କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦକୁ ଫେରୁଛି ଶାନ୍ତି । ଅଶାନ୍ତ ସହରରେ ହିଂସା ଧୀରେ ଧୀରେ ଥମୁଛି । ଜିଲ୍ଲାରୁ ପଳାୟନ କରିଥିବା ଲୋକେ ୩୬ ଘଣ୍ଟା ପରେ ଘର ବାହୁଡ଼ୁଛନ୍ତି । ଶନିବାର ଓ୍ବାକଫ୍ ଆଇନକୁ ନେଇ ମୁର୍ଶିଦାବାଦରେ ଉତ୍ତେଜନା ଦେଖା ଦେଇଥିଲା । ସାଂପ୍ରଦାୟିକ ହିଂସାରେ ୩ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ । ହିଂସା ଭୟଙ୍କର ରୂପ ଧାରଣ କରିବାରୁ ଲୋକେ ଜିଲ୍ଲା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ୫ଶହରୁ ଅଧିକ ସ୍ଥାନୀୟ ବାସିନ୍ଦା ପଳାୟନ କରିଥିଲେ । ମାତ୍ର ଏବେ ସ୍ଥିତିରେ ସୁଧାର ଆସିବାରୁ ଧୀରେ ଧୀରେ ଲୋକେ ଭିଟାମାଟି ମୁହାଁ ହେଉଛନ୍ତି । ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ଏଡିଜି ଯାଭେଦ ଶମିମ୍ । ସେ କହିଛନ୍ତି, ଲୋକଙ୍କୁ ଫେରାଇ ଆଣିବାରେ ପୋଲିସ ସହଯୋଜ କରୁଛି ।
ସେ ଆହୁରି ମଧ୍ୟ କରିଛନ୍ତି, ମୁର୍ଶିଦାବାଦରେ ଅଧିକାଂଶ ଗାଁକୁ ପୂର୍ବରୁ ଲୋକେ ଫେରିଛନ୍ତି । ରାଜ୍ୟ ପୋଲିସର ନିର୍ଦ୍ଦେଶ ଓ ସଂରକ୍ଷଣରେ ବାକି ଲୋକ ଫେରୁଛନ୍ତି । ସ୍ଥିତି ଉପରେ ନଜର ରଖିଛନ୍ତି ପଶ୍ଚିମବଙ୍ଗ ପୋଲିସର ବରିଷ୍ଠ ଅଧିକାରୀ । ଶନିବାର ହିଂସା ପରେ ସ୍ଥାନୀୟ ଅଞ୍ଚଳରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ପୋଲିସର ଯବାନମାନେ ମୁତୟନ ହୋଇଛନ୍ତି । ହେଲେ ଏହା ପରଠୁ ଅର୍ଥାତ୍ ୩୬ ଘଣ୍ଟା ହେଲା ମୁର୍ଶିଦାବାଦ ଜିଲ୍ଲାରେ ଗୋଟିଏ ବି ହିଂସାତ୍ମକ ଘଟଣା ସାମ୍ନାକୁ ଆସିନାହିଁ । ଖୁବ୍ଶୀଘ୍ର ଜିଲ୍ଲାରେ ପୂର୍ବଭଳି ସାମାନ୍ୟ ସ୍ଥିତି ଫେରିବ ।
ମୁର୍ଶିଦାବାଦରେ ଶାନ୍ତି ବଜାୟ ରଖିବା ପାଇଁ ପୂରା ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଗୁଜବ ପ୍ରଚାର ନକରିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛି । ଶାନ୍ତି ଓ ସାମାନ୍ୟ ସ୍ଥିତିକୁ ଫେରାଇ ଆଣିବା ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହାଯାଇଛି । ଉତ୍ତେଜନା ସ୍ଥାନରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ପୋଲିକ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ଫ୍ଲା-ମାର୍ଚ୍ଚ ଓ ପିକେଟିଂ କରୁଛି । ଅନ୍ୟପଟେ ହିଂସା ସାମିଲ୍ ଥିବା ୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ପୋଲିସ ।