ପୋଲରେ ଫସି ରହିଲା ମୋନୋରେଲ୍, କ୍ରେନ୍ ସାହାଯ୍ୟରେ ଭୟଭୀତ ଯାତ୍ରୀଙ୍କୁ ଉଦ୍ଧାର କଲା ପ୍ରଶାସନ

Published By : Prameya-News7 Bureau | August 19, 2025 IST

ମୁମ୍ୱାଇ: ପ୍ରବଳ ବର୍ଷାରେ ବେହାଲ ମାୟା ନଗରୀ ମୁମ୍ୱାଇ । ଚାରିଆଡ଼େ ପାଣି ଆଉ ପାଣି । ସ୍ଥିତି ଏପରି ହୋଇଛି ଯେ ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବାରୁ ମୁମ୍ବାଇ ମୋନୋରେଲ୍ ମଝି ରାସ୍ତାରେ ଫସି ଯାଇଥିଲା । ମହୀସୁର କଲୋନି ଷ୍ଟେସନ ନିକଟରେ ଏକ ମୋନୋରେଲ୍ ରାସ୍ତାରେ ଫସି ରହିଥିଲା । ଯାତ୍ରୀମାନେ ଅନେକ ସମୟ ଯାଏ  ବିନାରେ ଟ୍ରେନ ଭିତରେ ଭୟରେ ଫସି ରହିଥିଲେ । କିଛି ଘଣ୍ଟା ଧରି ଫସି ରହିବା ପରେ, କ୍ରେନ୍ ସାହାଯ୍ୟରେ ୪୪୨ ଜଣ ଯାତ୍ରୀଙ୍କୁ ବାହାର କରାଯାଇଥିଲା। ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

ମୁମ୍ବାଇର ଅତିରିକ୍ତ ମ୍ୟୁନିସିପାଲ କମିଶନର ଅଶ୍ୱିନୀ ଯୋଶୀ କହିଛନ୍ତି ଯେ ମୁମ୍ବାଇ ମୋନୋରେଲରେ ଯାତ୍ରୀଙ୍କ ସଂଖ୍ୟା କ୍ଷମତାଠାରୁ ଅଧିକ ଥିଲା । ସେହି ସମୟରେ, ବିଦ୍ୟୁତ୍ ଯୋଗାଣ ବିଛିନ୍ନ ହୋଇଯିବାରୁ ଟ୍ରେନଟି ମଝି ରାସ୍ତାରେ ବନ୍ଦ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

ମହାରାଷ୍ଟ୍ର ମୁମ୍ବାଇ ମେଟ୍ରୋ ଅପରେସନ୍ କର୍ପୋରେସନ୍ ଲିମିଟେଡ୍ ବୟାନ ଜାରି କରି କହିଛି, 'ମହୀସୁର କଲୋନି ଷ୍ଟେସନ ନିକଟରେ ବିଦ୍ୟୁତ୍ ଯୋଗାଣ ବ୍ୟାଘାତ ଯୋଗୁଁ ଏକ ମୋନୋରେଲ୍ ଟ୍ରେନ୍ ଅଟକି ଯାଇଛି । ଆମର ଅପରେସନ୍ ଏବଂ ରକ୍ଷଣାବେକ୍ଷଣ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ୱାଡାଲା ଏବଂ ଚେମ୍ବୁର ଷ୍ଟେସନ ମଧ୍ୟରେ ମୋନୋରେଲ୍ ଚାଲୁଛି।' 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ଯେ ମୁମ୍ବାଇର ଦୁଇଟି ଷ୍ଟେସନ ମଧ୍ୟରେ ଫସି ରହିଥିବା ମୋନୋରେଲ୍ ଟ୍ରେନର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯିବ ଏବଂ ଘଟଣାର ତଦନ୍ତ କରାଯିବ। ଫଡନାବିସ୍ ଏକ୍ସରେ ଲେଖିଛନ୍ତି, 'କିଛି ବୈଷୟିକ କାରଣ ଯୋଗୁଁ ଚେମ୍ବୁର ଏବଂ ଭକ୍ତି ପାର୍କ ମଧ୍ୟରେ ଏକ ମୋନୋରେଲ୍ ଫସି ଯାଇଥିଲା । MMRDA, ଅଗ୍ନିଶମ ବିଭାଗ ଏବଂ ନଗର ନିଗମ, ସମସ୍ତ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.