ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ପରେ ସନ୍ନ୍ୟାସ ନେବେ କି ରୋହିତ୍ ? ଗିଲ୍ ଦେଲେ ବଡ଼ ବୟାନ

Published By : Prameya-News7 Bureau | March 08, 2025 IST

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଦୁବାଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ରୋହିତ୍ ଶର୍ମାଙ୍କ କ୍ୟାପ୍ଟେନ୍ସିର ଟିମ୍ ଇଣ୍ଡିଆ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛି । ଏବେ ଭାରତ ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ । ତେବେ ବର୍ତ୍ତମାନ ଫାଇନାଲକୁ ନେଇ ଯେତିକି ଚର୍ଚ୍ଚା, ତାହାଠୁ ଅଧିକ ରୋହିତଙ୍କ ଅବସରକୁ ନେଇ ରହିଛି । ଚର୍ଚ୍ଚା କରାଯାଉଛି ଯେ ଫାଇନାଲ୍ ପରେ ରୋହିତ୍ ଶର୍ମା ରିଟାୟର ହୋଇପାରନ୍ତି । ଉପଅଧିନାୟକ ଶୁଭମନ ଗିଲ୍ ଏହାରି ଭିତରେ ରୋହିତ୍ ଶର୍ମାଙ୍କ ଅବସର ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ରୋହିତ୍ ଶର୍ମା ଆଗାମୀ ମାସରେ ୩୮ ବର୍ଷରେ ପାଦ ଦେବେ । ଅନ୍ୟପଟେ ବର୍ତ୍ତମାନ ସେ ନିଜ ଫର୍ମ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି ।

ଶନିବାର ସାମ୍ୱାଦିକ ସମ୍ମିଳନୀରେ ଗିଲ୍‌ଙ୍କୁ ରୋହିତ୍‌ଙ୍କ ଅବସର ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ସେ କହିଥିଲେ ଯେ ଟିମ୍ ଓ କ୍ୟାପ୍ଟେନଙ୍କ ଫୋକସ୍ ବର୍ତ୍ତମାନ କେବଳ ଟ୍ରଫି ଜିତିବା ଉପରେ ରହିଛି । ଗିଲ୍ କହିଛନ୍ତି ଯେ ଆମେ ଏହା ଉପରେ (ରିଟାୟରମେଣ୍ଟ) ଚର୍ଚ୍ଚା କରିନୁ । ସବୁ ଚର୍ଚ୍ଚା ମ୍ୟାଚ୍ ଜିତିବା ଓ ମ୍ୟାଚ୍ ଜିତିବା ପାଇଁ କ'ଣ କରିବାକୁ ପଡ଼ିବ, ତାହା ଉପରେ ରହିଛି । ସେ ଏହି ବିଷୟରେ ଟିମ୍ ସହ କିମ୍ୱା ମୋ ସହ କୌଣସି କଥା ହୋଇନାହାନ୍ତି । କାଲି ମ୍ୟାଚ୍ ଶେଷ ହେବା ପରେ ସେ ନିଷ୍ପତ୍ତି ନେଇପାରନ୍ତି କିନ୍ତୁ ମୁଁ ଟିମ୍‌ରେ କାହାଠାରୁ ଏହା ଉପରେ କିଛି ଶୁଣିନାହିଁ ।

ଫାଇନାଲ୍‌ରେ ରୋହିତ୍ ଓ ବିରାଟଙ୍କ ପରି ଖେଳାଳିଙ୍କଠାରୁ ବଡ଼ ଯୋଗଦାନ ଆଶା କରାଯାଉଛି । ଦୁହିଁଙ୍କ ବ୍ୟତୀତ ଗିଲ୍, ଶ୍ରେୟସ ଆୟର, କେଏଲ୍ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ମଧ୍ୟ ଭଲ ପ୍ରଦର୍ଶନ ଆଶା କରାଯାଉଛି । ବୋଲିଂ ଡିପାର୍ଟମେଣ୍ଟଠାରୁ ବି ଭଲ ପ୍ରଦର୍ଶନ ଆଶା କରାଯାଉଛି । ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଆହ୍ୱାନପୂର୍ଣ୍ଣ ରହିଥାଏ । ଆଇସିସି ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟର ରେକର୍ଡ ୧୦-୬ ରହିଛି । ନ୍ୟୁଜିଲାଣ୍ଡ ଆଇସିସି ନକଆଉଟ୍ ପର୍ଯ୍ୟାୟରେ ଭାରତ ବିପକ୍ଷରେ ଚାରି ମ୍ୟାଚ୍‌ରୁ ୩ରେ ବିଜୟୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.