ଡ୍ୟୁଟିରେ ଯୋଗ ଦେଲେ ଡା.ନୂସରତ ପରଭିନ, ହିଜାବ ବିବାଦରୁ ଆସିଥିଲେ ଚର୍ଚ୍ଚାକୁ

NEWS7
netherlands-are-the-final-semi-finalists-in-the-fih

ପାଟନା ୭।୧: ହିଜାବ ପ୍ରକରଣ ପରେ ବିହାରରେ ଚର୍ଚ୍ଚାକୁ ଆସିଥିବା ଆୟୁଷ ଡାକ୍ତର ନୂସରତ ପରଭିନ ତାଙ୍କ ଡ୍ୟୁଟିରେ ଯୋଗଦାନ କରିଛନ୍ତି। ସୂଚନା ଅନୁସାରେ ସେ ପାଟନା ସଦର ହସ୍ପିଟାଲରେ ୭ ଜାନୁୟାରୀ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଡିସେମ୍ବର ୧୫ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ତାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୂସରତଙ୍କ ମୁହଁରୁ ହିଜାବ ତଳକୁ କରି ଦେଇଥିଲେ। ଯେତେବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ଏହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହି ଘଟଣା ପରେ ଚର୍ଚ୍ଚା ହୋଇଥିଲା ଯେ ନୂସରତ ପରଭିନ ବିହାର ସରକାରଙ୍କ ଏହି ନିଯୁକ୍ତିକୁ ସ୍ୱୀକାର କରିବେନି। ତାଙ୍କର ଜଏନିଂ ତାରିଖକୁ ବି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ ଥର ଆଗକୁ ବଢା ଯାଇଥିଲା। ୭ ଜାନୁୟାରୀ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ ତାଙ୍କର ଶେଷ ଦିନ ଥିଲା। ଯଦି ବୁଧବାର ସେ ଡ୍ୟୁଟିରେ ଯୋଗ ନ ଦେଇଥାନ୍ତେ ତେବେ ତାଙ୍କର ନିଯୁକ୍ତି ରଦ୍ଦ ହୋଇଥାନ୍ତା। ତେବେ କାର୍ଯ୍ୟରେ ଯୋଗ ଦେବାକୁ ଡା.ନୂସରତ ପରଭିନ ମଧ୍ୟାହ୍ନରେ ପାଟନା ସଦର ହସ୍ପିଟାଲକୁ ଆସିଥିଲେ ଓ ଜରୁରି କାଗଜପତ୍ର ଜମା କରି ଡ୍ୟୁଟିରେ ଯୋଗ ଦେଇଛନ୍ତି।

ଗତ ଡିସେମ୍ବର ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତରମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂସରତଙ୍କ ହିଜାବ ଟାଣି ଦେଇଥିଲେ। ଏହାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାକୁ ଧାର୍ମିକ ରଙ୍ଗ ଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା। ଗୋଟିଏ ପଟେ ବିରୋଧୀ ଦଳ ଏହାକୁ ପ୍ରସଙ୍ଗ କରିନେଇଥିବା ବେଳେ ଏନଡିଏ ଏହାକୁ ଟାଳି ଚାଲିଥିଲା। ଏପରିକି ପାକିସ୍ତାନର ଏକ ଗ୍ୟାଙ୍ଗଷ୍ଟ ଫୋନ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଧମକ ଦେଇଥିଲା।

ଏହି ହିଜାବ ବିବାଦରେ ଝାଡଖଣ୍ଡ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଇରଫାନ ଅଂସାରୀ ମଧ୍ୟ ବଡ଼ ବୟାନ ଦେଇଥିଲେ। ସେ ନୂସରତଙ୍କୁ ଝାଡଖଣ୍ଡରେ ଚାକିରୀ ଦେବା କଥା କହିଥିଲେ। ସେ ଏହା ବି କହିଥିଲେ ଯେ ଯଦି ଡା.ନୂସରତ ଝାଡଖଣ୍ଡରେ ତାଙ୍କ ସେବା ଦିଅନ୍ତି ତେବେ ତାଙ୍କୁ ମାସିକ ୩ଲକ୍ଷ ଟଙ୍କା ବେତନ ଦିଆଯିବ। କେବଳ ଏତିକି ନୁହେଁ ତାଙ୍କ ଇଛା ମୁତାବକ ସ୍ଥାନରେ ଚାକିରୀ ଓ ରହିବାକୁ ସରକାରୀ କ୍ୱାର୍ଟର ମଧ୍ୟ ଦେବାକୁ ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେବେ ମଞ୍ଚରେ ଡା. ନୂସରତଙ୍କ ମୁହଁରୁ ହିଜାବ ଟାଣି ଦେଇଥିଲେ ସେତେବେଳେ ତ ସେ ନିଯୁକ୍ତିପତ୍ର ଗ୍ରହଣ କରିନେଇଥିଲେ ହେଲେ ପରେ ଖବର ଆସିଥିଲା ଯେ ସେ ଚାକିରୀରେ ଯୋଗ ଦେବେନି। ଡା. ନୂସରତ ପରଭିନଙ୍କ ପରିବାର ଲୋକେ କହିଥିଲେ ଯେ ଏହି ଘଟଣାରେ ନୂସରତ ମାନସିକ ରୂପେ ଆଘାତ ପାଇଛନ୍ତି ଓ ସେ ଚାକିରୀ କରିବେନି। ଏହା ପରେ ଖବର ଆସିଥିଲା ଯେ ନୂସରତ ତାଙ୍କ ଭାଇଙ୍କ ପାଖକୁ କୋଲକାତା ଚାଲି ଯାଇଛନ୍ତି।

ଡା. ନୂସରତ ନିଯୁକ୍ତିପତ୍ର ନେବା ପରେ ୨୦ ଦିନ ପର୍ଯ୍ୟନ୍ତ ଚାକିରୀରେ ଯୋଗଦାନ କରିନଥିଲେ। ତେବେ କିଛି ଦିନ ପୂର୍ବେ ତାଙ୍କ ସାଥୀ ଡାକ୍ତର କହିଥିଲେ ଯେ ସେ ଖୁବ୍ ଶୀଘ୍ର ପାଟନା ସଦର ହସ୍ପିଟାଲରେ ଯୋଗ ଦେବେ। ତାଙ୍କ ସହ ନିଯୁକ୍ତି ପତ୍ର ପାଇଥିବା ୬୩ ଜଣ ଆୟୁଷ ଡାକ୍ତର ନିଜନିଜ ପୋଷ୍ଟିଂ ସ୍ଥାନରେ ଯୋଗ ଦେଇ ସାରିଥିଲେ। ନୂସରତ ପରବିନଙ୍କ ଡ୍ୟୁଟିରେ ଯୋଗ ଦେବାର ଶେଷ ତାରିଖ ଡିସେମ୍ବର ୨୦ ଥିଲା। ପରେ ଏହାକୁ ବଢାଇ ଡିସେମ୍ବର ୩୧ ତାରିଖ କରାଯାଇଥିଲା। ଏହି ତାରିଖକୁ ପୁଣି ବଦଳା ଯାଇଥିଲା ଓ ୭ ଜାନୁୟାରୀକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା।