ନୂଆଦିଲ୍ଲୀ ୧୬।୮: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ବିଭାଜନ ବିଭିଷିକା ସ୍ମୃତି ଦିବସ ଅବସରରେ ବିଶେଷ ମଡ୍ୟୁଲ ଜାରି କରିଛି। ଛାତ୍ରଛାତ୍ରୀଙ୍କୁ ଭାରତ-ପାକିସ୍ତାନ ବିଭାଜନର ଇତିହାସକୁ ଭଲ ରୂପେ ବୁଝିବା ପାଇଁ ଏନସିଇଆରଟିର ଏହି ମଡ୍ୟୁଲ ସହାୟକ ହେବ। ଏହି ମଡ୍ୟୁଲରେ ବିଭାଜନ ଲାଗି ମହମ୍ମଦ ଅଲୀ ଜିନ୍ନା, କଂଗ୍ରେସ ଓ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଦାୟୀ କରାଯାଇଛି।
ଏହି ମଡ୍ୟୁଲର ଶୀର୍ଷକ ରହିଛି ‘ବିଭାଜନର ଅପରାଧୀ’ ଓ ଏହାକୁ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଲାଗି ଅଲଗା ଅଲଗା ତିଆରି କରାଯାଇଛି। ତେବେ ଏହା କୌଣସି ଶ୍ରେଣୀରେ ପାଠ୍ୟ ପୁସ୍ତକର ଅଂଶବିଶେଷ ହେବ ନାହିଁ ବରଂ ଏହା ଏକ ସପ୍ଲିମେଣ୍ଟାରୀ ଏଜୁକେସନାଲ ମେଟେରିଆଲ ଭାବେ ଉପସ୍ଥାପନ କରାଯାଇଛି। ଯାହାକୁ ପୋଷ୍ଟର, ଡିବେଟ୍ ଓ ଚର୍ଚ୍ଚା ମାଧ୍ୟମରେ ପିଲାଙ୍କୁ ଶିଖା ଯିବ।
ଏନସିଇଆରଟି ଦ୍ୱାରା ଜାରି ମଡ୍ୟୁଲରେ ଭାରତ-ପାକ୍ ବିଭାଜନ ଲାଗି ୩ ମୁଖ୍ୟ ବ୍ୟକ୍ତିଙ୍କୁ ଦାୟି କରାଯାଇଛି। ସେମାନେ ହେଲେ ମହମ୍ମଦ ଅଲୀ ଜିନ୍ନା, କଂଗ୍ରେସ ଓ ଲର୍ଡ ମାଉଣ୍ଟ ବ୍ୟାଟେନ। ମଡ୍ୟୁଲ ଅନୁସାରେ ଜିନ୍ନା ବିଭାଜନ ଦାବି କରିଥିଲେ କଂଗ୍ରେସ ଏହାକୁ ସ୍ୱୀକାର କରିଥିଲା ଓ ମାଉଣ୍ଟ ବ୍ୟାଟେନ ଏହାକୁ ଲାଗୁ କରିଥିଲେ। ଏହା ସହିତ ଏଥିରେ ପଣ୍ଡିତ ଜବାହାରଲାଲ ନେହେହରୁଙ୍କ ଜୁଲାଇ ୧୯୪୭ରେ ଦିଆଯାଇଥିବା ଏକ ଐତିହାସିକ ଭାଷଣ ମଧ୍ୟ ସାମିଲ କରାଯାଇଛି।
ଭାଷଣରେ ଜବାହାରଲାଲ ନେହେରୁ କହିଛନ୍ତି ‘ବିଭାଜନ ଖରାପ, କିନ୍ତୁ ଏକତାର ମୂଲ୍ୟ ଯାହାବି ହେଉ, ଗୃହଯୁଦ୍ଧର ମୂଲ୍ୟ ଏହାଠୁ ଅନେକ ଅଧିକ ହେବ’। ଏହି ଉଦାହରଣ ସେ ସମୟର ରାଜନୈତିକ ଓ ସାମାଜିକ ସ୍ଥିତିକୁ ସ୍ପଷ୍ଟ ରୂପେ ଦର୍ଶାଉଛି ଯେତେବେଳେ ଭାରତ ନିଷ୍ପତ୍ତିର କଠିନ ମୋଡରେ ଛିଡା ହୋଇଥିଲା। ମଡ୍ୟୁଲରେ କୁହାଯାଇଛି ବିଭାଜନ ଯୋଗୁ ୬ଲକ୍ଷ ଲୋକେ ପ୍ରାଣ ହରାଇଥିଲେ ଓ ୧.୫ କୋଟି ଲୋକେ ବିସ୍ଥାପିତ ହୋଇଥିଲେ।
ପ୍ରାୟତଃ ଏହି ତଥ୍ୟ ସ୍କୁଲ କଲେଜ ପାଠ୍ୟପୁସ୍ତକରେ ସମ୍ପୂର୍ଣ୍ଣ ରୂପେ ସୂଚିତ କରାଯାଏନି। ଏହା ଛଡା ମଡ୍ୟୁଲରେ କୁହାଯାଇଛି ଯେ ବିଭାଜନ ଦେଶର ଏକତାକୁ ଖଣ୍ଡିତ କରିଛି। ଏଥିରେ ପଞ୍ଜାବ ଓ ବେଙ୍ଗଲର ଅର୍ଥ ବ୍ୟବସ୍ଥା ଧ୍ୱଂସ୍ତ ହୋଇଥିଲା ଓ ଜମ୍ମୁ-କାଶ୍ମୀରକୁ ଆର୍ଥିକ ଅସ୍ଥିରତାକୁ ଠେଲି ଦିଆଯାଇଥିଲା, ଯାହା ପରବର୍ତ୍ତି ସମୟରେ ଆତଙ୍କବାଦର କାରଣ ପାଲଟିଥିଲା। ଏନସିଇଆରଟି ଅନୁସାରେ ଏହି ମଡ୍ଯୁଲକୁ ଶିକ୍ଷା ପ୍ରକଳ୍ପ, ପୋଷ୍ଟର, ରୋଲ-ପ୍ଲେ, ନିବନ୍ଧ ଓ ସମୂହ ଚର୍ଚ୍ଚା ଭଳି ରଚନାତ୍ମକ ଉପାୟରେ ପଢାଯିବ। ଏହି ମଡ୍ୟୁଲ ଛାତ୍ରଛାତ୍ରୀଙ୍କୁ ନା କେବଳ ଇତିହାସର ସତ୍ୟତା ଜଣାଇବ ବରଂ ସେମାନଙ୍କ ବିଚାରଶୀଳତାକୁ ଦିଗଦର୍ଶନ ମଧ୍ୟ କରିବ।