ବିଜୟ ହଜାରେ ଟ୍ରଫିରେ ରନ୍ ବର୍ଷା କରିବେ ରୋହିତ-ବିରାଟ, ୨୦୨୭ ବିଶ୍ୱକପ୍ ଖେଳିବା ଲକ୍ଷ୍ୟରେ ଦୁଇ ଭେଟେରାନ

NEWS7
no-option-other-than-full-blown-war-says-pak-defence-minister

ନୂଆଦିଲ୍ଲୀ, ୨୪/୧୨: ଆରମ୍ଭ ହୋଇଛି ବିଜୟ ହଜାରେ ଟ୍ରଫି । ଏଥର ଟୁର୍ଣ୍ଣାମେଣ୍ଟକୁ ନେଇ ସାରା ଭାରତରେ ଉତ୍କଣ୍ଠା । କାରଣ ଭାରତୀୟ ଦଳର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ଏଥର ଖେଳୁଛନ୍ତି ବିଜୟ ହଜାରେ ଟ୍ରଫି । କୋହଲି ଗତ ବର୍ଷ ରଣଜୀ ଟ୍ରଫିର ଏକ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚ୍ ବେଳେ କୋଟଲା ଗ୍ରାଉଣ୍ଡ ଦର୍ଶକରେ ଭରି ଯାଇଥିଲା । କୋହଲି ଓ ରୋହିତଙ୍କ ବ୍ୟତୀତ ଭାରତୀୟ ଦଳର ପ୍ରାୟତଃ ସବୁ ସଦସ୍ୟ ନିଜ ନିଜ ରାଜ୍ୟ ଦଳ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି ।

ତେବେ ଟୁର୍ଣ୍ଣାମେଣ୍ଟର ଉଭୟ ଏଲିଟ୍ ଓ ପ୍ଲେଟ୍ ଗ୍ରୁପ୍ର ମୋଟ୍ ୧୯ଟି ମ୍ୟାଚ ଖେଳାଯିବ । ବିଜୟ ହଜାରେ ଟ୍ରଫି ସର୍ବଦା ସଂଘର୍ଷପୂର୍ଣ୍ଣ ରହି ଆସିଛି । ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟରେ କୌଣସି ଗୋଟିଏ କିମ୍ବା ୨ଟି ଦଳ ରାଜୁତି କରିବାର ନଜିର ନାହିଁ । ଗତ ୫ବର୍ଷ ମଧ୍ୟରେ ୫ଟି ଭିନ୍ନ ଭିନ୍ନ ଦଳ ଚାମ୍ପିଅନ୍ ହୋଇଛନ୍ତି ।

୧୭ ବର୍ଷ ପରେ ଖେଳୁଛନ୍ତି କୋହଲି

କୋହଲି ଶେଷ ଥର ପାଇଁ ବିଜୟ ହଜାରେ ଟ୍ରଫି ଖେଳିବା ସମୟରେ ଭାରତୀୟ କ୍ରିକେଟ୍ ଥିଲା ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର । ଭାରତ ସେ ପର୍ଯ୍ୟନ୍ତ ଦ୍ୱିତୀୟ ଦିନିକିଆ ବିଶ୍ୱକପ୍ ଜିତି ନଥିଲା । ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣଙ୍କ ଭଳି ମହାନ ତାରକା କ୍ରିକେଟ୍ ଜାରି ରଖିଥିଲେ । ମହେନ୍ଦ୍ର ସିଂହ ଧୋନି ଥିଲେ ଭାରତୀୟ ଦଳର ସବୁ ଫର୍ମାଟ୍ ଅଧିନାୟକ । କୋହଲି ମଧ୍ୟ ନିଜେ ଟେଷ୍ଟ ପଦାର୍ପଣ କରି ନଥିଲେ । ଇତି ମଧ୍ୟରେ ୧୬ ବର୍ଷ ବିତି ଯାଇଛି । କୋହଲି ପୁଣି ଥରେ ବିଜୟ ହଜାରେ ଟ୍ରଫି ଖେଳିବାକୁ ଯାଉଛନ୍ତି ।

କୋହଲି ଏବେ ଚମତ୍କାର ଫର୍ମରେ ରହିଛନ୍ତି । ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନକିଆ ସିରିଜରେ ସେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ । କୋହଲିଙ୍କ ଭଳି ରୋହିତ ମଧ୍ୟ ଫର୍ମରେ ରହିଛନ୍ତି । ସେ ଗତ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ତାଙ୍କ ବ୍ୟାଟ୍ରୁ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଥିଲା ।

ରୋହିତ ଓ କୋହଲିଙ୍କ ବ୍ୟତୀତ ଦର୍ଶକଙ୍କ ନଜର ମଧ୍ୟ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ । ସେ ବର୍ତ୍ତମାନ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ଆସନ୍ତା ମାସ ୨୧ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ । ଏହାପରେ ରହିଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ତେଣୁ ବିଜୟ ହଜାରେ ଟ୍ରଫି ଜରିଆରେ ସୂର୍ଯ୍ୟକୁମାର ଉଭୟ ଫର୍ମ ଓ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ପ୍ରୟାସ କରିବେ ।