ଇସଲାମାବାଦ : ବାରମ୍ୱାର ମିଛ କହୁଥିବା ପାକିସ୍ତାନର ପର୍ଦ୍ଦାଫାସ ହୋଇଛି। ଏହି କଥା ଆଉ କେହି ନୁହେଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କର ଜଣେ ଘନିଷ୍ଠ ସହଯୋଗୀ କରିଛନ୍ତି। ସେହି ବ୍ୟକ୍ତି ହେଉଛନ୍ତି ପାକିସ୍ତାନର ବରିଷ୍ଠ ସାମ୍ୱାଦିକ ନଜମ ସେଠୀ। ସେ ଏବେ ପାକିସ୍ତାନ ମିଛର ପୋଲ୍ ଖୋଲିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ, ଭାରତ ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବାୟୁସେନା ଆଡ୍ଡା ଓ ଆତଙ୍କୀ ସ୍ଥାନ ଉପରେ ମିସାଇଲ ଆକ୍ରମଣ କରିଥିଲା। ଏହି ବିବୃତ୍ତି ପାକିସ୍ତାନର ସେହି ଦାବିକୁ ଶକ୍ତ ଧକ୍କା ଦେଇଛି, ଯେଉଁଥିରେ ସେ ଭାରତୀୟ ଆକ୍ରମଣର ପ୍ରଭାବକୁ କମ୍ ଆକଳନ କରିବାକୁ ଚେଷ୍ଟା କରିଥିଲା। ନଜମ ସେଠୀଙ୍କ ଏହି ବିବୃତ୍ତି ପାକିସ୍ତାନରେ ହଇଚଇ ସୃଷ୍ଟି କରି ଦେଇଛି ଏବଂ ଏହାକୁ ଭାରତର ସାମରିକ ଶକ୍ତିର ଏକ ବଡ଼ ପ୍ରମାଣ ଭାବେ ମନେକରାଯାଉଛି।
ବରିଷ୍ଠ ରାଜନୈତିକ ବିଶ୍ଳେଷକ ତଥା ପଞ୍ଜାବ ପ୍ରଦେଶର ପୂର୍ବତନ କାମଚଳା ମୁଖ୍ୟମନ୍ତ୍ରୀ ନଜମ ସେଠୀ ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲ ସମା ଟିଭିକୁ କହିଛନ୍ତି ଯେ, ଭାରତ ଚଳିତ ଥର ନିଜର ମିସାଇଲ ଟେକନିକ୍ ଓ ସଠିକତାର ପ୍ରଦର୍ଶନ କରି ପାକିସ୍ତାନର ଏୟାରବେସ୍ ଗୁଡ଼ିକୁ ସିଧା ଟାର୍ଗେଟ୍ କରିଥିଲା। ସେ କହିଥିଲେ, ଭାରତ ଦେଖାଇ ଦେଇଛି ଯେ, ତାର ମିସାଇଲକୁ ଆକାଶରୁ ଛଡ଼ା ଯାଉ କି ସ୍ଥଳ ଭାଗରୁ , ସେ ସଠିକ୍ ଉପାୟରେ ନିଜର ଲକ୍ଷ୍ୟକୁ ଭେଦ କରି ପାରେ। ଯଦି ସେ ଏବେ ବି ଆମର ଏୟାରବେସକୁ ଟାର୍ଗେଟ୍ କରେ , ଯେଉଁଠି ବିମାନ ଠିଆ ହୋଇଛି, ତ ଖୁବ୍ ଭୟଙ୍କର କ୍ଷତି ହୋଇପାରେ।
ସୂଚନା ଆଧାରରେ, ୯ରୁ ୧୦ମେ ମଧ୍ୟରେ ଚାଲିଥିବା ଭାରତର ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନର ଖୁବ୍ କ୍ଷତି ହୋଇଛି। ଅନେକ ଏୟାରବେସ୍ ନଷ୍ଟ ହୋଇଛି ଏବଂ ଆତଙ୍କୀଙ୍କ ସ୍ଥାନ ମଧ୍ୟ ଧ୍ୱଂସ କରି ଦେଇଛି। ହେଲେ ପାକିସ୍ତାନ ସରକାର ବାରମ୍ୱାର ଏହି ଦାବି କରି ଚାଲିଛନ୍ତି ଯେ, ତାଙ୍କର କୌଣସି ବଡ଼ କ୍ଷତି ହୋଇ ନାହିଁ। ନିକଟରେ ଭାରତୀୟ ବାୟୁସେନା ମୁଖ୍ୟ କହିଥିଲେ ଯେ, ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଅତି କମ୍ରେ ୬ଟି ଫାଇଟର ଜେଟ୍କୁ ମାରି ଖସାଇ ଦେଇଥିଲେ।
ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ନିକଟରେ ଦାବି କରିଥିଲେ ଯେ, ଭାରତର କୌଣସି ବି ମିସାଇଲ କୌଣସି ବଡ଼ ସାମରିକ ସ୍ଥାନ ଉପରେ ପଡ଼ି ନାହିଁ। ଅନ୍ୟପଟେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ବେଲଜିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏମିତି ବି କହି ଦେଇଥିଲେ ଯେ,ଭାରତକୁ ଅସ୍ତ୍ର ବିରତି ପାଇଁ ‘ଅନୁରୋଧ ’ କରିବାକୁ ପଡ଼ିଥିଲା ଏବଂ ଏଥିରେ ତୁରନ୍ତ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟସ୍ଥତା କରିଥିଲେ। ହେଲେ ପାକିସ୍ତାନୀଙ୍କ ଦାବିର ବିପରୀତ ପୂରା ଦୁନିଆ ସାଟେଲାଇଟ୍ ଫଟୋ ଆଧାରର ଭାରତର ସଠିକ୍ ଆକ୍ରମଣର ପ୍ରମାଣକୁ ଦେଖି ସାରିଛି।
ଉଲ୍ଲେଖନୀୟ ଯେ, ଅପରେସନ ସିନ୍ଦୂର ବେଳେ ଭାରତ ଅନେକ ପାକିସ୍ତାନୀ ବାୟୁସେନା ଆଡ୍ଡା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ନୁର୍ଖାନ , ସରଗୋଧା , ବୋହଲାରୀ , ଜାକବାବାଦ , ସୁକ୍କୁର , ରହିମ ୟାର ଖାନ , ରଫିକି , ମୁରିଦ , ଚୁନିଆଁ ଓ ପାସରୁର ସାମିଲ ଅଛି। ମାକ୍ସାର ଟେକ୍ନୋଲଜିର ହାଇ-ରିଜୋଲ୍ୟୁସନ ସାଟେଲାଇଟ୍ ଫଟୋ ଗୁଡ଼ିକ ଏହି ଆକ୍ରମଣ ପରେ ହୋଇଥିବା କ୍ଷତିକୁ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିଛି। ଏହି ଫଟୋ ଗୁଡ଼ିକରେ ରନୱେରେ ବଡ଼ ବଡ଼ ଗର୍ତ୍ତ ,କ୍ଷତିଗ୍ରସ୍ତ ହ୍ୟାଙ୍ଗର ଓ ନଷ୍ଟ ହୋଇ ଯାଇଥିବା ସାମରିକ ଉପକରଣ ଦେଖାଯାଇ ଥିଲା।
ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ବେଙ୍ଗାଲୁରୁରେ ଏକ ବିବୃତ୍ତିରେ ଖୁଲାସା କରିଥିଲେ ଯେ, ଅପରେସନ ସିନ୍ଦୂର ବେଳେ ଛଅଟି ପାକିସ୍ତାନୀ ବିମାନ,ଯେଉଁଥିରେ ପାଞ୍ଚଟି ଫାଇଟର ଜେଟ୍ ଓ ଗୋଟିଏ ହାଇ ଭାଲ୍ୟୁ ସର୍ଭିଲାନ୍ସ ସାମିଲ ଥିଲା,ଯାହାକୁ ନଷ୍ଟ କରିଦିଆ ଯାଇଥିଲା।