‘ ଦିଦିଙ୍କ ମନ୍ଦିର ନିର୍ମାଣକୁ ଆପତ୍ତି ନାହିଁ; ଦୀଘାରୁ ଜଗନ୍ନାଥ ଧାମ ନାମଫଳକ ହଟାଯାଉ...’

Published By : Prameya-News7 Bureau | May 05, 2025 IST

ଭୁବନେଶ୍ବର: ଦିଦି-ଦଇତା-ଦୀଘା-ଦାରୁ । ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ହୁଲୁସ୍ତୁଲ ଓଡ଼ିଶା । ଜଗନ୍ନାଥ ଧାମ କହିଲେ, କେବଳ ପୁରୀକୁ ବୁଝାଏ । ଶ୍ରୀକ୍ଷେତ୍ର ହେଉଛି ଭାରତରେ ଥିବା ଚାରି ଧାମ ଭିତରୁ ଅନ୍ୟତମ ଧାମ । ମହାପ୍ରଭୁ ଏଠାରେ ମାନବୀୟ ଲୀଳାଖେଳା କରିଥାନ୍ତି । ଏ ହେଛନ୍ତି ଭକ୍ତ ବତ୍ସଳ ଭଗବାନ । ଭକ୍ତଙ୍କ ଭାବରେ ବନ୍ଧା ହୋଇଛନ୍ତି ମହାବାହୁ । ଆଉ ଶ୍ରୀଜିଉଙ୍କ ନିମିତ ଦର୍ଶନ ପାଇଁ ନିଇତି ଲାଗିଥାଏ ଭକ୍ତଙ୍କ ଭିଡ଼ । ତେବେ ଜଗନ୍ନାଥ ଧାମକୁ କେହି ଚୋରି କରିନେବାକୁ ଚେଷ୍ଟା କରିବ ଏହାକୁ ବରଦାସ୍ତ କରିବେନି ଜଗନ୍ନାଥ ପ୍ରେମୀ । ଦୀଘା ଜଗନ୍ନାଥ ମନ୍ଦିର ପରିସରରୁ ଜଗନ୍ନାଥଧାମ ନାମଫଳକ ନହଟିବା ଯାଏ ଓଡ଼ିଆ ଜାତି ପ୍ରତିବାଦ ଜାରି ରଖିବ । ଏପଟେ ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ଦୀଘାକୁ ଜଗନ୍ନାଥଧାମ ବୋଲି ଲେଖି ଚାରିଆଡ଼ୁ ନିନ୍ଦା ଓ ସମାଲୋଚନାର ଶିକାର ହୋଇଛନ୍ତି । ଅନ୍ୟପଟେ ବଳକା ଦାରୁ ବିବାଦରେ ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କ ଠାରୁ ଉତ୍ତର ମାଗିଥିବା ବେଳେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ।

ମିଛ କହିଥିଲେ ରାମକୃଷ୍ଣ ଦାସମହାପାତ୍ର:

ମିଛ କହିଥିଲେ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର । ନବକଳେବର ବଳକା ଦାରୁରେ ଦୀଘା ଦିଅଁ ହୋଇନାହାନ୍ତି, ବରଂ ନିମ୍ବ କାଠରେ ବିଗ୍ରହ ତିଆରି ହୋଇଛି । ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଯେଉଁ ବୟାନ ଦେଇଥିଲେ ତାରି ଆଧାରରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସେ ପୂର୍ବରୁ ଯାହା କହିଥିଲେ, ତାହା ସ୍ଲିପ୍ ଅଫ୍ ଟଙ୍ଗ୍ ଥିଲା । ଭୁବନେଶ୍ୱରରେ ସୁଦର୍ଶନ ମହାରଣା ନାମକ ଜଣେ ଶିଳ୍ପୀଙ୍କ ପାଖରୁ ସେହି ମୂର୍ତ୍ତି ତିଆରି କରି ଦୀଘା ନେଇଥିଲେ । ଶ୍ରୀମନ୍ଦିର ଆକ୍ଟ ଅନୁଯାୟୀ ୭ଦିନ ଭିତରେ ତାଙ୍କୁ ରିପୋର୍ଟ ମଗାଯାଇଛି । ସେହି ରିପୋର୍ଟ ସନ୍ତୋଷଜନକ ନ ହେଲେ ମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । 

ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ:

ଅନ୍ୟପଟେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ମିଟିଂରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗତକାଲି ବସିଥିବା ଶ୍ରୀମନ୍ଦିର ପ୍ରଶାସନର ବୈଠକ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହା ସହିତ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । 

ସେବାୟତଙ୍କ ପାଇଁ ଗାଇଡ ଲାଇନ୍:

