LIVE TV

ନ୍ୟାୟ ନମିଳିବା ଯାଏ ହେବନି ଅନ୍ତିମ ସଂସ୍କାର...ଶବ ବ୍ୟବଚ୍ଛେଦ କରାଇବାକୁ ମନା କଲେ ଆଇପିଏସ୍ ପୁରନଙ୍କ ପତ୍ନୀ

NEWS7
PURAN

ନୂଆଦିଲ୍ଲୀ: ହରିୟାଣାର ବରିଷ୍ଠ ଆଇପିଏସ୍ ଅଫିସର ୱାଇ ପୁରନ କୁମାରଙ୍କ ଅତ୍ମହତ୍ୟା ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ୫୨ ବର୍ଷୀୟ ପୋଲିସ ଅଧିକାରୀ ମଙ୍ଗଳବାର ନିଜ ଘରେ ନିଜକୁ ଗୁଳି କରିଥିଲେ । ତାଙ୍କ ମୃତ୍ୟୁ ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ତାଙ୍କ ସୁଇସାଇଡ୍ ନୋଟରେ ହରିୟାଣା ଡିଜିପି ଶତ୍ରୁଜିତ୍ କପୁର, ରୋହତକ ଏସପି ନରେନ୍ଦ୍ର ବିଜାରନିୟା ସମେତ ଆଠ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଜାତିଆଣ ଭେଦଭାବ ଓ ମାନସିକ ଉତ୍ପୀଡନର ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ।

ଶନିବାର ହରିୟାଣା ସରକାର ରୋହତକ ଏସପି ନରେନ୍ଦ୍ର ବିଜାରନିୟଙ୍କୁ ପଦରୁ ହଟାଇ ଦେଇଛନ୍ତି । ପୁରନ ସିଂହଙ୍କ ପତ୍ନୀ, ଆଇଏଏସ୍ ଅଧିକାରୀ ଅମନୀତ ପି.କୁମାରଙ୍କ ଅଭିଯୋଗରେ ତାଙ୍କ ନାଁ ସାମିଲ ଥିଲା । ତେବେ ସରକାରୀ ଆଦେଶରେ ପୁରନ କୁମାର କେସ୍ କଥା ସିଧା ଉଲ୍ଲେଖ କରାଯାଇନି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ କହିଛନ୍ତି ଯେ ତଦନ୍ତ ନିରପେକ୍ଷ ହେବ ଓ ଯିଏ ଦୋଷୀ, ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

ସେପଟେ ପୁରନ କୁମାରଙ୍କ ପରିବାର ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ସେମାନଙ୍କ ଅଭିଯୋଗ ଯେ ତାଙ୍କୁ ନଜଣାଇ ଶବକୁ ସେକ୍ଟର ୧୬ର ସରକାରୀ ହସ୍ପିଟାଲରୁ ପିଜିଆଇଏମଇଆର ନିଆଯାଇଛି । ପରିବାର ଓ ଦଳିତ ସଂଗଠନ ଏହାକୁ ଅନ୍ୟାୟ ବୋଲି କହିଛନ୍ତି । ମୃତକଙ୍କ ସମ୍ପର୍କୀୟ ଓ ପଞ୍ଜାବ ଆପ୍ ବିଧାୟକ ଅମିତ୍ ରତନ କହିଛନ୍ତି, ଆମକୁ ବିନା ପଚାରି ମୃତଦେହକୁ ନିଆଯାଇଛି ।

 

ସେ କହିଛନ୍ତି ଯେ ଜଣେ ଡିଜିପି ସ୍ତରୀୟ ଅଧିକାରୀଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ମଧ୍ୟ ନ୍ୟାୟ ମିଳିନାହିଁ । ବାଲ୍ମିକୀ ସେନାର ସଦସ୍ୟ ମୁକେଶ କୁମାର ମଧ୍ୟ ପ୍ରଶାସନ ଉପରେ ପରିବାରର ସମ୍ମତି ବିନା ମୃତଦେହ ସ୍ଥାନାନ୍ତର କରିବାର ଅଭିଯୋଗ ଆଣିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପୋଷ୍ଟମର୍ଟମ କିମ୍ବା ଶବଦାହ କରାଯିବ ନାହିଁ । ଶନିବାର ଦିନ ଅନେକ ବରିଷ୍ଠ ନେତା ପୂର୍ଣ୍ଣ କୁମାରଙ୍କ ପତ୍ନୀଙ୍କୁ ଭେଟିଥିଲେ, ଯେଉଁଥିରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ଅନେକ ନେତା ମଧ୍ୟ ସାମିଲ ଥିଲେ।

​​​​​​​

ବିରୋଧୀ ଦଳ ନେତା ରଣଦୀପ ସିଂହ ସୁରଜେୱାଲା, ଦୀପେନ୍ଦର ହୁଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀ, ଏବଂ ଆପ ନେତା ମନୀଷ ସିସୋଦିଆ ପରିବାର ପ୍ରତି ସମର୍ଥନ ଜଣାଇଥିଲେ । ସୁର୍ଜେୱାଲା କହିଥିଲେ, "ଯଦି ଜଣେ ଆଇପିଏସ ଅଫିସରଙ୍କୁ ନ୍ୟାୟ ଦିଆଯାଇପାରିବ ନାହିଁ, ତେବେ ସାଧାରଣ ଲୋକଙ୍କର କ'ଣ ହେବ?" ଚରଣଜିତ ଚନ୍ନୀ ମଧ୍ୟ କହିଥିଲେ, "ପୁରଣ କୁମାର ଦଳିତ ଅଧିକାର ପାଇଁ ଲଢ଼ିଥିଲେ । ଏହା କେବଳ ଆତ୍ମହତ୍ୟା ନୁହେଁ, ବରଂ ବ୍ୟବସ୍ଥା ଉପରେ ଏକ ପ୍ରଶ୍ନ।" ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ସୋସିଆଲ ମିଡିଆରେ ଦୋଷୀଙ୍କ ପାଇଁ କଠୋର ଦଣ୍ଡ ଦାବି କରିଛନ୍ତି।