ଆଠଗଡ଼ ୧୭।୦୮ : ବର୍ଷେ ବି ତିଷ୍ଠିଲାନି ବିବାହ। ମାତ୍ର କେଇ ମାସରେ ଭାଙ୍ଗିଗଲା ସୁନା ସଂସାର । ଖୁସି କ’ଣ ଦେଖିବା ପୂର୍ବରୁ ଆରପାରିକୁ ଚାଲିଗଲା। ନବବିବାହିତ ମହିଳାଙ୍କୁ ହତ୍ୟାର ଅଭିଯୋଗ ଆସିଛି । ଏପରି ସଙ୍ଗୀନ ଅଭିଯୋଗ ପରେ ଗୁରୁଡ଼ିଝାଟିଆ ପୋଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ଯୋଡୁମୁଁ ଥାନା ଚକ୍ରପ୍ରସାଦ ଗାଁର ରଶ୍ମିତା, ଗତ ଜୁନ୍ ୬ ତାରିଖରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ହନୁମନ୍ତ ପ୍ରସାଦ ଗାଁର ବିଶ୍ୱନାଥ ବେହେରାଙ୍କୁ ବିବାହ କରିଥିଲେ । ବିବାହ ପରେ ବିଶ୍ୱନାଥ ସୁନିଆ ମୁହଁ ଠାରେ ତାଙ୍କର ଜଣେ ସଂପର୍କୀୟ ଭାଇ-ଭାଉଜଙ୍କ ଘରେ ରହୁଥିଲେ । ବିବାହ ପରେ ତାଙ୍କ ଝିଅ ରଶ୍ମିତ ସହି ମା ଶାନ୍ତିଲତା କଥା ହେବା ପାଇଁ ଫୋନ୍ କରୁଥିଲେ । କିନ୍ତୁ ତାଙ୍କ ଫୋନ୍ କେହି ରିସିଭ କରନ୍ତି ନାହିଁ । କେବଳ ସ୍ୱାମୀଙ୍କ ଉପସ୍ଥିତିରେ ରଶ୍ମିତା ତାଙ୍କ ମାଙ୍କ ସହିତ କଥା ହୁଅନ୍ତି ବୋଲି ଅଭିଯୋଗ ହୋଇଛି । ଶନିବାର ବିଳମ୍ବିତ ରାତିରେ ରଶ୍ମିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଖବର ମାଆ ପାଇଥିଲେ । ଏହାପରେ ରଶ୍ମିତାଙ୍କ ତୁରନ୍ତ କଟକ ବଡ଼ ମେଡିକାଲକୁ ଯାଇଥିଲେ । ସେଠାରେ ଦେଖନ୍ତି କି, ତାଙ୍କ ଝିଅ ତଳେ ପଡିଛନ୍ତି, ଆଉ ତାଙ୍କର ମୃତ୍ୟୁ ହୋଇଯାଇଛି । ଶାନ୍ତିଲତା ତୁରନ୍ତ ମେଡିକାଲକୁ ଆସି ଗୁରୁଡ଼ିଝାଟିଆ ଥାନାରେ ଶାଶୂ ଘର ଲୋକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ସ୍ୱାମୀ ବିଶ୍ୱନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଘଟଣାର ଅଧିକ ଛାନ୍ଭିନ୍ ଚାଲିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।