ଭୁବନେଶ୍ବର ୧୫।୬: ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ଲାଗିବ ଏଆଇ କ୍ୟାମେରା । ରଥଯାତ୍ରା ନେଇ ପୋଲିସ ସୁରକ୍ଷା ଚୂଡ଼ାନ୍ତ ହୋଇଛି । ଏ ନେଇ ଭୁବନେଶ୍ବର ଡିଜିପି କ୍ୟାମ୍ପ୍ ଅଫିସ୍ରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ରଥଯାତ୍ରା ସୁରକ୍ଷା ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ବ୍ୟବସ୍ଥା ରହିବ । ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ହୋଇଛି । ଉତ୍ତରା ଛକରୁ ପୁରୀ, ପୁରୀ ସହର ଏବଂ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ସିସିଟିଭି ସର୍ଭେଲାନ୍ସରେ ରଖାଯିବ । ରଥଯାତ୍ରା ପାଇଁ ଆପ୍ କରାଯିବ । ଆପ୍ ଜରିଆରେ ପାର୍କିଂ, ବଡ଼ଦାଣ୍ଡକୁ ରାସ୍ତା, ଭିଡ଼ ବିଷୟରେ ସମସ୍ତ ତଥ୍ୟ ପାଇପାରିବେ ଭକ୍ତ ।
ସେହିଭଳି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆପ୍ କରାଯିବ । ଭିଡ ନିୟନ୍ତ୍ରଣ ଏବଂ ଦଳାଚକଟା ଅଘଟଣ ରୋକିବାକୁ ଏହି ଆପ୍ ସାହାଯ୍ୟ କରିବ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।
ସେପଟେ ରଥଯାତ୍ରା ସମୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ମକ୍ଡ୍ରିଲ ଓ କଡ଼ା ସୁରକ୍ଷା ବଳୟ ଭିତରେ କିପରି ପୁରୀକୁ ରଖାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ଅର୍ବାନ ଟରୋରିଜିମ୍ ମୁକାବିଲା ପାଇଁ ତାଲିମପ୍ରାପ୍ତ STU ମଧ୍ୟ ମୁତୟନ ହେବେ । ଏହାସହ ସ୍ୱତନ୍ତ୍ର ବୁଲେଟ୍ପ୍ରୁଫ୍ ରକ୍ଷକ ବାହନ ମଧ୍ୟ ସାମିଲ ହେବ । ତଟ ସୁରକ୍ଷାକୁ ନେଇ ମଧ୍ୟ ଶନିବାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ରଥଯାତ୍ରୀ ସମୟରେ ପୁରୀରେ ତଟ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ ।
ଡିଜି କ୍ୟାମ୍ପ୍ ଅଫିସ୍ରେ ବସିଥିବା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚେ, ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ପରିବହନ କମିଶନର ADG ଅମିତାଭ ଠାକୁର, ADG ଦୟାଲ ଗଙ୍ଗୱାର, SIW DIG କନଓ୍ବର ବିଶାଳ ସିଂହ, DIG STF ପିନାକ ମିଶ୍ର, ପୁରୀ ଏସ୍ପି ବୀନିତ୍ ଅଗ୍ରୱାଲଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।
You Can Read: