ମୁମ୍ବାଇ ୧୧।୮: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଅଣ୍ଡରୱାର୍ଲଡ ଆତଙ୍କରେ ଥିଲା। ସହର ଯେପରି ଆଗକୁ ଆଗକୁ ବଢିଲା ଅଣ୍ଡରୱାର୍ଲଡର ଦବଦବା ମଧ୍ୟ ସମାପ୍ତ ହୋଇ ଗଲା। ହେଲେ ଏବେ କ୍ରାଇମବ୍ରାଞ୍ଚ ସୂତ୍ର ଅନୁସାରେ ମୁମ୍ବାଇ ଅଣ୍ଡରୱାର୍ଲଡ ଏବେ ସିନ୍ଥେଟିକ୍ ଡ୍ରଗ ‘ମେଫେଡ୍ରନ’ (ଏମଡି)ର ପ୍ରଡକ୍ସନ ଓ ସପ୍ଲାଇ ଧନ୍ଦାରେ ଲାଗିପଡିଛି। ଏହି ଧନ୍ଦାରେ କଥିତ ରୂପେ କୁଖ୍ୟାତ ଗ୍ୟାଙ୍ଗଷ୍ଟକ ସଲିମ ଡୋଲା ଓ ଉମେଦ-ଉର-ରହେମାନ ଓସ୍ତାଦ ଖେଳାଳି ବନିଯାଇଛନ୍ତି।
କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ଫେରାର ଡନ ଦାଉଦ ଇବ୍ରହୀମ, ସଲିମ ଡୋଲା ଏବଂ ଉମ୍ମେଦ-ଉର-ରହେମାନ ପାକିସ୍ତାନ ଓ ଦୁବାଇରୁ ପଇସା ଆଣି ମୁମ୍ବାଇ ଓ ଦେଶର ଅନ୍ୟ ଭାଗରେ ଏମଡି ନେଟୱାର୍କକୁ ମଜଭୁତ କରୁଛନ୍ତି। ଯାଞ୍ଚ ଏଜେନ୍ସୀଙ୍କ ଅନୁସାରେ ମୁମ୍ବାଇ ଅଣ୍ଡରୱାର୍ଲଡ ଏବେ ଗ୍ୟାଙ୍ଗୱାର ଓ ଅସୁଲୀ ଛାଡି ଏହି ଉଚ୍ଚ ଲାଭଜନକ ନିଶା ବ୍ୟବସାୟରେ ମନନିବେଶ କରିଛି। କାରଣ କ୍ରାଇମବ୍ରାଞ୍ଚ ଯାଞ୍ଚରୁ ଜଣାପଡିଛି ଯେ ଡ୍ରଗ ମାଫିଆ ସାଜିଦ ଇଲେକ୍ଟ୍ରିକୱାଲା ଅପହରଣ ମାମଲା ଏହି ଘଟଣା ସହ ସମ୍ପର୍କିତ।
ସୂଚନା ଅନୁସାରେ ସାଜିଦ ଏକ ଡିଲରେ ଏମଡି ପାଇଁ ଆଡଭାନ୍ସ ନେଇଥିଲା ହେଲେ ସମୟରେ ଜେଲିଭରୀ ଦେଇ ପାରିନଥିଲା। ଏଣୁ ତାକୁ ଅପହରଣ କରାଯାଇଥିଲା। ମାମଲାରେ ଧରାପଡିଥିବା ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରବର ଖାନ ସିଧା ପାକିସ୍ତାନରେ ଥିବା ଅଣ୍ଡରୱାର୍ଲଡ ଡନ ଛୋଟା ସକିଲର ଭାଇ ଅନୱର ଶେଖ ଓରଫ ଅନବର ଭାଇ ସମ୍ପର୍କରେ ଥିଲା। ଅନବର ୧୯୮୪ରେ ଭାରତରୁ ଖସି ଫେରାର ହୋଇଯାଇଥିଲା। ସେ ହତ୍ୟା ଓ ଅସୁଲୀ ମାମଲାରେ ଭାରତରେ ୱାଣ୍ଟେଡ ଥିଲା।
ପଚରା ଉଚରାରେ ସରବର ସ୍ୱୀକାର କରିଛି ଯେ ଏମଡି ତିଆରି ପାଇଁ ସାଜିଦକୁ ଅନବର ୫୦ଲକ୍ଷ ଟଙ୍କା ଦେଇଥିଲା। ମାଲ ତିଆରି ହେବା ପରେ ଏହାକୁ ଉମେଦ-ଉର-ରହେମାନ ଓ ସଲିମ ଡୋଲା ମାଧ୍ୟମରେ ସପ୍ଲାଇ କରାଯିବାର ଥିଲା। ଏବେ ଏନସିବି ଫେରାର ଗ୍ୟାଙ୍ଗଷ୍ଟାର ସଲିମ ଇସ୍ମାଇଲ ଡୋଲା (୫୭)କୁ ଧରାଇ ଦେଲେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।