ଭୁବନେଶ୍ଵର: ବଢ଼ିଲା ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା। ଦିଲ୍ଲୀରେ ତୁଟିବ କି ଉପରାଷ୍ଟ୍ରପତି ନିର୍ବାଚନର ଅଡୁଆ ଗଣିତ। ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ ସେଠାରେ ସେନେଇ ଚୂଡାନ୍ତ ନିଷ୍ପତ୍ତି ନେବେ। ସେପଟେ ବିଜେପି ରାଜ୍ୟ ସଭାପତି ଗୋଟିଏ ଦିନ ବିରତି ପରେ ଶନିବାର ବିଳମ୍ବିତ ରାତିରେ ପୁଣି ଦିଲ୍ଲୀ ଯାଇଛନ୍ତି। କାଲି ମଧ୍ୟ ଦିଲ୍ଲୀ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ତେଣୁ ଏହା ଏକ ସଂଯୋଗ ନାଁ ରାଜ୍ୟ ରାଜନୀତିରେ କିଛି ଭିନ୍ନ ହେବାକୁ ଯାଉଛି ତାକୁ ନେଇ ଚର୍ଚ୍ଚା।

ବଢ଼ିଲା ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା।ଦିଲ୍ଲୀରେ ତୁଟିବ କି ଉପରାଷ୍ଟ୍ରପତି ନିର୍ବାଚନର ଅଡୁଆ ଗଣିତ।ଆଜିଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।ସେଠାରେ ସେ ଦଳର ୭ ଜଣ ସାଂସଦଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନେବେ।ଶନିବାର ନବୀନ ନିବାସରେ ପିଏସି କମିଟି ବସିଥିବା ବେଳେ ସମାଧାନର ରାସ୍ତା ବାହାରିନଥିଲା।ଫଳରେ ଏବେ ଦିଲ୍ଲୀରେ ଅଛିଣ୍ଡା ଅଙ୍କର କରାଯାଇପାରେ ସମାଧାନ।

ତେବେ ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ନୀତି ଆପାଣାଇପାରେ ବିଜେଡି

- ଏନଡ଼ିଏକୁ ସମର୍ଥନ କରିବ ବିଜେଡି ?

ନା ଏନଡ଼ିଏ ବିରୋଧରେ ୟୁପିଏକୁ ଦେବ ଭୋଟ ?

ସବୁଠାରୁ ବଡ଼ କଥା ହେଲା ୧୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଧାରାକୁ ଦେଖିଲେ ବିଜେଡି ଏନଡିଏ ସହ ରହିଆସିଛି। ହେଲେ ସେହି ଧାରା ବଜାୟ ରଖିଲେ ରାଜ୍ୟରେ ନକରାତ୍ମକ ପ୍ରଭାବ ପଡିବା ଅନୁମାନ କରୁଛନ୍ତି କିଛି ନେତା। ଏମିତି କି ୱାକଫ ବିଲ ସମୟରେ ଯେଉଁ ବିବେକାନୁମୋଦିତ ଭୋଟ କଥା ଉଠିଥିଲା, ତାକୁ ମଧ୍ୟ ଉପ ରାଷ୍ଟ୍ରପତି ନିର୍ବାଚନରେ ଏଡାଇ ଦିଆଯାଇ ନପାରେ।ସେପଟେ ନବୀନ ତାଙ୍କ ଆଭିମୁଖ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ସ୍ପଷ୍ଟ  କରିବା ଉଚିତ ବୋଲି କହିଛନ୍ତି ପିସିସି ସଭାପତି।

ସେପଟେ ବିଜେପି ରାଜ୍ୟ ସଭାପତି ଗୋଟିଏ ଦିନ ବିରତି ପରେ ଶନିବାର ବିଳମ୍ବିତ ରାତିରେ ପୁଣି ଦିଲ୍ଲୀ ଯାଇଛନ୍ତି। ଏହି ଗସ୍ତରେ ସେ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବା ସହ ଅଡୁଆ ସୂତାକୁ ମଧ୍ୟ ଫିଟାଇବାକୁ ଚେଷ୍ଟା କରିବେ।ଆସନ୍ତାକାଲି ମଧ୍ୟ ଦିଲ୍ଲୀ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେଡି ସୁପ୍ରିମୋଙ୍କ ୪ ଦିନିଆ ଗସ୍ତ ସମୟରେ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡକରା ହୋଇଛି। ତେବେ ଏହା ଏକ ସଂଯୋଗ ନାଁ ରାଜ୍ୟ ରାଜନୀତିରେ କିଛି ଭିନ୍ନ ହେବାକୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।