ନୂଆଦିଲ୍ଲୀ ୩।୧୦: ଋତୁ ବଦଳିବା ସହ ନିଶ୍ୱାସପ୍ରଶ୍ୱାସ ସମ୍ପର୍କିତ ରୋଗ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ କୋଭିଡ-୧୯ର ଏକ ନୂଆ ତଥା ଅତ୍ୟଧିକ ସଂକ୍ରାମକ ପ୍ରକାର ସଂକ୍ରମଣ କରିବାରେ ଲାଗିଛି। ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (ସିଡିସି) ଅନୁସାରେ ଆମେରିକାର ୧୯ ରାଜ୍ୟରେ କୋଭିଡର ଏହି ନୂଆ ଷ୍ଟ୍ରେନ ସଂକ୍ରମଣ କରୁଥିବାର ଦେଖାଯାଇଛି।

ଏଥିରେ ନେଭେଡା, ୟୁଟା, କନେକ୍ଟିକଟ ଓ ଡେଲାୱେରରେ ଏହି ଭୂତାଣୁ ସଂକ୍ରମଣ ସ୍ତର ସବୁଠୁ ଅଧିକ ରହିଛି। ଇଂଲଣ୍ଡରେ ମଧ୍ୟ ଏହି ମାମଲା ବଢୁଥିବା ଜଣାପଡିଛି। ବ୍ରିଟିଶ ଗଣମାଧ୍ୟମ ଅନୁସାରେ ଷ୍ଟ୍ରେଟସ୍ ଭାରିଆଣ୍ଟ ଯାହାକୁ ଏନବି ୧.୮.୧ ନିମ୍ବସ ବୋଲି କୁହାଯାଉଛି ଏବେ ବ୍ରିଟେନରେ ସାଧାରଣ ଭାରିଆଣ୍ଟରେ ପରିଣତ ହୋଇଛି। ନୂଆ ମାମଲା ଭୀଷଣ ସଂକ୍ରମଣ ହେଉଥିଲେ ମଧ୍ୟ ବିଶେଷଜ୍ଞ ଏଥି ପାଇଁ ବିଶେଷ ଚିନ୍ତିତ ନୁହନ୍ତି। ସେମାନଙ୍କ କହିବା କଥା ହେଉଛି ଭାଇରସ ଉତପରିବର୍ତ୍ତନ କରିବା ଓ ବଦଳିବା ଏକ ସାଧାରଣ କଥା।

ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସୀ (ୟୁକେଏଚଏସଏ) କନସଲ୍ଟାଣ୍ଟ ଇପିଡେମିଓଲଜିଷ୍ଟ ଡ.ଏଲେକ୍ସ ଏଲନ କହିଛନ୍ତି ଯେ ପୁରା ଇଂଲଣ୍ଡରେ କରୋନା ଭାଇରସ ମାମଲାରେ ୭.୬% ବୃଦ୍ଧି ରେକର୍ଡ କରାଯାଇଛି। ତେବେ ଏଥିରୁ କେତେ ମାମଲା ଏକ୍ସଏଫଜି ଭାରିଆଣ୍ଟ ସମ୍ପର୍କିତ ତା ସ୍ପଷ୍ଟ ରୂପେ କୁହାଯାଇ ପାରିବନି। ସଂକ୍ରମଣ ହେଉଥିବା ଷ୍ଟ୍ରେଟସର ଦୁଇଟି ମୁଖ୍ୟ ଭାରିଆଣ୍ଟ ଅଛି। ଏଥିରୁ ଗୋଟିଏ ଏକ୍ସଏଫଜି ହୋଇଥିବା ବେଳେ ଅନ୍ୟଟି ଏକ୍ସଏଫଜି.୩। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ୍ସଏଫଜିକୁ ନଜରରେ ରଖାଯାଇଥିବା ଭାରିଆଣ୍ଟ ଘୋଷଣା କରିଛନ୍ତି।

ଦୁଇଟି ଓମିକ୍ରନ ଉପପ୍ରଜାତିର ମିଶ୍ରଣ ଏକ୍ସଏଫଜିକୁ ପ୍ରଥମ ଥର ଜାନୁୟାରୀ ୨୦୨୫ରେ ଦକ୍ଷିଣ-ପୂର୍ବ ଏସିୟାରେ ଠାବ କରାଯାଇଥିଲା। ଏହା ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଆମେରିକାରେ ପ୍ରଚୁର ସଂକ୍ରମଣ କରିଥିଲା। ତେବେ ଏକ୍ସଏଫଜି ଓମିକ୍ରନ ତୁଳନାରେ ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ ଗୁରୁତର ରୋଗର କାରଣ ହେଉନଥିବା ଦେଖା ଯାଇଛି। ଏହା ସଂକ୍ରମିତ ହେଲେ  କିଛି ସାଧାରଣ ଲକ୍ଷଣ ଯେପରି ଗଳା ଖସଖସ ଲାଗିବା, କାଶ , ନାକଚୁଣ୍ଟା, ନାକରୁ କଞ୍ଚାପାଣି ବୋହିବା, ଜ୍ୱର ଓ ଥଣ୍ଡା ଅନୁଭବ କରିବା ଆଦି। ସେହିପରି ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଥକ୍କା ଲାଗିବା, ମୁଣ୍ଡବିନ୍ଧା, ମାଂସପେସି ଯନ୍ତ୍ରଣା, ବାନ୍ତି ଲାଗିବା ଆଦି ଲକ୍ଷଣ ମଧ୍ୟ ଦେଖାଯାଇ ପାରେ।