SC-ST ସଂରକ୍ଷଣରେ କ୍ରିମି ଲେୟାର ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

NEWS7
more-than-10-thousand-private-homeopathy-doctors-will-go-on-strike-in-state

ନୂଆଦିଲ୍ଲୀ, ୧୧|୦୨: ଅନୁସୂଚୀତ ଜାତି ଏବଂ ଜନଜାତିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ ରାୟ । ଏସସି-ଏସଟିଙ୍କୁ ପ୍ରଦାନ କରାଯାଉଥିବା ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ବଡ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ବସିଥିବା ସାମ୍ବିଧାନିକ ବେଞ୍ଚର ନିଷ୍ପତ୍ତିରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ସେନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ବେଞ୍ଚ୍ ପୂର୍ବରୁ ଏସସି-ଏସଟି ସଂରକ୍ଷଣ ଭିତରେ ସଂରକ୍ଷଣ ଦେବାକୁ ମଞ୍ଜୁରି ଦେଇଥିଲେ । ଏହାସହ ସଂରକ୍ଷଣ ବ୍ୟବସ୍ଥାରେ କ୍ରିମି ଲେୟାର ବ୍ୟବସ୍ଥା ଲାଗୁ ପାଇଁ ମଧ୍ୟ ଜୋର୍ ଦେଇଥିଲେ ।

ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟା ବାଗଚି ଏବଂ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ବେଞ୍ଚରେ ଏସସି-ଏସଟି ସଂରକ୍ଷଣ ବ୍ୟବସ୍ଥା ନେଇ ଶୁଣାଣି ହୋଇଥିଲା । ଏଥିରେ ଏସସି-ଏସଟି ସଂରକ୍ଷଣ ଭିତରେ ସଂରକ୍ଷଣ ପ୍ରଦାନ ନେଇ ମାପଦଣ୍ଡ ନିର୍ଧାରଣ କରିବାକୁ ଆବେଦନ କରାଯାଇଥିଲା । ଯାହାର ଶୁଣାଣି କରି କୋର୍ଟ କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି ।

୨୦୨୪ର ମାମଲା

ସର୍ବୋଚ୍ଚ ନ୍ୟାୟାଳୟ ୨୦୨୪ ଅଗଷ୍ଟ ୧ ତାରିଖରେ ଏସସି-ଏସଟି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବଡ ରାୟ ଶୁଣାଇଥିଲେ । ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ବି. ଆର୍ ଗଭାଇ, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବେଲା ଏମ୍ ତ୍ରିବେଦୀ, ଜଷ୍ଟିସ ପଙ୍କଜ ମିଥଲ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ସଂରକ୍ଷଣ ମଧ୍ୟରେ ସଂରକ୍ଷଣ ବା ସଂରକ୍ଷଣର ଶ୍ରେଣୀ ବଣ୍ଟନର ଅଧିକାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।

ସମସ୍ତଙ୍କୁ ସୁବିଧା ଉପରେ କୋର୍ଟଙ୍କ ଫୋକସ

ଏସସି-ଏସଟି ବ୍ୟକ୍ତିଙ୍କ ମଧ୍ୟରେ ସମାନ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବାକୁ କୋର୍ଟ ଲଗାତର ଭାବେ ଉଦ୍ୟମ କରୁଛନ୍ତି । ତେଣୁ ସଂରକ୍ଷଣ ମଧ୍ୟରେ ସଂରକ୍ଷଣ ଦେବାକୁ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ଅର୍ଥାତ ସବ୍ କ୍ୟାଟେଗୋରୀ ବ୍ୟବସ୍ଥା ଲାଗୁ ପାଇଁ କୋର୍ଟ ଜୋର୍ ଦେଇଥିଲେ । ଯାହା ଫଳରେ ଯେଉଁ ଏସସି-ଏସଟି ମାନେ ଅନ୍ୟ ସ୍ବଚ୍ଛଳ ବର୍ଗର ଏସସି-ଏସଟିଙ୍କ ପାଇଁ ସେମାନଙ୍କ ଅଧିକାର ପାଉ ନାହାଁନ୍ତି ତାହାର ସମାଧାନର ରାସ୍ତା ବାହାରିପାରିବ । ଅର୍ଥାତ କ୍ରିମି ଲେୟାର ଲାଗୁ ଉପରେ ଅଦାଲତ ଗୁରୁତ୍ୱାରୋପ କରିଥିଲେ ।

କ୍ରିମି ଲେୟର ଲାଗୁ ପାଇଁ ଦାବି

ଏସସି-ଏସଟି ବର୍ଗରେ କ୍ରିମି ଲେୟାର ଲାଗୁ ପାଇଁ ଓପି ଶୁକ୍ଳା ଏବଂ ସମତା ଆନ୍ଦୋଳନ ସମିତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନେଇ ଆବେଦନ ମଧ୍ୟ କରିଥିଲେ । କୋର୍ଟ ଏନେଇ କେନ୍ଦ୍ର ଏବଂ ରାଜ୍ୟଙ୍କୁ ନିୟମ ତଥା ମାପଦଣ୍ଡ ପ୍ରସ୍ତୁତ ପାଇଁ କହିଥିଲେ । ଏହାସହ ଏସସି-ଏସଟି ବର୍ଗର କେଉଁ ବିଶେଷ ଜାତିର ବ୍ୟକ୍ତି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଚାକିରିରେ ସଠିକ ପ୍ରତିନିଧିତ୍ୱ କରିପାରୁ ନାହାଁନ୍ତି ସେନେଇ ତଥ୍ୟ ହାସଲ କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏବେ କୋର୍ଟ ଏପ୍ରସଙ୍ଗରେ କେନ୍ଦ୍ରକୁ ନୋଟିସ କରିବା ସହ ଶୁଣାଣିକୁ କିଛି ସମୟ ପାଇଁ ଟାଳି ଦେଇଛନ୍ତି ।