ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ନୟାଗଡ଼ ଓ ନୂଆପଡ଼ାରେ ୨ଟି ନୂଆ ହୋମିଓପାଥି ମେଡିକାଲ କଲେଜ

NEWS7
more-celebs-attend-jackie-shroff-reunion-party

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବର୍ଷ ମୋଟ ବଜେଟର ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଥିବା ବେଳେ, ବଜେଟରେ ସ୍ବାସ୍ଥ୍ୟ ବିଭାଗ ପାଇଁ ୨୩୧୮୨.୧୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯାହା ମୋଟ ବଜେଟ ଆକାରର ୭.୫% ରୁ ଅଧିକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଆରୋଗ୍ୟମ ପରମମ୍ ଧନଂ- ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିଶା" ହେଉଛି ଆମ ସରକାରଙ୍କ ମାର୍ଗଦର୍ଶକ ନୀତି। ଏହି ଦୃଷ୍ଟିକୋଣ ଦ୍ବାରା ଅନୁପ୍ରାଣିତ ହୋଇ, ଆମେ ସମସ୍ତଙ୍କ ପାଇଁ ନ୍ୟାୟୋଚିତ, ସୁଲଭ ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ କରିବା ସହ ସାର୍ବଜନୀନ ଚୀନ ସ୍ବାସ୍ଥ୍ୟ ସୁରକ୍ଷା ଅଭିମୁଖେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ ।

ତେବେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ ପାଇଁ କରିଥିବା ଘୋଷଣା ମଧ୍ୟରେ ରହିଛି, ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଏବଂ ଗୋଷ୍ଠର ସ୍ବାସ୍ଥ୍ୟ କେନ୍ଦ୍ରରେ ୫ ହଜାର ଆଇପିଡି ଶଯ୍ୟା ଯୋଡ଼ାଯିବ। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୧ ହଜାର ୮୦୦ ଆଇପିଡି ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ସ୍ବାସ୍ଥ୍ୟାବସ୍ଥା ବ୍ୟବସ୍ଥା କରାଯିବ। ଭେଣ୍ଟିଲେଟର ଏବଂ କେନ୍ଦ୍ରୀୟ ତଦାରଖ ସୁବିଧା ସହ ସଜ୍ଜିତ ୧ ହଜାର ଉନ୍ନତ ଆଇସିୟୁ ଏବଂ ୫୦୦ ହାଇ ଡିପେଣ୍ଡେନ୍ସି ୟୁନିଟ (HDU) ଶଯ୍ୟା ସ୍ଥାପନ କରାଯିବ।

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଏବଂ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB PMJAY) ପାଇଁ ନୂତନ ଆର୍ଥିକ ବର୍ଷରେ ୪,୨୭୯ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ସ୍ବାସ୍ଥ୍ୟ ମିଶନ (NHM)ରେ ୧, ୯୫୮ କୋଟି ଏବଂ ‘ନିରାମୟ’ ଯୋଜନା ପାଇଁ ୭୦୦ ୮୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସେହିଭଳି ‘ନିଦାନ’ ପାଇଁ ୩୭୧ କୋଟି ଟଙ୍କା, ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (EMAS) ପାଇଁ ୧୯୮ କୋଟି ଟଙ୍କା ଏବଂ ଆଶାକର୍ମୀଙ୍କ କଲ୍ୟାଣ ନିମନ୍ତେ ‘ସ୍ବାସ୍ଥ୍ୟ ସହାୟ’ ଯୋଜନା ଅଧୀନରେ ୧୮୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହାଦ୍ବାରା ଅତ୍ୟାବଶ୍ୟକ ସେବାଗୁଡ଼ିକର ସୁଲଭତା ଆହୁରି ସୁଦୃଢ଼ ହେବ।

‘ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ’ ପାଇଁ ୨୦୨୬-୨୭ ବଜେଟରେ ୫,୦୦୮ କୋଟି ଟଙ୍କାର ବ୍ୟୟବରାଦ। ଏସସିବି ମେଡିକାଲ କଲେଜର ପୁନର୍ବିକାଶ ପାଇଁ ୧୦୦୦ କୋଟି ଟଙ୍କା ଏବଂ ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲ କଲେଜ ତଥା ବୁର୍ଲାର ଭିମସାର (VIMSAR)ର ପୁନର୍ବିକାଶ ପାଇଁ ୬୦୦ କୋଟି ଟଙ୍କାର ବ୍ୟୟବରାଦ। ଗୁଣାତ୍ମକ ଚିକିତ୍ସା ଶିକ୍ଷାର ସମ୍ପ୍ରସାରଣ ଏବଂ ଆୟୁଷ (AYUSH) ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ୨ଟି ନୂଆ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୧୪୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରସାରକୁ ସୁଦୃଢ଼ ପାଇଁ ସାରା ରାଜ୍ୟରେ ୧୮୦୭ଟି ଅତିରିକ୍ତ ଉପ- କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୧୭୬ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଏବଂ କ୍ୟାପିଟାଲ ହସ୍ପିଟାଲରେ ଉତ୍ସର୍ଗୀକୃତ ବର୍ଣ୍ଣ ୟୁନିଟ୍ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ। ରାଜ୍ୟର ବିଭିନ୍ନ ହସ୍ପିଟାଲ ମାନଙ୍କରେ ଅଗ୍ନି ନିରାପତ୍ତା ଏବଂ ସୌର ଶକ୍ତି ସ୍ଥାପନ ପାଇଁ ବଜେଟରେ ୪୭୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ନୂଆ ଯୋଜନା ‘ଅଟଳ ରକ୍ତ ଦାନ ଅଭିଯାନ’ ଦ୍ବାରା ସମସ୍ତ ମେଡିକାଲ କଲେଜରେ ରକ୍ତ ଭଣ୍ଡାର ପ୍ରତିଷ୍ଠା, ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରର ଉନ୍ନତୀକରଣ ଏବଂ ଆଧୁନିକୀକରଣ, ୫୦ ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ୍ର ବ୍ୟବସ୍ଥା ଏବଂ ପ୍ଲାଜା ଫ୍ରାକନସେସନ କେନ୍ଦ୍ର ପ୍ରତିଷ୍ଠା କରାଯିବ।

