ଭାରତ ଉପର୍ ଟ୍ରମ୍ପଙ୍କ ୫୦% ଟାରିଫକୁ ନେଇ ଆସିଲା NATOର ପ୍ରତିକ୍ରିୟା, ଜାଣନ୍ତୁ କହିଛି କ’ଣ?

Published By : Prameya-News7 Bureau | August 27, 2025 IST

ନୂଆଦିଲ୍ଲୀ ୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ବସ୍ତୁ ଉପରେ ୫୦% ଟାରିଫ ଘୋଷଣା ପରେ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଙ୍ଗଠନ (ନାଟୋ) ପ୍ରତିକ୍ରିୟା ପ୍ରକାଶ କରିଛି। ନାଟୋ ପରାମର୍ଶଦାତା କ୍ରିଷ୍ଟୋଲ କୌଲ କହିଛନ୍ତି ଯେ ଏହି ଟାରିଫ ଯୁଦ୍ଧ ଭାରତ ଓ ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ନାଟୋର ଜନୈକ ପରାମର୍ଶଦାତା କହିଛନ୍ତି ଯେ ଟାରିଫ ଯୋଗୁ ଭାରତ-ଆମେରିକା ସମ୍ପର୍କ ବିଗିଡିଯିବ, ଯାହାକୁ ସଜାଡିବାକୁ ଦୀର୍ଘ ଦଶନ୍ଧୀ ଲାଗି ଯାଇଥିଲା। 

ଦ୍ୱିପାକ୍ଷୀୟ ବ୍ୟାପାରକୁ ଏକ ବଡ଼ ଝଟକା ଲାଗିଛି ଯେତେବେଳେ ଭାରତୀୟ ରପ୍ତାନୀ ଉପରେ ନୂଆ ଆମେରିକୀୟ ଟାରିଫ ଲାଗୁ ହୋଇଛି। ପ୍ରଥମେ ଏହି ଟାରିଫ ୨୫% ଥିଲା ଏହା ଉପରେ ଅତିରିକ୍ତ ୨୫% ଟାରିଫ ମଧ୍ୟ ବୁଧବାର ଲାଗୁ ହୋଇଯାଇଛି। ଏଣୁ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ଆମେରିକାରେ ୫୦% ଟାରିଫ ଲାଗୁ ହେଉଛି। ଆମେରିକା ହୋମଲ୍ୟାଣ୍ଡ ବିଭାଗ ଦ୍ୱାରା ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଏବେକା ୨୫% ଟାରିଫ ଉପରେ ଆଉ ୨୫% ଟାରିଫ ଲାଗୁ କରାଯାଇଛି। ଏହି ପଦକ୍ଷେପ ଏଥି ପାଇଁ ନିଆଯାଇଛି ଯେ ଭାରତ ନିରନ୍ତର ଋଷିଆରୁ ଅଶୋଧିତ ତୈଳ ଆମଦାନୀ କରୁଛି। 

ଆମେରିକାର ଏହି ପଦକ୍ଷେପ ଯୋଗୁ ଭାରତର ଶ୍ରମ ପ୍ରଧାନ ଉଦ୍ୟୋଗ ଓ ରପ୍ତାନୀ ଉପରେ ଗଭୀର ପ୍ରଭାବ ପଡିବାର ସମ୍ଭାବନା ରହିଛି। ଏଣୁ ଭାରତର ରପ୍ତାନୀ ଆଧାରିତ ବିକାଶ ଉପରେ ଏହାର ପ୍ରଭାବ ପଡିବ। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଦାବି କରିଥିଲେ ଯେ ସେ ତାଙ୍କ କାର୍ଯ୍ୟକାଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଯାହାଦ୍ୱାରା ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଟଳି ପାରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.