ଭୁବନେଶ୍ୱର: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନିକାରୀ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି । ପ୍ରଥମ ତ୍ରୈମାସିକରେ କମ୍ପାନୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲାବେଳେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ହାସଲ କରିଛି ।
ଗୁରୁବାର ଭୁବନେଶ୍ୱରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀର ବୈଠକରେ ରେକର୍ଡରେ କରାଯାଇଥିବା ଫଳାଫଳ ଅନୁଯାୟୀ, ନାଲକୋ ୨୦୨୫- ୨୬ ଆର୍ଥିକ ବର୍ଷ ପାଇଁ ଜୁନ୍ ୩୦ ତାରିଖରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ୭୭% ଅଭିବୃଦ୍ଧି ସହ ୧୦୬୪ କୋଟି ଟଙ୍କାର ନିଟ୍ ଲାଭ ଅର୍ଜନ କରିଛି, ଯାହା ପୂର୍ବ ବର୍ଷର ସମାନ ତ୍ରୈମାସିକରେ ୬୦୧ କୋଟି ଟଙ୍କା ଥିଲା। ଚଳିତ ତ୍ରୈମାସିକରେ କମ୍ପାନୀ ମଧ୍ୟ ୩୮୦୭ କୋଟି ଟଙ୍କାର ବ୍ୟବସାୟ କରିଛି । ନାଲକୋ ବୋର୍ଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତି ଇକ୍ୱିଟି ସେୟାର ପିଛା ଟ୨.୫୦ଙ୍କା ହିସାବରେ ୪୫୯.୧୬ କୋଟି ଟଙ୍କା ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି, ଯାହା ଆଗାମୀ ୪୪ ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନା କରାଯିବ । ଏଥି ସହ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଲାଭାଂଶ ପ୍ରଦାନ ପରିମାଣ ୧୯୨୮.୪୬ କୋଟି ଟଙ୍କା ହେବ। ନାଲକୋ ବୋର୍ଡର ସକ୍ଷମ ମାର୍ଗଦର୍ଶନ ତଥା କର୍ମଚାରୀ, ସହଯୋଗୀ ଏବଂ ଅଂଶୀଦାର ମାନଙ୍କ ପ୍ରତିବଦ୍ଧତା ଫଳରେ କମ୍ପାନୀ ପ୍ରଥମ ତ୍ରୈମାସିକର ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି ବୋଲି ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ତୁଳନାରେ, ବକ୍ସାଇଟ୍ ପରିବହନରେ ୬.୫୬% ବୃଦ୍ଧି ଘଟିଥିବାବେଳେ ଆଲୁମିନା ହାଇଡ୍ରେଟ୍, କାଲସାଇଣ୍ଡ ଆଲୁମିନା ଏବଂ ଆଲୁମିନିୟମ୍ ଅଷ୍ଟଧାତୁର ଉତ୍ପାଦନ ଯଥାକ୍ରମେ ୩୫.୫%, ୫୨.୨୫% ଏବଂ୨.୬୮% ବୃଦ୍ଧିପାଇଛି।
ସେହିପରି, ବିକ୍ରୟକ୍ଷେତ୍ରରେ, କମ୍ପାନୀ ବଳିଷ୍ଠ ପ୍ରଦର୍ଶନ ସହ ଆଲୁମିନା ରପ୍ତାନି କ୍ଷେତ୍ରରେ ୨୦୯% ଅଭିବୃଦ୍ଧି ହାସଲ କରିଛି । ଏଥି ସହ ଘରୋଇ ବଜାରରେ ଆଲୁମିନା ଏବଂ ଆଲୁମିନିୟମର ସର୍ବାଧିକ ଘରୋଇ ବିକ୍ରୟ ରେକର୍ଡ ମଧ୍ୟ ହାସଲ କରିଛି।
ଫଳାଫଳ ସମ୍ବନ୍ଧରେ ନିଜର ମତ ପ୍ରକଟ କରିବା ସହ ଶ୍ରୀ ସିଂହ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହେବା ସହିତ, ଆଲୁମିନିୟମ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରୁଛି, ଚାହିଦା ୯ -୧୦% ବୃଦ୍ଧି ପାଇଛି ଏବଂ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।