ବାଲେଶ୍ୱର : ମଶାଣି ମଝିରେ ଭଙ୍ଗା ଘର। ଭିତରେ କିଛି ଛିଣ୍ଡା ରେଜେଇ, କପଡ଼ା, ଭଙ୍ଗା ବାଉଁଶ । ସାମ୍ନାରେ ଅନ୍ତିମ ସଂସ୍କାରରେ ବ୍ୟବହାର ହେଉଥିବା ଭଙ୍ଗା ମାଟି ହାଣ୍ଡି । ଭଙ୍ଗା ଘରକୁ ଲାଗି ବର-ଓସ୍ତ ଗଛ । ସେଠାରେ ସରୀସୃପ, ଶିଆଳ, କୁକୁରମାନଙ୍କ ଯାଆସ। ଦେଖିଲେ ଭୟ ଲାଗିବା ଥୟ । ହେଲେ ଇଏ ହେଉଛି ମୋନା ମାଝୀଙ୍କ ଠିକଣା । ଅନେକ ବର୍ଷ ହେଲା ସେ ରହି ଆସୁଛନ୍ତି ବାଲିଘାଟ ମଶାଣିରେ। ସେଥିପାଇଁ ତାଙ୍କ ପରିଚୟ ଏବେ ମଶାଣି ମଣିଷ। ଦେହରେ ଛିଣ୍ଡା ଶାଢ଼ି । ଆଲୁରାବାଲୁରା କେଶ । କମ୍ କଥା କହୁଥିବା ମୋନା ଆଖି ସାମ୍ନାରେ କେତେ ଜୁଇ ନିଆଁ ଦେଖିଛନ୍ତି । ଜ୍ଞାତିକୁଟୁମ୍ବ, ପରିଜନଙ୍କ କାନ୍ଦ ବୋବାଳି ବି ଶୁଣିଛନ୍ତି । ତଥାପି ସେ ନିର୍ବିକାର, ମନରେ ସାମାନ୍ୟ ଭୟ, ଗ୍ଲାନି ନ ଥିବା ଭଳି ମନେ ହୁଏ ।

ପରିବାର ଅଛି, ହେଲେ ମୋନା ଏବେ ବେସାହାରା । ୮ ସନ୍ତାନ ଥାଇ ବି ପାଖରେ କେହି ନାହାନ୍ତି । ପରିବାର ଲୋକେ ତାଙ୍କୁ ଭୁଲିଗଲେ କିମ୍ବା ସେ ପରିବାରକୁ ଭୁଲିଗଲେ ତାହା ଜଣା ନାହିଁ । ଏବେ କିନ୍ତୁ ତାଙ୍କ ଠିକଣା ପାଲଟିଛି ମଶାଣି। ଆଉ ପରିଚୟ ପାଲଟିଛି ମଶାଣି ମଣିଷ। କେଜାଣି କେଉଁ ଏକ ଝଡ଼କୁ ସାମ୍ନା କରି ନ ପାରି ଏହି ଆଦିବାସୀ ମହିଳା ଜଣଙ୍କ ଶ୍ମଶାନକୁ ନିଜ ଘର କରି ନେଇଛନ୍ତି । ବାଲେଶ୍ୱର ମ୍ୟୁନିସିପାଲିଟି ୨୪ ନଂ ୱାର୍ଡର ବୁଢ଼ାବଳଙ୍ଗ ନଦୀ କୂଳରେ ରହିଛି ବାଲିଘାଟ ଶ୍ମଶାନ । ପାଖରେ ମନ୍ଦିର ଓ ଇଟାଭାଟି ବି ଅଛି । ପାଖରେ ଗାଁ ଥିବାରୁ ଲୋକଙ୍କ ଚଳପ୍ରଚଳ ବି ରହିଛି। କିନ୍ତୁ ମଶାଣିରେ ରହୁଥିବା ଏହି ଅସହାୟ ମହିଳାଙ୍କ ପାଇଁ କେବେ କାହା ହୃଦୟ କାନ୍ଦିନି । ମୋନାଙ୍କୁ କେବେ ସରକାରୀ ସହାୟତା ମିଳିନି କି କେହି କେବେ ତାଙ୍କ ପାଇଁ ସ୍ୱର ବି ଉଠାଇନାହାନ୍ତି ।

