ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ !

Published By : Prameya-News7 Bureau | June 09, 2024 IST

ଭୁବନେଶ୍ବର ୯।୬: ୧୦ ନୁହେଁ ୧୨ରେ ଓଡ଼ିଶାରେ ଶପଥ ଗ୍ରହଣ ସମାରୋହ । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ ବଦଳିଛି । ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌ ୧୨ରେ ହେବ ଶପଥ ଗ୍ରହଣ ସମାରୋହ । ଆସନ୍ତା ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଥିବା ସୂଚନା ରହିଛି । ୧୨ ତାରିଖ ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ସହ ଶପଥ ନେଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ । ପୂର୍ବରୁ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା । ଏବେ ଏଥିରେ ପୁଣି ପରିବର୍ତ୍ତନ ହୋଇଛି । ଯାହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି । 

ସେପଟେ କିଏ ଓଡିଶାର ମଙ୍ଗ ଧରିବେ ସେନେଇ ବିଜେପି ପକ୍ଷରୁ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଫଳରେ ଅନେକଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ତାରିଖ ଘୁଞ୍ଚିବା ଖବର ଚର୍ଚ୍ଚାର ପରିସରକୁ ଆସିଛି ।

ସେପଟେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଜେଇ ହେଉଛି ଜନତା ମଇଦାନ ।  ସଭାସ୍ଥଳ ଫୁଲରେ ସଜେଇ ହେବ । ରାସ୍ତା  ଆଲୋକୀକରଣ କରାଯିବ । ଏ ନେଇ ବହୁ ବରିଷ୍ଠ ଅଧିକାରୀ ସଭାସ୍ଥଳ ବୁଲି ସମୀକ୍ଷା କରିଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ସଭା ସ୍ଥଳ ଟେଣ୍ଟ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଟେଣ୍ଟ୍‌ ହସ୍ତାନ୍ତର କରିବାକୁ ଟାର୍ଗେଟ ରଖାଯାଇଛି । ତେଣୁ ଦିନରାତି କାମ ଚାଲିଛି । ଜର୍ମାନ୍‌ ହ୍ୟାଙ୍ଗର୍‌ ଡିଜାଇନ୍‌ରେ ସଭାସ୍ଥଳ ଟେଣ୍ଟ  ହୋଇଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକେ  ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କିଏ  କେଉଁଠି ବସିବ, ଏ ନେଇ ଅଧିକାରୀମାନଙ୍କୁ  ବିଏମ୍‌ସି ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ଜନତା  ମଇଦାନକୁ ସଂଯୋଗ କରୁଥିବା ସବୁ ରାସ୍ତା  ମରାମତି କାମ ସରିଛି । ବାରିକେଡ୍‌ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସଭାସ୍ଥଳ  ଓ ବାହାର ଆଲୋକୀକରଣ କରାଯାଇଛି ।  ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ  ଲାଇଟ୍‌ ଲଗାଯାଇଛି । ଏକାଧିକ ସରକାରୀ  କୋଠା ମଧ୍ୟ ଆଲୋକ ମାଳାରେ ସଜେଇ  ହେବ ।  

ସେହିଭଳି ସଫେଇ ଉପରେ ବିଏମ୍‌ସି ପକ୍ଷରୁ ଗୁରୁତ୍ୱ  ଦିଆଯାଇଛି । ସଭାସ୍ଥଳ ଓ ବାହାରେ ୩ ଶହରୁ  ଅଧିକ ସଫେଇ କର୍ମୀ ରହିବେ । ନିଜେ ଡେପୁଟି  କମିସନର (ପରିମଳ) ଏହାର ତଦାରଖ  କରିବେ । ଏହାସହ ଫୁଲରେ ସଜେଇବାକୁ  ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା ହୋଇଛି । ଯେପରି  ଶପଥ ଗ୍ରହଣ ଉତ୍ସବରେ ଲାଇନ୍‌ ନ କଟେ  ସେଥିପ୍ରତି ଧ୍ୟାନ ଦେବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ୩୦ ଜିଲ୍ଲାରୁ ନିମନ୍ତ୍ରିତ  ଅତିଥିମାନଙ୍କୁ ପାଛୋଟି ଆଣିବାକୁ ବିଏମ୍‌ସିର  ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ  ହେବେ । କେଉଁ ବସ୍‌ରେ ଆସିବେ, କେଉଁଠି  ରହିବେ, କ’ଣ ଖାଇବେ ସେସବୁ ବୁଝିବାକୁ  ଦାୟିତ୍ୱ ଦିଆଯାଇଛି । ସଭାରେ ୧ ଲକ୍ଷରୁ ଅଧିକ  ଜନସମାଗମ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ବିଜେପି  ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ  ସହ ବହୁ ଭିଭିଆଇପି ଯୋଗଦେବାର ସୂଚନା ରହିଛି । ତେଣୁ ଯେପରି ପ୍ରଶାସନିକ ତ୍ରୁଟି ନ  ରହେ, ସେଥିପ୍ରତି ଧ୍ୟାନ ଦେବାକୁ ବରିଷ୍ଠ  ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି ।

You Can Read :

ଜେଲ୍‌ ବିଭାଗର ବଡ଼ଧରଣର ଅଦଳବଦଳ, ୧୯ ଜେଲ୍‌ରଙ୍କୁ ବଦଳି


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.