ସ୍ନାତକୋତ୍ତର ଚିକିତ୍ସା ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ସବୁ ଜିଲ୍ଲା ଏବଂ ମେଡିକାଲ କଲେଜରେ ବିଶେଷଜ୍ଞ ସେବାର ଉପଲବ୍ଧତା ଏବଂ ଆଗାମୀ ଦୁଇ ବର୍ଷରେ ୫୦୦ ପିଜି ସିଟ୍ ବୃଦ୍ଧି କରାଯିବ। ଯେଉଁ ଜିଲ୍ଲାଗୁଡ଼ିକରେ ଏଭଳି ସୁବିଧ ନଥିବ ସେଠାରେ ନର୍ସିଂ, ପାରାମେଡିକାଲ ଏବଂ ଆନୁସଙ୍ଗିକ ସ୍ବାସ୍ଥ୍ୟ ପାଠ୍ୟକ୍ରମ ଆରମ୍ଭ ହେବ।

କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା କର୍କଟ ଚିକିତ୍ସା ଯୋଜନା (OCCP)କୁ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ ଭାବେ ରୂପାନ୍ତରିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ବ୍ୟାପକ ଗୋଷ୍ଠୀ ସଚେତନତା, ବ୍ୟାପକ ଗ୍ରାମସ୍ତରରେ ସ୍କ୍ରିନିଂ ଏବଂ ଭ୍ରାମ୍ୟମାଣ ଶିବିର, କର୍କଟ ପଞ୍ଜିକରଣ, ଆଗୁଆ ଚିକିତ୍ସା ପାଇଁ ଏକ ଡିଜିଟାଲ ହବ୍ ଆଣ୍ଡ୍ ସ୍ପୋକ୍ ମଡେଲ ଏବଂ ମାଗଣା ରୋଗୀ ପରିବହନ ସେବା ନିମନ୍ତେ ୩୧୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ପ୍ରତ୍ୟେକ ପଞ୍ଚାୟତରେ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ କାର୍ଯ୍ୟକ୍ଷମ, ୨୦୨୭ ସୁଦ୍ଧା ଆୟୁଷ ବ୍ୟବସ୍ଥା ଅଧୀନରେ ସ୍ନାତକ ଏବଂ ସ୍ନାତକୋତ୍ତର ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ୧୨୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଯୋଗର ପ୍ରସାର ଓ ପ୍ରଭାବ ପାଇଁ ୮ଟି ଯୋଗ ଅଧିବୋନକୁ ୨୦ଟି ଶିକ୍ଷାମୂଳକ ଅଧିବେଶନ କରିବା ପାଇଁ ପ୍ରସ୍ତାବ। ଓଡ଼ିଶା ଫାର୍ମା ଏବଂ ବାୟୋଟେକ ଗବେଷଣା ଏବଂ ନବସୃଜନ କେନ୍ଦ୍ର ଆରମ୍ଭ କରାଯିବ।

ଡିଜିଟାଲ ଡ୍ରଗ୍ ଟ୍ରେସେବିଲିଟି ଏବଂ ସର୍ଭେଲାନ୍ସ ସିଷ୍ଟମ କାର୍ଯ୍ୟକାରୀ କରିବା ସହ ଆଧୁନିକ ବିଶ୍ଲେଷଣାତ୍ମକ କ୍ଷମତା ବିଶିଷ୍ଟ ଏବଂ ଏନ.ଏ.ବି.ଏଲ ମାନ୍ୟତା ପ୍ରାପ୍ତ ଏକ ଉନ୍ନତ ରାଜ୍ୟ ଔଷଧ ପରୀକ୍ଷଣ ଏବଂ ଗବେଷଣା ଏବଂ ଗବେଷଣା ପରୀକ୍ଷାଗାରର ଉନ୍ନତିକରଣ କରାଯିବ। ସରକାରୀ ଔଷଧର ଗୁଣବତ୍ତା ରକ୍ଷା ଏବଂ ଯୋଗାଣ ଶୃଙ୍ଖଳାର ଅଖଣ୍ଡତା ପାଇଁ ଏକ କେନ୍ଦ୍ରୀୟ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ ପଣ୍ୟାଗାର ସ୍ଥାପନ ହେବ।