ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ନୀତି ଭାରତ ପାଇଁ ଶୁଭ ସାବ୍ୟସ୍ତ ହେଉଥିବାର ଦେଖାଯାଉଛି। ଟ୍ରମ୍ପଙ୍କ ଟାରିଫ ଯୋଗୁ କେବଳ ଆପଲ୍ ନୁହେଁ, ବିଶ୍ୱର ଅନ୍ୟ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକ ମଧ୍ୟ ଭାରତରୁ ଆମେରିକାକୁ ରପ୍ତାନୀ କରିବା ବଢ଼ାଇ ଦେଇଛନ୍ତି।
ଆପଲ୍ର ଆଇଫୋନ୍ ସହିତ ଭାରତରୁ ଆମେରିକାକୁ ଆଣ୍ଡ୍ରଏଡ୍ ଫୋନ୍ ରପ୍ତାନି ମଧ୍ୟ ଯଥେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ଆମେରିକାର ଟାରିଫ୍ ନୀତି ଏବଂ ଉତ୍ପାଦନ ବୃଦ୍ଧି କରିବାକୁ ଭାରତର ପ୍ରୋତ୍ସାହନ ଯୋଗୁ ସମ୍ଭବ ହେଉଛି। ଭାରତୀୟ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ସାମସଙ୍ଗ ଏବଂ ମୋଟୋରୋଲା ଭଳି ଆଣ୍ଡ୍ରଏଡ କମ୍ପାନୀଗୁଡ଼ିକ ଆମେରିକା ସମେତ ଅନ୍ୟ ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବୃଦ୍ଧି କରିଛନ୍ତି। ତେବେ ଏଥିରେ ଆପଲ ପ୍ରମୁଖ ସ୍ମାର୍ଟଫୋନ୍ ରପ୍ତାନିକାରୀ ଭାବରେ ନିଜର ସ୍ଥିତି ବଜାୟ ରଖିଛି। ବିଶେଷକରି ଭାରତରୁ ଆମେରିକାକୁ ରପ୍ତାନୀର ଆପଲ ସର୍ବାଗ୍ରେ ରହିଛି।
ଭାରତରୁ ଆମେରିକାକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ରପ୍ତାନିରେ ବୃଦ୍ଧି
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟରେ ଉଦ୍ଧୃତ କରି ବଜାର ଆନାଲିସିସ୍ କମ୍ପାନୀ କାନାଲିସ୍ କହିଛି ଯେ ୨୦୨୫ ପ୍ରଥମ ୫ ମାସରେ ମୋଟୋରୋଲା ଭାରତରୁ ୧.୬ ମିଲିଅନ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ରପ୍ତାନି କରିଥିଲା। ଯେଉଁଥିରେ କେବଳ ଆମେରିକାକୁ ୯୯% ରପ୍ତାନୀ କରାଯାଇଥିଲା। ୨୦୨୪ରେ ୧ ମିଲିଅନ ୟୁନିଟ୍ ରପ୍ତାନୀ ଠାରୁ ଏହା ଅଧିକ ହୋଇଛି। ଶିଳ୍ପ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ନିର୍ମାତା ଡିକ୍ସନ ଟେକ୍ନୋଲୋଜିସ ସହ ପାର୍ଟନର ଥିବା ମୋଟୋରୋଲା ପୂର୍ବରୁ ଆମେରିକାର ବଜାର ଯୋଗାଣ ପାଇଁ ମୁଖ୍ୟତଃ ଚୀନ୍ ଉପରେ ନିର୍ଭର କରୁଥିଲା। ହେଲେ ଚୀନ ଉପରେ ୫୫ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା। ହେଲେ ଭାରତ ଉପରେ ୨୬ ପ୍ରତିଶତ। ତେବେ ସ୍ମାର୍ଟଫୋନ ଉପରେ ସୀମିତ ସମୟ ପାଇଁ ଶୁଳ୍କ ଛାଡ଼ କରାଯାଇଛି ହେଲେ ସ୍ଥିତି ଏମିତି ଥିବାରୁ ମୋଟୋରୋଲା ଭାରତ ମାଧ୍ୟମରେ ନିଜର ରପ୍ତାନୀ ବଢ଼ାଉଛି।
