LIVE TV

ସରକାରୀ ଚାକିରି ସହ ପ୍ରାଇଭେଟ୍ କାମ, ଧରାପଡ଼ିଗଲା ମୁନଲାଇଟିଂ ...ହୋଇପାରେ ୧୫ ବର୍ଷ ଜେଲ୍ ଦଣ୍ଡ

NEWS7
indian-origin techie arrested in US

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ବଂଶୋଦ୍ଭବ ଜଣେ ସରକାରୀ କର୍ମଚାରୀଙ୍କୁ ମୁନଲାଇଟିଂର ଅଭିଯୋଗରେ ଗିରଫ କରାଯାଇଛି। ଏଥିପାଇଁ ତାଙ୍କୁ ୧୫ ବର୍ଷର ଜେଲ୍ ଦଣ୍ଡ ହୋଇଛି। ସୂଚନା ମୁତାବିକ ,୩୯ ବର୍ଷିୟ ମେହୁଲ ଗୋସ୍ୱାମୀ ଅଧିକ ଟଙ୍କା ଆୟ କରିବା ପାଇଁ ସରକାରୀ ଚାକିରି ସହ ଏକ ପ୍ରାଇଭେଟ୍ କମ୍ପାନୀ ପାଇଁ କଣ୍ଟ୍ରାକ୍ଟର କାମ ଆରମ୍ଭ କରି ଥିଲେ। ଯେଉଁ ସମୟରେ ତାଙ୍କୁ ସରକାରୀ କାମ କରିବାକୁ ପଡ଼ୁ ଥିଲା , ସେହି ସମୟରେ ସେ ତାଙ୍କର ପ୍ରାଇଭେଟ୍ କାମ ମଧ୍ୟ ଦେଖୁ ଥିଲେ। ଏଥିରେ ତାଙ୍କ ବିରୁଦ୍ଧରେ ରିପୋର୍ଟ ହୋଇଥିଲା ଏବଂ ନ୍ୟୁୟର୍କ ଷ୍ଟେଟ୍ ଇନ୍ସପେକ୍ଟର ଜେନେରାଲ ଯାଞ୍ଚ ଆରମ୍ଭ କରିଛନ୍ତି। ତାଙ୍କ ଉପରେ କରଦାତାଙ୍କ ୫୦ ହଜାର ଡଲାର ଆତ୍ମସାତ୍ କରିଥିବା ଅଭିଯୋଗ ହୋଇ ଥିଲା।

ଗୋସ୍ୱାମୀ ନ୍ୟୁୟର୍କ ଷ୍ଟେଟ୍ ଅଫିସ୍‌ରେ କାମ କରୁ ଥିଲେ। ତାଙ୍କୁ ପ୍ରତିଦିନ ଅଫିସ୍ ଯିବାକୁ ପଡ଼ୁ ନଥିଲା। ଏହାସହ ସେ ଗ୍ଲୋବାଲଫାଉଣ୍ଡ୍ରିଜ୍ ସେମିକଣ୍ଡକ୍ଟର କମ୍ପାନୀ ପାଇଁ କଣ୍ଟ୍ରାକ୍ଟରର କାମ ଆରମ୍ଭ କରି ଥିଲେ। ଗୋସ୍ୱାମୀଙ୍କ ବିରୁଦ୍ଧରେ ବିଶ୍ୱାସ ଭଙ୍ଗ କରିବା  ଏବଂ ସରକାରଙ୍କୁ ଠକିବା ଅଭିଯୋଗ ହୋଇ ଥିଲା। ସେ ପୂର୍ବରୁ ଏକ ଫୁଲ୍ ଟାଇମ୍ ଜବ୍‌ରେ ଥିଲେ ଏବଂ ଏହି ସ୍ଥିତିରେ ଆଉ କୌଣସି କାମ କରି ପାରୁ ନଥିଲେ।

ସୂଚନା ଅନୁସାରେ , ସେ ମୁନଲାଇଟିଂ ମାଧ୍ଯମରେ ପାଖାପାଖି ୪୦ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଏବେ ତାଙ୍କ ବିରୁଦ୍ଧରେ ଯେଉଁ ମାମଲା ଚାଲିଛି , ଏଥିରେ ତାଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ଅଛି। ଗୋସ୍ୱାମୀଙ୍କୁ ମାଲ୍ଟା ଟାଉନ୍ କୋର୍ଟରେ ଜଣେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇ ଥିଲା। ତାଙ୍କୁ ଜାମିନ ବିନା ମୁକ୍ତ କରାଯାଇଛି , ହେଲେ ତାଙ୍କ ବିରୁଦ୍ଧରେ ମାମଲା ବନ୍ଦ ହୋଇ ନାହିଁ। ରିପୋର୍ଟ ଅନୁଯାୟୀ, ସରକାରଙ୍କ ପାଇଁ ପ୍ରକଳ୍ପ ସଂଯୋଜକ ଭାବରେ କାର୍ଯ୍ୟ କରିବା ସମୟରେ ସେ ୨୦୨୪ ମସିହାରେ ୧,୧୭,୮୯୧ ଡଲାରର ରୋଜଗାର କରି ଥିଲେ । ଗୋସ୍ୱାମୀ ୱାର୍କ ଫ୍ରମ୍ ହୋମ୍ କରୁଥିଲେ । ଏହି କ୍ରମରେ ଅଫିସ୍ ନଆସି ଚାକିରି କରିବାକୁ ନେଇ ବିତର୍କ ଆରମ୍ଭ ହୋଇଛି।