜାର ହଜାର ଲୋକେ ଉପସ୍ଥିତ ଥିଲେ।