କଟକ ୧୪।୮: କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ, ଦେଶବ୍ୟାପୀ ଚଳିତ ମାସ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ବ୍ରହ୍ମପୁର ଛକଠାରୁ ଏକ ଖୋଲା ଜିପ୍ରେ ମୁଖ୍ୟମନ୍ତ୍ରୀ ହାତରେ ଜାତୀୟ ପତାକା ଧରି ଏହି ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶହ ଶହ ବାଇକ୍ରେ ହାତରେ ଜାତୀୟ ପତାକା ସହ ଭାରତ୍ ମାତା କି ଜୟ ଧ୍ୱନୀ କରି ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସ୍ଥାନେ ସ୍ଥାନେ ମହିଳା ମାନେ ପୁଷ୍ପ ଓ ଦୀପ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ବନ୍ଦାପନା କରିଥିଲେ ।
ତ୍ରିରଙ୍ଗା ଶୋଭାଯାତ୍ରା ଶେଷରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ରଖି କହିଥିଲେ ଯେ, ଆମ ଜାତୀୟ ପତାକା ତ୍ରିରଙ୍ଗା ହେଉଛି ଆମ ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଦେଶବ୍ୟାପୀ ପୁରପଲ୍ଲୀରେ ମଧ୍ୟ ଏହି ଶୋଭାଯାତ୍ରା ଆୟୋଜନ କରାଯାଉଛି । ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଜାତୀୟ ପତାକାକୁ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା । ଏହା ରାଷ୍ଟ୍ରଭକ୍ତି ପାଇଁ ଏକ ସଚେତନତା ଅଭିଯାନ। ଏହି ଶୋଭାଯାତ୍ରା ଆମ ଦେଶର ରାଷ୍ଟ୍ରୀୟ ଏକତା ବୃଦ୍ଧି କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ଏହି ଶୋଭାଯାତ୍ରାରେ କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ହଜାର ହଜାର ଜନ ସାଧାରଣ ଯୋଗ ଦେଇଥିଲେ ।
You Can Read:
ପେଟରେ ହେଉଥିଲା ଯନ୍ତ୍ରଣା, ଇଞ୍ଜେକ୍ସନ ଦେଲେ ଦାନ୍ତ ଡାକ୍ତର : ପ୍ରାଣ ହରାଇଲେ ମହିଳା