News7 Logo

AIକୁ ନେଇ ନୀତି ଆୟୋଗଙ୍କ ରିପୋର୍ଟ, ଚାକିରୀ ଯିବ ନାହିଁ ବରଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

NEWS7
AI

ନୂଆଦିଲ୍ଲୀ ୧୫।୯: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ସାରା ବିଶ୍ୱରେ ଏବେ ଆତଙ୍କ ଦେଖା ଦେଇଛି। ଲୋକେ ଭାବୁଛନ୍ତି ଏହି ନୂଆ ଟେକ୍ନୋଲଜି ସେମାନଙ୍କ ଚାକିରୀ ଛଡେଇ ନେବ ଓ ସବୁ ମେସିନ କରିବ । ଏହି ଭୟ ମଧ୍ୟରେ ଭାରତ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ଏକ ଏପରି ରିପୋର୍ଟ ଉପସ୍ଥାପନ କରିଛନ୍ତି ଯାହା ନା କେବଳ ଡରକୁ ସମାପ୍ତ କରୁଛି ବରଂ ଭାରତ ପାଇଁ ଏକ ସ୍ୱର୍ଣ୍ଣିମ ଅବସର ବୋଲି କହିଛି।

ନୀତି ଆୟୋଗ ତାଙ୍କ ତାଜା ରିପୋର୍ଟରେ କହିଛନ୍ତି ଯେ ଏଆଇ ଭାରତ ନିମନ୍ତେ ବିପଦ ନୁହେଁ, ବରଂ ଏକ ବହୁତ ବଡ଼ ସୁଯୋଗ। ଯଦି ଭାରତ ଏହି ଟେକ୍ନୋଲଜିକୁ ଠିକ ରୂପେ ଆପଣାଏ ତେବେ ଏହା ଦେଶର ଅର୍ଥବ୍ୟବସ୍ଥାରେ ଆହୁରି ୫୦୦ରୁ ୬୦୦ ବିଲିୟନ ଡଲାର (ପାଖାପାଖି ୪୦ରୁ ୫୦ଲକ୍ଷ କୋଟି ଟଙ୍କା) ଯୋଡି ପାରିବ। ରିପୋର୍ଟରେ ଚାକିରୀରେ ଏଆଇକୁ ନେଇ ଥିବା ସବୁଠୁ ବଡ଼ ଚିନ୍ତାକୁ ମଧ୍ୟ ଦୂର କରିଛି। ଆୟୋଗ କହିଛନ୍ତି ଏଆଇ କାରଣରୁ ହୁଏକ କିଛି ପାରମ୍ପରିକ ପଦପଦବୀ ହ୍ରାସ ହୋଇ ପାରେ, ହେଲେ ଏହାଠୁ ଅନେକଗୁଣା ଅଧିକ ନୂଆ ପ୍ରକାରର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ନୀତି ଆୟୋଗ କହିଛନ୍ତି ଯେ ଏହା ବିଚାର କରିବାର କଥା ଏଆଇ ସିଷ୍ଟମ ତିଆରିବାକୁ, ଏହାକୁ ଚଲେଇବାକୁ, ଦେଖରେଖ କରିବାକୁ, ଏଥିରେ ସୁଧାର କରିବାକୁ କେତେ ଏଆଇ ଡେଭଲପର, ଡାଟା ସାଇଣ୍ଟିଷ୍ଟ, ଏଆଇ ଏଥିକ୍ସ ସ୍ପେଶିଆଲିଷ୍ଟ ଓ ଏଆଇ ମେସିନ ଲର୍ଣ୍ଣିଂ ଇଞ୍ଜିନିୟରଙ୍କ ଆବଶ୍ୟକତା ପଡିବ। ଏହି ଟେକ୍ନୋଲଜି ନିଯୁକ୍ତି ସମାପ୍ତ କରିବନି ବରଂ କାମ କରିବାର ଶୈଳୀକୁ ଦଦଳେଇ ଦେବ ଓ ଆମ ଲାଗି ନୂଆ ନୂଆ ରାସ୍ତା ଖୋଲିବ।

ରିପୋର୍ଟ ଅନୁସାରେ ଏଆଇ କେବଳ ଆଇଟି ସେକ୍ଟର ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଏହା ସବୁ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ କ୍ଷମତା ରଖୁଛି। ଏଆଇ ସହାୟତାରେ ଚାଷୀ ପାଣି ପାଗର ସଠିକ ପୂର୍ବାନୁମାନ କରି ପାରିବେ। ଏହା ଦ୍ୱାରା ଲକ୍ଷଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ।  ସେହିପରି ପିଲାଙ୍କୁ ଆବଶ୍ୟକତା ଅନୁସାରେ ପଢାଇବାରେ ଏଆଇ ସହାୟତା କରିବ। ଫଳରେ ଦେଶରେ ଶିଖିବାର ପ୍ରକ୍ରିୟା ଆହୁରି ଉନ୍ନତ ହେବ।

ସ୍ପଷ୍ଟ ଶବ୍ଦରେ କହିବାକୁ ଗଲେ ନୀତି ଆୟୋଗଙ୍କ ଏହି ରିପୋର୍ଟ ଭାରତକୁ ଏକ ରୋଡ ମ୍ୟାପ୍ ଦେଉଛି। ଏହା କହୁଛି ଆମେ ଏଆଇକୁ ଡରିବା ବଦଳେ ଏହାକୁ ଶିଖିବାକୁ ଓ ଆପଣେଇବାକୁ ଧ୍ୟାନ ଦେବା ଦରକାର। ଏହା ଦ୍ୱାରା ଭାରତ ସବୁଠୁ ବଡ଼ ଆର୍ଥିକ ଶକ୍ତି ମଧ୍ୟରେ ଏକ ହୋଇ ପାରିବ। ଏବେ ଆବଶ୍ୟକ ହେଉଛି ସରକାର ଓ ଯୁବବର୍ଗ ମିଳିତ ଏହି ସୁବିଧାର ଲାଭ ନିଅନ୍ତୁ।