ପୁରୀ ୬।୫: ପୁରୀରେ NSG ଟିମ୍ । ଦେଶର ପ୍ରମୁଖ ସୁରକ୍ଷା ସଂସ୍ଥା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜିର ୩ ଜଣିଆ ଟିମ୍ ପୁରୀ ଆସି ସୁରକ୍ଷା ବ୍ୟବସ୍ଥା ନେଇ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ରେ NSG କମାଣ୍ଡାଣ୍ଟଙ୍କ ସହିତ ଦୁଇ ଜଣ ଅଧିକାରୀ ଅଛନ୍ତି । ସୋମବାର ଏହି ଟିମ୍ ପ୍ରଥମେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରିଥିଲେ । ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୁରକ୍ଷା ପ୍ରଶାସକଙ୍କ ସହିତ ଆଲୋଚନା କରିଥିଲେ । ପରେ ଶ୍ରୀମନ୍ଦିରକୁ ଯାଇ ଉଭୟ ଭିତରେ ଓ ବାହାରେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ସେହିପରି ମଙ୍ଗଳବାର ମଧ୍ୟ ଏହି ଟିମ୍ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିବା ପରେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
ଜାମ୍ମୁକାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସମୟରେ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର । ତେବେ ସରକାରୀ ରିପୋର୍ଟ ଅନୁଯାୟୀ ଇଣ୍ଡିଆନ ମୁଜାହିଦ୍ଧିନ ଓ ଲସ୍କର-ଇ-ତୋଇବାର ଟାର୍ଗେଟ୍ରେ ଶ୍ରୀମନ୍ଦିର ରହିଛି ।
ଗତ ୨୦୧୨ ମସିହା ବାହୁଡ଼ା ଯାତ୍ରାରେ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଥିଲା । ୨୦୧୯ ମସିହା ଅଗଷ୍ଟ ମାସରେ ଗୁଇନ୍ଦା ବ୍ୟୁରୋ ସାମୁଦ୍ରିକ ଆତଙ୍କବାଦୀଙ୍କ ଦ୍ୱାରା ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦିଆଯିବା ପରେ ପ୍ରତିବର୍ଷ ଏନଏସଜି ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରାଯାଉଛି । ସେପଟେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଥିବାରୁ NSG ଟିମ୍ ପୁରୀ ଆସି ସୁରକ୍ଷାର ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରାଯିବାକୁ ନେଇ ସ୍ବାଗତ କରିଛନ୍ତି ସେବାୟତ ଓ ଭକ୍ତ ।
You Can Read:
ଅମାନିଆ ପଶ୍ଚିମବଙ୍ଗ ସରକାର : ବିରୋଧ ପରେ ଓଡ଼ିଶା ଦାବିକୁ ଅଣଦେଖା, ରାତାରାତି ଲଗାଇଲା ‘ଧାମ’ ହୋର୍ଡିଂ