ବିଜୟ ହଜାରେ ଟ୍ରଫିରେ ବିହାରର ମହାରେକର୍ଡ, କଲା ୫୭୪ ରନ; ବୈଭବଙ୍କ ବିଧ୍ଵଂସୀ ଶତକ

NEWS7
new-twist-in-saifs-stabbing-case

ରାଞ୍ଚି: ବିଜୟ ହଜାରେ ଟ୍ରଫି ବିହାର କ୍ରିକେଟ୍ ଦଳ ଏମିତି ଇତିହାସ ରଚିଛି ଯାହା ପୂର୍ବେ କେବେ ହୋଇ ନ ଥିଲା। ବିଜୟ ହଜାରେ ଟ୍ରଫି ୨୦୨୫-୨୬ର ପ୍ରଥମ ମ୍ୟାଚରେ ବିହାର ବ୍ୟାଟରଙ୍କ କରିସ୍ମା ଦେଖିବାକୁ ମିଳିଛି। ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଖେଳିଛନ୍ତି ବିଧ୍ଵଂସୀ ଇନିଂସ। ବିହାର ବିଜୟ ହଜାରେ ଟ୍ରଫିର ପ୍ଲେଟ ଗ୍ରୁପ ମ୍ୟାଚରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚରେ ବିହାର ୫ ଦଶନ୍ଧିର ଲିଷ୍ଟ ଏ କ୍ରିକେଟ୍ ଇତିହାସରେ ସବୁଠୁ ବଡ ସ୍କୋର କରିଛି। ଦଳ ଅରୁଣାଚଳ ପ୍ରଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍ ହରାଇ ୫୭୪ ରନ କରିଛି । ଏହି ଇନିଂସରେ ତିନି ଜଣ ବ୍ୟାଟର ଶତକ ହାସଲ କରିଛନ୍ତି ।

ଲିଷ୍ଟ ଏ କ୍ରିକେଟରେ ପ୍ରଥମ ଥର କୌଣସି ଦଳ ୫୫୦ରୁ ଉର୍ଦ୍ଧ୍ଵ ରନ କରିଛନ୍ତି। ଲିଷ୍ଟ ଏ କ୍ରିକେଟରେ ଦ୍ୱିତୀୟ ଥର କୌଣସି ଦଳ ୫୦୦ରୁ ଅଧିକ ରନ କରିଛନ୍ତି । ସବୁଠୁ ବଡ଼ କଥା ଉଭୟ ଥର ଏହି ବିଶାଳ ସ୍କୋର ଅରୁଣାଚଳ ପ୍ରଦେଶ ବିପକ୍ଷରେ ହୋଇଛି । ତାମିଲନାଡୁ ୨୦୨୨ରେ ଅରୁଣାଚଳ ବିପକ୍ଷରେ ୫୦୫ ରନ କରିଥିଲା । କିନ୍ତୁ ଆଜିର ମ୍ୟାଚରେ ବିହାର ସମାନ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୫୭୪ ରନ କରିଛି । ଏହି ମୁକାବିଲାରେ ବିହାର ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୧୯୦ ରନର ଧମାକାଦାର ଇନିଂସ ଖେଳିଛନ୍ତି । ଅଧିନାୟକ ସକିବୁଲ ଗନି ଓ ୱିକେଟକିପର ଆୟୁଷ ମଧ୍ୟ ଶତକ ଅର୍ଜନ କରିଛନ୍ତି।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବିହାର। ୪୩ ବଲରେ ୩୩ ରନ କରି ଆଉଟ୍ ହୋଇଥିଲେ ମଙ୍ଗଲ ମନୋହର । ସେହି ସମୟରେ ଦଳର ସ୍କୋର ଥିଲା ୧୫୮ ରନ । ଆଉ ସେତେବେଳକୁ ବୈଭବ ସୂର୍ଯ୍ୟବଂଶୀ ନିଜର ଶତକ ପୂରଣ କରି ସାରିଥିଲେ । ବୈଭବ ୮୪ ବଲରେ ୧୬ ଚୌକା ଓ ୧୫ ଛକା ସହ ୧୯୦ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି । ନମ୍ବର ୩ରେ ବ୍ୟାଟିଂ କରିଥିବା ପୀୟୂଷ ସିଂ ବିସ୍ପୋରକ ବ୍ୟାଟିଂ କରି ୬୬ ବଲରେ ୭ ଚୌକା ଓ ୨ ଛକା ସହ ୭୭ ରନ କରିଥିଲେ। ଓ୍ଵିକେଟ୍ କିପର ଆୟୁଷ ଲୋହାରୁକ ୫୬ ବଲରୁ ୧୧୬ ରନର ଶତକୀୟ ଇନିଂସ ଖେଳିଛନ୍ତି । ଏହି ଇନିଂସରେ ତୃତୀୟ ଶତକ ଅଧିନାୟକ ସକିବୁଲ ଗନି ହାସଲ କରିଛନ୍ତି । ସେ ୪୦ ବଲରୁ ୧୦ ଚୌକା ଓ ୧୨ ଛକା ସହ ୧୨୮ ରନର ଧୁଆଁଧାର ଇନିଂସ ଖେଳିଥିଲେ ।

ଲିଷ୍ଟ ଏରେ ସବୁଠୁ ଦ୍ରୁତତମ ଶତକ

ବିହାରର ଅଧିନାୟକ ସକିବୁଲ ଗନି ଲିଷ୍ଟ ଏ କ୍ରିକେଟ ଅର୍ଥାତ ବିଜୟ ହଜାରେ ଟ୍ରଫିରେ ଭାରତ ପକ୍ଷରୁ ଦ୍ରୁତତମ ଶତକ ହାସଲ କରିଛନ୍ତି । ସେ ୩୨ ବଲରେ ଶତକ ପୂରଣ କରିଛନ୍ତି । ଏହା ପୂର୍ବରୁ ଅନମୋଲପ୍ରୀତ ସିଂ ୩୫ ବଲରେ ଶତକ ହାସଲ କରିଥିଲେ । ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ସେ ୩୬ ବଲରେ ନିଜର ଶତକ ହାସଲ କରିଥିଲେ ।