LIVE TV

ଭଦ୍ରକକୁ ମିଳିଲା ରେକର୍ଡ ଭେଟି, ୧୦୧ କୋଟିର ପ୍ରକଳ୍ପ ଭେଟି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

NEWS7
mp-ramchandra-hansda-demanded-arrest-of-union-minister-dharmendra-pradhan

ଭଦ୍ରକ ୨୨।୧୧ : ଭଦ୍ରକକୁ ମିଳିଲା ଭେଟି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଦ୍ରକ ଗସ୍ତ ସହ ବିଭିନ୍ନ କାର୍ଯ୍ୟକ୍ରମ ପରେ ୨୨ଟି ପ୍ରକଳ୍ପକୁ ମିଳିଛି ୧୦୧ କୋଟି ଟଙ୍କା । ଐତିହାସିକ ଗୋହିରା ଟିକୀରି ଠାରୁ ସେନାପତିଆ ପୋଖରୀ ଭଳି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ସ୍ୱପ୍ନ ସାକାର ହୋଇଛି । ଏହାସହ ଏକତା ପଦଯାତ୍ରାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭଦ୍ରକ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦର ମହକୁମାରେ ରାତ୍ରୀଯାପନ ପରେ ସକାଳୁ ଧାମନଗର ଅଭିଯୋଗ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ । ଭଦ୍ରକରୁ ଆରମ୍ଭ କରି ଧାମନଗର ଛକ, ଜୟନଗର, ଦୋବଲରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରତି ଛକରେ ଫୁଲ ପକାଇ ସ୍ୱାଗତ କରାଯାଇଥିଲା । ପରେ ଐତିହାସିକ ଗୋହିର ଟିକୀରା ଯାଇ ଉତ୍କଳର ଶେଷ ସମ୍ରାଟ ମୁକୁନ୍ଦ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସେଠାରେ ମଠକୁ ଯାଇ ଗୋହିରା ଟିକୀରି ଗବେଷଣା କେନ୍ଦ୍ର ଓ କଳା ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବିତ ପ୍ରୋଜେକ୍ଟ ଦେଖିଥିଲେ । ମାଆ ପାଇଁ ଗଛ ଟିଏ ମଧ୍ୟ ଲଗାଇଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରୁ ଫେରିବା ରାସ୍ତାରେ ସେନାପତିଆ ପୋଖରୀ ବୁଲି ଦେଖିଥିଲେ ।

ସେହିପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଦୋବଲ ଠାରୁ ଏକତା ପଦଯାତ୍ରାରେ କାଳୀ ପଡିଆ ପର୍ଯ୍ୟନ୍ତ ଆସିଥିଲେ । ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପ୍ରାତ୍ର, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରା, ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ସହ ବହୁ ଅତିଥି ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରା ପରେ କାଳିପଡ଼ିଆ ଠାରୁ ଲଳିତ କଳା ଏକଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲିବା ସହ ସାଧାରଣ ସଭାରେ ସାମିଲ ହୋଇଥିଲେ । ସଭା ଶେଷ ପରେ ବିଭିନ୍ନ ବିଭାଗ ତରକ୍ଷରୁ ୧୦୧ କୋଟି ଟଙ୍କା ବ୍ୟୟରେ ୨୨ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଭାବେ ମୁଁ ଗର୍ବିତ ଏଠାରେ ପହଞ୍ଚି । ୪୫୭ ବର୍ଷ ପୂର୍ବେ ଶେଷ ହିନ୍ଦୁ ରାଜା ଷଡଯନ୍ତ୍ରର ଶିକାର ହୋଇଥିଲେ ମୁକୁନ୍ଦ ଦେବ । କଳାପାହାଡ଼ ଦ୍ୱାରା ପରାଜିତ ହୋଇଥିଲେ । ଏହା ପବିତ୍ର ଭୂମି । ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଓ ସୁରଜ ସୂର୍ଯ୍ୟବଂଶୀଙ୍କୁ ଧନ୍ୟବାଦ ଜଣାଉଛି ।