ଗ୍ରୀଷ୍ମରୁ ମିଳିବନି ଆଶ୍ୱସ୍ତି, ମେ ୨୦ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ୪ ରାଜ୍ୟଙ୍କ ଲାଗି ଅରେଞ୍ଜ ଆଲର୍ଟ, କେରଳରେ ଲୁ ଯୋଗୁ ୨ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ ୧୬।୫: ସାରା ଦେଶରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି। ଭୀଷଣ ଗରମରେ ଲୋକେ ଅସୁସ୍ଥ ହୋଇ ପଡୁଛନ୍ତି। ଏଥିରେ ଉପୁଜିଥିବା ପରିସ୍ଥିତିରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତରେ ଲୁ ବହିବାର ଆଶଙ୍କା କରାଯାଉଛି। ଏହାର ସର୍ବାଧିକ ପ୍ରଭାବ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ ଉପରେ ପଡିପାରେ।  ଭାରତୀୟ ପାଣିପାଗା ବିଜ୍ଞାନ ବିଭାଗ(ଆଇଏମଡି) ଗୁରୁବାର ଏହି ଆକଳନ କରିଛନ୍ତି। 

ଆଇଏମଡି କହିଛନ୍ତି ଯେ ୧୭-୨୦ ମେ ମଧ୍ୟରେ ପଶ୍ଚିମ ରାଜସ୍ଥାନର କିଛି ଭାଗ ଓ ୧୮-୨୦ ମେ ମଧ୍ୟରେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ଲୁ ବହିବାର ଆଶଙ୍କା କରାଯାଉଛି। ଫଳରେ ଶନିବାର ସୁଦ୍ଧା ଜାତୀୟ ରାଜଧାନୀରେ ଦିନବେଳା ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆଇଏମଡି ଆକଳନ କରିଛନ୍ତି। ଏହା ଛଡା ପୂର୍ବ ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଗୁଜରାଟ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପାଇଁ ଆଇଏମଡି ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି। 

ଏହା ପୂର୍ବରୁ ଆଇଏମଡି ମେ ମାସରେ ଉତ୍ତର ଭାରତର ସମତଳ ଅଞ୍ଚଳ ଓ ମଧ୍ୟଭାରତରେ ଲୁ ବହିବାର ଦିନ ସଂଖ୍ୟା ସ୍ୱଭାବିକରୁ ଅଧିକ ରହିବ ବୋଲି ଆକଳନ କରିଥିଲେ। ଏମିତିରେ ମେ ମାସରେ ଉତ୍ତର ସମତଳ ଅଞ୍ଚଳ, ମଧ୍ୟଭାରତ ଓ ଭାରତୀୟ ଉପଦ୍ୱିପରେ ୩ ଦିନ ଲୁ ବହି ଥାଏ। ହେଲେ ଚଳିତବର୍ଷ ଏପ୍ରିଲ ମାସରେ ପୂର୍ବ, ପୂର୍ବୋତ୍ତର ଓ ଦକ୍ଷିଣ ପ୍ରାୟଦ୍ୱୀପ ଭାରତରେ ତାପମାତ୍ରା ରେକର୍ଡ ଭାଙ୍ଗିଥିଲା। ଏପରିକି ସରକାରୀ ଏଜେନ୍ସୀଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସତର୍କତା ଜାରି କରିବାକୁ ପଡିଥିଲା। 

ଏପ୍ରିଲ  ମାସରେ କେତେକ ସ୍ଥାନରେ ଅଧିକତମ ତାପମାତ୍ରା ୪୭ ଡିଗ୍ରି ସେଲସିୟସ୍ କୁ ପହଞ୍ଚିଥିଲା। ଏପର୍ଯ୍ୟନ୍ତର ଅଧିକତମ ତାପମାତ୍ରା ଏପ୍ରିଲ ମାସରେ ହିଁ ରେକର୍ଡ ହୋଇଛି। କେରଳରେ ଗ୍ରୀଷ୍ମର ପ୍ରକୋପ ବଢିଥିବା ବେଳେ ଲୁ ରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.