ମଶାଣିର ପରିତ୍ୟକ୍ତ କାଳୀ ମନ୍ଦିର ଭିତରେ ତାଙ୍କ ଜୀବନ ବିତୁଥିବା ବେଳେ ମାଲ ହାଣ୍ଡିରେ ରୋଷେଇ କରୁଛନ୍ତି ସେ। ଶବ ପୋଡ଼ା କାଠକୁ ସେ କରିଛନ୍ତି ଜାଳେଣି। ସ୍ଥାନୀୟ ବାସୀନ୍ଦାଙ୍କ କହିବା ମୁତାବକ ଦେଢ଼ରୁ ଦୁଇ ବର୍ଷ ହେବ ସେ ଏଇ ପାଖ ଇଟା ଭାଟି ରେ କାମ କରୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଆଉ ଫେରି ନାହାନ୍ତି ଘରକୁ । ବାଲିଘାଟ ଜଗନ୍ନାଥ ମନ୍ଦିରରେ କିଛିଦିନ ରହିବା ପରେ ଏବେ କିଛି ବର୍ଷ ହେବ ମଶାଣିରେ ବିତୁଛି ଜୀବନ। ଏବେ ସେ ମାନସିକ ଭାରସାମ୍ୟ ହରାଇଛନ୍ତି । ତାଙ୍କର ସଠିକ୍ ପରିଚୟ ଜଣାନାହିଁ । କାହାକୁ କିଛି କହୁନାହାନ୍ତି । ତାଙ୍କ ରୂପ ଦେଖିଲେ ଭୟ ବି ଲାଗୁଛି । ତେଣୁ ତାଙ୍କ ପାଖକୁ କେହି ଯାଆନ୍ତିନି । ବାରମ୍ବାର ପଚାରିବା ପରେ ଅନେକ ଅନାବନା କଥା ଭିତରେ ନିଜ ନାଁ ମୋନା ମାଝୀ ଓ ତାଙ୍କୁ ପାନ ଡାକନ୍ତି ବୋଲି କହିଥିଲେ। ପରିବାର ବିଷୟରେ ପଚାରିବାରୁ ନୀରବ ରହି ଭଙ୍ଗା ବିଶ୍ରାମ ଗୃହକୁ ହିଁ ତାଙ୍କ ଘର ବୋଲି କହିଥିଲେ ।

ତାଙ୍କୁ ପଚରା ଯାଇଥିବା ଅନେକ ପ୍ରଶ୍ନର ଉତ୍ତର ମଉଳି ଯାଉଥିଲା ତାଙ୍କ ନୀରବତା ଆଗରେ।। କେବଳ ଏତିକି ଜବାବ ମିଳିଲା ଯେ ଏଇଟା ମୋ ଘର। ମୋର କେହି ନାହାନ୍ତି। କଥା ବାର୍ତ୍ତାରୁ ଯାହା ଅନୁମାନ କରାଯାଇଥିଲା ସେ ମାନସିକ ଭାବେ ବିକୃତ । ତଥାପି ନିଜର ସବୁ ଦୁଃଖ କଷ୍ଟକୁ ମନରେ ଚାପି ରଖି ସେ ବଞ୍ଚୁଛନ୍ତି। ତେବେ ଦୟନୀୟ ଅବସ୍ଥାରେ ଥିବା ଏଇ ବାସହରା ମହିଳାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଚିକିତ୍ସା ଓ ଥଇଥାନ ବ୍ୟବସ୍ଥା କଲେ ନିଶ୍ଚିତ ଭାବେ ସେ ଉପକୃତ ହୁଅନ୍ତେ।