ପଢ଼ନ୍ତୁ- ଗୁରୁବାର ଶେୟାର ବଜାରରେ ଲକ୍ଷ୍ମୀ ଆଗମନ: ଚଳିତ ବର୍ଷ ସର୍ବୋଚ୍ଚ ସ୍ତର ଛୁଇଁଲା ସେନ୍ସେକ୍ସ ଓ ନିଫ୍ଟି
ସେହିପରି ସାମସଙ୍ଗ ରପ୍ତାନୀ ଉପରେ କାନାଲିସ୍ କହିଛି କମ୍ପାନୀ ଭାରତରୁ ଆମେରିକାକୁ ବହୁମାତ୍ରାରେ ସ୍ମାର୍ଟଫୋନ ରପ୍ତାନୀ କରୁଛି। କମ୍ପାନୀ ଜାନୁଆରୀ ଏବଂ ମେ ମଧ୍ୟରେ ୯୪୫,୦୦୦ ୟୁନିଟ୍ ଯୋଗାଇଛି। ଯାହା ପୂର୍ବ ୧୨ ମାସରେ ମାତ୍ର ୬୪୫,୦୦୦ ୟୁନିଟ୍ ଥିଲା। ଆମେରିକାକୁ ସ୍ମାର୍ଟଫୋନ ରପ୍ତାନୀ କରିବାରେ ଭିଏତନାମ ହେଉଛି ସାମସଙ୍ଗର ପ୍ରାଥମିକ ବେସ୍ ଥିଲା। ହେଲେ ଆମେରିକା ଭିଏତନାମ ଉପରେ ୪୬% ଶୁଳ୍କ ଲାଗୁ କରିଛି। ଫଳରେ କମ୍ପାନୀ ଏବେ ଭାରତରୁ ରପ୍ତାନୀ ବଢ଼ାଇଛି। ସମସ୍ତଙ୍କ ଉପରେ ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଡିକ୍ସନ୍ ଟେକ୍ନୋଲୋଜିସର ପରିଚାଳନା ନିର୍ଦ୍ଦେଶକ ଅତୁଲ ଲାଲଙ୍କ ଅନୁସାରେ ସେ କମ୍ପାନୀର ପ୍ରମୁଖ ଗ୍ରାହକ, ମୋଟୋରୋଲା ପାଇଁ ସେମାନଙ୍କର ଉତ୍ପାଦନ କ୍ଷମତାକୁ ବର୍ତ୍ତମାନ ସ୍ତରଠାରୁ ୫୦% ବୃଦ୍ଧି କରିଛନ୍ତି। କାରଣ ବର୍ତ୍ତମାନର ଭୂ-ରାଜନୈତିକ ଦୃଶ୍ୟପଟକୁ ବିଚାରକୁ ନେଇ କମ୍ପାନୀ ମୁଖ୍ୟତଃ ଉତ୍ତର ଆମେରିକା, ବିଶେଷକରି ୟୁକେକୁ ଏହାର ରପ୍ତାନୀ ବଢ଼ାଇବାକୁ ଚାହୁଁଥିବାରୁ ଆମେ ମୋବାଇଲ୍ ପ୍ରଡକ୍ସନ ବଢ଼ାଇଛୁ ବୋଲି ଅତୁଲ କହିଛନ୍ତି।
ଭାରତକୁ ଗ୍ଲୋବାଲ ମ୍ୟାନୁଫେକ୍ଚରିଂ ହବ୍ କରିବାକୁ ଭାରତ ସରକାର ଆରମ୍ଭ କରିଥିବା ପିଏଲ୍ଆଇ ସ୍କିମ୍ କମ୍ପାନୀମାନଙ୍କୁ ଏଠାରେ ଉତ୍ପାଦନ ବଢ଼ାଇବାରେ ସହାୟକ ହେଉଛି। କମ୍ପାନୀମାନେ ଏଠାରେ ଉତ୍ପାଦନ କରି ଆଫ୍ରିକା, ୟୁଏଇ, ଆମେରିକା ୟୁକେ ଆଦି ଦେଶକୁ ରପ୍ତାନୀ କରୁଛନ୍ତି। ମୋଟୋରୋଲା, ସାମସଙ୍ଗ ଆପଲ ସମେତ ନୋକିଆ କମ୍ପାନୀର ଏଚ୍ଏମ୍ଡି ମଧ୍ୟ ଭାରତରୁ ଏହାର ରପ୍ତାନୀ କାର୍ଯ୍ୟକ୍ରମ ବଢ଼ାଇବାକୁ ଚାହୁଁଛି। ସେହୀପରି ଚୀନ କମ୍ପାନୀ ଓପୋ, ଭିଭୋ ମଧ୍ୟ ଭାରତରୁ ରପ୍ତାନୀ ବଢ଼ାଇବା ଆରମ୍ଭ କରିଦେଇଛନ୍ତି।