ନୋକିଆ ଫୋନରୁ ମିଳିଲା କଙ୍କାଳର ପରିଚୟ , ୧୦ ବର୍ଷ ପୂର୍ବ ମୃତ୍ୟୁର ଖୋଲିଲା ରହସ୍ୟ

Published By : Prameya-News7 Bureau | July 15, 2025 IST

ହାଇଦ୍ରାବାଦ - ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଏକ ଖାଲି ପଡ଼ିଥିବା ଘରୁ ମିଳିଥିବା କଙ୍କାଳର ଚିହ୍ନଟ ହୋଇଛି। ପୁଲିସ ମଙ୍ଗଳବାର କହିଛି ଯେ, ସେ କଙ୍କାଳ ଅମିର ଖାନ ନାମକ ବ୍ୟକ୍ତିଙ୍କର ବୋଲି ମନେ ହେଉଛି , ଯାହାଙ୍କର ୧୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ସୋମବାର ଏକ ବଲକୁ ଖୋଜିବାକୁ ସେଠାକୁ ଯାଇଥିବା ଜଣେ ବ୍ୟକ୍ତି ସେହି ଖାଲି ଘରେ କଙ୍କାଳକୁ ଦେଖିଥିଲେ। ଏହାପରେ ଲୋକେ ଏହାର ଭିଡ଼ିଓ କରି ଥିଲେ। କଙ୍କାଳଟି ପେଟେଇ ହୋଇ ପଡ଼ିଥିବା ଦେଖାଯାଉ ଥିଲା। ଯେଉଁଠି ସେ କଙ୍କାଳ ମିଳିଥିଲା, ସେହି ଘର କିଚେନ ଭଳି ଲାଗୁଥିଲା , କାରଣ ଏହାର ଆଖପାଖରେ କିଛି ବାସନ ମଧ୍ୟ ଦେଖାଯାଉ ଥିଲା।

ପୁଲିସ ମଙ୍ଗଳବାର (୧୫ଜୁଲାଇ) କହିଛି ଯେ, ନାମପଲ୍ଲୀର ଖାଲି ଥିବା ଘରେ ମିଳିଥିବା କଙ୍କାଳ ଅମିର ଖାନଙ୍କର ଥିବା ମନେ ହେଉଛି। ଏହି ଘର ମୁନିର ଖାନଙ୍କର ଥିଲା,ତାଙ୍କର ୧୦ଜଣ ପିଲା ଥିଲେ। ତାଙ୍କର ୩ୟ ପୁଅ ଅମିର ଏହି ଘରେ ଏକୁଟିଆ ରହୁଥିଲେ , ଅନ୍ୟପିଲା ମାନେ ଆଉ କୁଆଡେ ଚାଲି ଯାଇଥିଲେ। ପୁଲିସ ମୁତାବିକ, ସେଠାରୁ ନୋକିଆର ଏକ ମୋବାଇଲ ଫୋନ୍‌ ଓ କିଛି ଚିରା ନୋଟ୍‌ ମଧ୍ୟ ମିଳିଛି।

ଫୋନରେ ୮୪ ମିସ୍ଡ କଲ୍‌ ଥିଲା –

ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୁଲିସ (ଏସିପି) କିଶନ କୁମାର କହିଛନ୍ତି ଯେ, ଫୋନର ବ୍ୟାଟେରୀ ଶେଷ ହୋଇ ଯାଇ ଥିଲା। ସେ କହିଛନ୍ତି ଯେ, ଫୋନର ମରାମତି କରିବା ପରେ ଜଣାପଡ଼ିଲା ଯେ, ସେ କଙ୍କାଳ ଅମିରଙ୍କର। ଫୋନ୍‌ ଲଗ୍‌ରେ ଶେଷ କଲ୍‌ ୨୦୧୫ ବର୍ଷର ଦେଖିବାକୁ ମିଳୁଛି। ଏଥିରେ ୮୪ ମିସ୍ଡ କଲ୍‌ ମିଳିଛି। ଏସିପି କହିଛନ୍ତି, ସେ ବ୍ୟକ୍ତି ପାଖାପାଖି ୫୦ ବର୍ଷ ବୟସର ଥିଲେ, ଅବିବାହିତ ଥିଲେ ଏବଂ ସମ୍ଭବତଃ ମାନସିକ ଭାବେ ବିକ୍ଷିପ୍ତ ଥିଲେ। ତାଙ୍କର ମୃତ୍ୟୁ ୧୦ବର୍ଷ ପୂର୍ବେ ହେବାର ମନେ ହେଉଛି। କଙ୍କାଳର ହାଡ଼ ଗୁଡ଼ିକ ମଧ୍ୟ ଭାଙ୍ଗିବା ଆରମ୍ଭ ହୋଇ ଯାଇଥିଲା। 

କିଶନ କୁମାର କହିଛନ୍ତି ଯେ, ଘଟଣାସ୍ଥଳରୁ ସଂଘର୍ଷ ବା ରକ୍ତର କୌଣସି ଚିହ୍ନ ମିଳି ନାହିଁ ଏବଂ ଏହା ସ୍ୱାଭାବିତ ମୃତ୍ୟୁ ମନେ ହେଉଛି। ସେ ଆହୁରି କହିଛନ୍ତି ଯେ, ଏମିତି ବି ଜଣାପଡ଼ୁଛି ତାଙ୍କର କେହି ବି ଭାଇ-ଭାଉଣୀ ବା ସହଯୋଗୀ ତାଙ୍କୁ ଖୋଜିବାକୁ ଚେଷ୍ଟା କରି ନାହାନ୍ତି। ଏସିପିଙ୍କ ମୁତାବିକ ,ମୋବାଇଲ ଫୋନ ବ୍ୟତୀତ ,ତକିଆ ତଳୁ ପୁରୁଣା ଅଚଳ ନୋଟ୍‌ ମଧ୍ୟ ମିଳିଲା। ଏଥିରୁ ଅନୁମାନ କରାଯାଉଛି ଯେ, ମୃତ୍ୟୁ ବିମୁଦ୍ରାକରଣ ଅର୍ଥାତ୍‌ ୨୦୧୬ର ପୂର୍ବରୁ ହେବାର ସ୍ପଷ୍ଟ ହେଉଛି। ଏସିପି କହିଛନ୍ତି ଯେ, ଅମିର ଖାନଙ୍କ ସାନ ଭାଇ ଶାଦାବ, ଯିଏ ଆଖପାଖର ଦୋକାନରୁ ଭଡ଼ା ଆଦାୟ କରନ୍ତି , ସେ କଙ୍କାଳର ଅବଶେଷରୁ ମିଳିଥିବା ଏକ ମୁଦି ଓ ସର୍ଟସର ଚିହ୍ନଟ କରିଛନ୍ତି। ହେଲେ ମୃତ ବ୍ୟକ୍ତିଙ୍କର ପରିଚୟ ସ୍ପଷ୍ଟ କରିବା ପାଇଁ ପୁଲିସ ତାଙ୍କର ଅବଶେଷକୁ ଫରେନ୍ସିକ ଲ୍ୟାବ୍‌ ପଠାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.