ସେପଟେ ସେବାୟତମାନଙ୍କ ପାଇଁ ଖୁବ୍ ଶୀଘ୍ର ଗାଇଡ୍ ଲାଇନ୍ ଆସିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଯେଉଁ ମାନେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ଅଛନ୍ତି, ସେମାନେ ଅନ୍ୟସ୍ଥାନକୁ ଯାଇ ପୂଜାବିଧି ବା ସେବା କରିପାରିବେ ନାହିଁ । ଦଇତା ସେବାୟତ କେଉଁ ସ୍ଥାନକୁ ଯିବେ ଓ କେଉଁଠିକୁ ଯାଇପାରିବେ ନାହିଁ, ସେନେଇ ନୀତି ପ୍ରସ୍ତୁତ କରାଯିବ । ସେବକମାନେ ଗଣମାଧ୍ୟମକୁ ଆସି ପୂଜା ବିଧି ବିଷୟରେ ମନଇଚ୍ଛା ମନ୍ତବ୍ୟ ରଖିପାରିବେ ନାହିଁ, ଏନେଇ ମଧ୍ୟ ମାର୍ଗଦର୍ଶିକା ଆସିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଦୀଘାରେ ଜଗନ୍ନାଥ ଧାମ ଲେଖାକୁ ବିରୋଧ: 

ଦୀଘାରେ ଜଗନ୍ନାଥ ଧାମ ଉଲ୍ଲେଖ କରାଯିବାକୁ ନେଇ ସବୁ ଆଡୁ ବିରୋଧ ହେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦିର ନିର୍ମାଣ କରିବାରେ କିଛି ଆପତ୍ତି ନାହିଁ, ହେଲେ ଦୀଘା ମନ୍ଦିର ପରିସର ଲାଗିଥିବା ଜଗନ୍ନାଥଧାମ ନାମଫଳକୁ ପ୍ରତ୍ୟାହାର କରିନିଅନ୍ତୁ  । ଏନେଇ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛନ୍ତି । ଦୀଘା ବେଲାଭୂମିରେ ଲାଗିଥିବା ମହାଦୋଧି ନାମକୁ କାଟିବା ପାଇଁ ମଧ୍ୟ ଦିଦିଙ୍କୁ ଅବଗତ କରାଯିବ । ଏହାକୁ ନ ମାନିଲେ ଓଡ଼ିଶା ସରକାର କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ଆଇନମନ୍ତ୍ରୀ କହିଛନ୍ତି ।

ମମତା ବାନାର୍ଜୀ ଗରଗର:

ସେପଟେ ରାଗରେ ଗରଗର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀଘା ମନ୍ଦିର ବିବାଦ କଥା ଶୁଣି ଚିହିଁକି ଉଠିଛନ୍ତି । ଦିଦି କହିଛନ୍ତି, ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ଆମେ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମାନ କରୁଛୁ । ତେବେ ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି କିଛି କଲେ ଆମେ ପ୍ରଶ୍ନ ଉଠାଇନୁ । ମୁଁ ପୁରୀ ଶ୍ରୀଜଗନ୍ନାଥଙ୍କୁ ସମ୍ମାନ ଓ ଭକ୍ତି କରେ । ବିଜେପିକୁ କାହିଁକି ବାଧୁଛି ବୋଲି ପ୍ରଶ୍ନ କରିଛନ୍ତି । ହେଲେ ଦାରୁ ଚୋରି କରି ଶ୍ରୀବିଗ୍ରହ ନିର୍ମାଣ ପ୍ରଶ୍ନରେ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା:

ଦିଦିଙ୍କ ବୟାନ ଉପରେ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମମତାଙ୍କୁ କଡା ଜବାବ ଦେଇଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ମମତା ବାନାର୍ଜୀ ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛ କି ବୋଲି ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ । କଂଗ୍ରେସ କହିଛି, ଏଭଳି ଘଟଣାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ ନିଅନ୍ତୁ । ଜଗନ୍ନାଥ ଧାମ କାଟିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ । ଯିଏ ନବକଲେବର କାଠ ଚୋରି କରିଛନ୍ତି, ତାଙ୍କୁ ପ୍ରଥମେ ଗିରଫ କରି ତଦନ୍ତ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି । ବିଜେଡି କହିଛି, ଦୀଘା କେବେ ପୁରୀର ବିକଳ୍ପ ହୋଇ ପାରିବ ନାହିଁ । ଜଗନ୍ନାଥ ମନ୍ଦିର କରିବାରେ ଅସୁବିଧା ନାହିଁ କିନ୍ତୁ ଏହାକୁ ଧାମ କହିବା ଗ୍ରହଣୀ ନୁହେଁ । ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ପୁରୀ ଆସିବାକୁ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ଅଶ୍ବିନୀ ପାତ୍ର ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.