News7 Logo

ଏଥର ସେପ୍ଟେମ୍ବରରେ ଫେରିବନି ମୌସୁମୀ, ଜାଣନ୍ତୁ କେମିତି ରହିବ ମାସର ପାଣିପାଗ

NEWS7

ନୂଆଦିଲ୍ଲୀ ୩୧।୮: ଚଳିତ ବର୍ଷ ମୌସୁମୀ ବର୍ଷା ଲାଗି ଏକ ଉତ୍ତମ ବର୍ଷ। ଏହା କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। ଏଣୁ ଚଳିତବର୍ଷ ସେପ୍ଟେମ୍ବରରେ ମୌସୁମୀର ପ୍ରତ୍ୟାହାର ଆଶା କ୍ଷୀଣ। ସାଧାରଣତଃ ସେପ୍ଟେମ୍ବର ମଝି ସପ୍ତାହ ବେଳକୁ ଦେଶରୁ ମୌସୁମୀ ପ୍ରତ୍ୟାହାର ଆରମ୍ଭ ହୋଇଥାଏ। ହେଲେ ଚଳିତବର୍ଷ ମୌସୁମୀ କେତେ ପର୍ଯ୍ୟନ୍ତ ଦେଶରେ ରହିବ ସେନେଇ ସେପ୍ଟେମ୍ବର ୧୫ ପରେ ଆକଳନ କରାଯିବ ବୋଲି ଆଇଏମଡି କହିଛନ୍ତି। 

ଗତ ଦୁଇ ମାସରେ ମୌସୁମୀ ଦେଶର ଅଧିକାଂଶ ଅଞ୍ଚଳକୁ ଧୋଇଛି। ଅଗଷ୍ଟ ମାସରେ ସାରା ଦେଶରେ ରେକର୍ଡ ବର୍ଷା ହୋଇଛି। ଖାସ କରି ୧୫ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସାରା ଦେଶରେ ରେକର୍ଡ ମୌସୁମୀ ବର୍ଷା ହୋଇଛି। ଫଳରେ ଉତ୍ତର ଭାରତରେ ଜଳ ପ୍ରଳୟ ଦେଖା ଦେଇଥିବା ବେଳେ ହିମାଳୟ ରାଜ୍ୟ ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ବାଦଲ ଫାଟିବା ଓ ତଦଜନିକ ଭୂ-ସ୍ଖଳନର ଅନେକ ଘଟଣା ଘଟିଛି। ଏଥର ସେପ୍ଟେମ୍ବରରେ ମଧ୍ୟ ମୌସୁମୀ ଏପରି ବିତ୍ପାତ ରଚିବ। 

ଆଇଏମଡିଙ୍କ ଅନୁସାରେ ଚଳିତବର୍ଷ ଏ ପର୍ଯ୍ୟନ୍ତ ମୌସୁମୀ ପ୍ରତ୍ୟାହାରର ସଂକେତ ମିଳି ନାହିଁ। ଏହା ମୌସୁମୀ ବର୍ଷାର ସବୁଠୁ ଭଲ ବର୍ଷ ଓ ସେପ୍ଟେମ୍ବରରେ ମଧ୍ୟ ଏହିପରି ବର୍ଷାର ସଂକେତ ମିଳୁଛି। ସାଧାରଣତଃ ସେପ୍ଟେମ୍ବର ମଧ୍ୟରୁ ମୌସୁମୀର ପ୍ରତ୍ୟାହାର ଆରମ୍ଭ ହୁଏ ଓ ଅକ୍ଟୋବର ପ୍ରାରମ୍ଭ ବେଳକୁ ସାରା ଦେଶରୁ ଏହାର ପ୍ରଭାବ ସମାପ୍ତ ହୋଇଯାଇଥାଏ। ହେଲେ ଏ ବର୍ଷ ଏବେଠାରୁ ମୌସୁମୀ ପ୍ରତ୍ୟାହାରର ଆକଳନ କରାଯାଇ ପାରୁନି। 

ଆଇଏମଡି ଡିଜିଏମଙ୍କ ସଚିବ ରାଜସ୍ଥାନର ଉଦାହରଣ ଦେଇ କହିଛନ୍ତି ଯେ ସାଧାରଣତଃ ସେପ୍ଟେମ୍ବର ୧ ତାରିଖ ବେଳକୁ ରାଜ୍ୟର କେତେକ ଅଞ୍ଚଳରୁ ମୌସୁମୀର ଅପସାରଣ ଆରମ୍ଭ ହୋଇସାରିଥାଏ। ହେଲେ ଏ ବର୍ଷ ଏହାର ସମ୍ଭାବିତ ତାରିଖ ହୁଏତ ସେପ୍ଟେମ୍ବର ୧୭ ହୋଇପାରେ। ଏଣୁ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ରାଜସ୍ଥାନ ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ସେପ୍ଟେମ୍ବର ମାସରେ ମଧ୍ୟ ଭଲ ବର୍ଷାର ଅନୁଭବ ମିଳିପାରେ। 

ସେ କହିଛନ୍ତି ଯେ ୧୯୮୦ ମସିହା ପରେ ମଝିରେ କିଛି ବର୍ଷକୁ ଛାଡି ଦେଲେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏଥିରେ ଅଗଷ୍ଟର ଦ୍ୱିତୀୟ ପକ୍ଷ ଓ ସେପ୍ଟେମ୍ବରରେ ଅଧିକ ବର୍ଷା ହେଉଛି। ଏଥିରେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସେପ୍ଟେମ୍ବରରେ ମଧ୍ୟ ବର୍ଷା ଅନୁମାନ ୧୦୯ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ। ଏଣୁ ସେପ୍ଟେମ୍ବରରେ ମଧ୍ୟ ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିବ।