ଅହମ୍ମଦାବାଦ: ପାରିବାରିକ ସମ୍ପର୍କରେ ବିବାଦରେ ଏପରି ଏକ ମର୍ମସ୍ପର୍ଶୀ ମାମଲା ସାମନାକୁ ଆସିଛି, ଯେଉଁଥିରେ ଜଣେ ମାଆକୁ ନିଜ ପୁଅ ସହ କଥା ହେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଛି । ମହିଳା ଜଣକ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ମହିଳାଙ୍କ ୧୮ ବର୍ଷୀୟ ପୁଅ ତାଙ୍କ ବାପାଙ୍କ କଷ୍ଟଡିରେ ରହି ଏବେ ଆମେରିକାରେ ପାଠ ପଢ଼ୁଛି । ପୁଅ ତାଙ୍କର ଫୋନ୍ ଉଠାଇବାକୁ କିମ୍ବା ତାଙ୍କ ମେସେଜର ଉତ୍ତର ଦେବାକୁ ମନା କରିଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

୪୦ ବର୍ଷ ବୟସରେ ମହିଳା ଜଣକ ୨୦୨୧ ମସିହାରେ ପୁଅକୁ ଭେଟିବା ଅଧିକାର ଦାବି କରି ପ୍ରଥମେ ଅହମ୍ମଦାବାଦ ପରିବାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୁଅ ସେତେବେଳେ ନାବାଳକ ଥିଲା । କୋର୍ଟ ମହିଳା ଜଣଙ୍କୁ ପୁଅକୁ ଭେଟିବାର ଅଧିକାର ପ୍ରଦାନ କରିଥିଲେ । କିନ୍ତୁ ପରେ ପୁଅକୁ ଭେଟିବାରେ ତାଙ୍କ ବାପା ବାଧାକ ସାଜୁଥିବା ଅଭିଯୋଗ କରି ମେ ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେତେବେଳକୁ ପୁଅଟି ସାବାଳକ ହୋଇସାରିଥିଲା ଏବଂ ପେରେଣ୍ଟିଂ ଆସେସକୁ ବାଧ୍ୟ କରିବା କୋର୍ଟର କ୍ଷମତା ବାହାରେ ହୋଇସାରିଥିଲା ।

ଜୁନରେ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଅଲଗା ହୋଇଥିବା ବାପା-ମାଆଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଗୋଟିଏ ମାସ ପରେ ପୁଅ ନିଜ ପାଠପଢ଼ା ପାଇଁ ଆମେରିକାର ଚିକାଗୋ ଚାଲିଗଲା । ସେବେଠାରୁ ପୁଅ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରି ଦେଇଥିବା ମାଆ ଅଭିଯୋଗ କରିଛନ୍ତି । ମହିଳା ଜଣକ ଏଥିପାଇଁ ତାଙ୍କ ସ୍ୱାମୀଙ୍କୁ ଦାୟୀ କରିଛନ୍ତି । ଏହାସହ ପୁଅକୁ ତାଙ୍କ ସହିତ କଥା ହେବା ପାଇଁ ରାଜି କରାଇବାକୁ ବାଧ୍ୟ କରାଯାଉ ବୋଲି ଜିଦ୍ ଧରିଛନ୍ତି ।

ମହିଳା ଜଣକ କୋର୍ଟକୁ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପୁଅ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ମହଙ୍ଗା ସ୍ମାର୍ଟଫୋନ୍ କିଣିଛନ୍ତି । କିନ୍ତୁ ସେ ତାଙ୍କ କଲ୍ କିମ୍ବା ମେସେଜର ଉତ୍ତର ଦେଇ ନଥିଲେ । ଏପରିକି ତାଙ୍କ ନମ୍ବରକୁ ବ୍ଲକ କରି ରଖିଛନ୍ତି ।

ସ୍ତ୍ରୀର ଜିଦରେ ସ୍ୱାମୀଙ୍କ ଓକିଲ ତୁଷାର ଚୌଧୁରୀ କହିଥିଲେ ଯେ ପୁଅ ଜଣେ ସାବଳକ ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ କିମ୍ବା ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ । ସେ କହିଛନ୍ତି ଯେ ବାପା ପୁଅକୁ ରାଜି କରାଇବାକୁ ଚେଷ୍ଟା କରୁଥିଲେ ଏବଂ ଏହି ମାସର ଆରମ୍ଭରେ କନଫରେନ୍ସ କଲ୍ ମାଧ୍ୟମରେ ତାଙ୍କୁ ମା'ଙ୍କ ସହ ମଧ୍ୟ ଯୋଡ଼ିଥିଲେ । ତଥାପି, ପୁଅ ତାଙ୍କ ସହିତ କଥା ନହେବା ପାଇଁ ଜିଦ୍ ଧରି ରହିଥିଲା ।

ଓକିଲ ଆହୁରି କହିଥିଲେ, "ଯେତେବେଳେ ମୋ ମହକିଲ ପୁଅକୁ ତାଙ୍କ ମାଆଙ୍କ ସହ କଥା ହେବାକୁ କୁହନ୍ତି, ପୁଅ ବିରକ୍ତ ହୋଇଯାଏ । ସେ ତାଙ୍କ ବାପାଙ୍କୁ କୁହେ ଯେ ଯଦି ସେ ଜିଦ୍ ଧରି ରଖନ୍ତି, ତେବେ ସେ ତାଙ୍କ ସହ ମଧ୍ୟ କଥା ହେବା ବନ୍ଦ କରିଦେବ ।" ସେ କୋର୍ଟକୁ କହିଥିଲେ ଯଏ ପିଲାଟି ଜନ୍ମ ହେବା ପରେ ମହିଳା ଜଣକ ତାଙ୍କ ମାଆଘରକୁ ଚାଲିଯାଇଥିଲେ । ପୁଅଟି ବାପାଙ୍କ ଲାଳନପାଳନ ବଢିଥିଲେ । ହାଇକୋର୍ଟ ନଭେମ୍ବର ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।