ମୁମ୍ବାଇ ୨୧।୧: ମହାରାଷ୍ଟ୍ରର ବମ୍ବେ ହାଇକୋର୍ଟକୁ ନୂଆ ମୁଖ୍ୟ ବିଚାରପତି ମିଳିଛନ୍ତି। ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ମଙ୍ଗଳବାର ରାଜଭବନରେ ଜଷ୍ଟିସ୍ ଆଲୋକ ଅରାଧେଙ୍କୁ ବମ୍ବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ରୂପେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ କଲେଜିୟମ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟଙ୍କ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଆଲୋକ ଅରାଧେଙ୍କୁ ବମ୍ବେ ହାଇକୋର୍ଟ ଟ୍ରାନ୍ସଫର କରିବାକୁ ସୁପାରିଶ କରିଥିଲେ। ସେହି ଅନୁସାରେ ଜଷ୍ଟିସ୍ ଅରାଧେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।
ଜଷ୍ଟିସ୍ ଆଲୋକ ଅରାଧେ ଡିସେମ୍ବର ୨୦୦୯ ମସିହାରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ୨୦୧୧ ମସିହାରେ ସେ ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ। ପରେ ତାଙ୍କୁ ୨୩ ଜୁଲାଇ ୨୦୨୩ରେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା। ଏବେ ତାଙ୍କୁ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ କରାଯାଇଛି। ମୁଖ୍ୟ ବିଚାରପତିଙ୍କ ଶପଥଗ୍ରହଣ ଉତ୍ସବରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପସ୍ଥିତ ଥିଲେ।
ଏ ନେଇ ରାଜଭବନ ପକ୍ଷରୁ ଜାରି ବୟାନରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଶପଥଗ୍ରହଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହ ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର, ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଲ ପ୍ରଭାତ ଲୋଢା, ବମ୍ବେ ଉଚ୍ଚନ୍ୟାୟାଳୟଙ୍କ ନ୍ୟାୟାଧୀଶମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଦ୍ୱୟ ଓ ମୁଖ୍ୟ ଶାସନ ସଚିବ ସୁଜାତା ସୌନିକ ମୁଖ୍ୟ ନ୍ୟାୟାଧୀଶଙ୍କୁ ତାଙ୍କ ନିଯୁକ୍ତିରେ ଶୁଭେଚ୍ଛା ଜଣାଇଛନ୍ତି।