LIVE TV

ବିସିସିଆଇ ଧମକ ଆଗରେ ସରେଣ୍ଡର କଲେ ନକଭି, UAE ବୋର୍ଡକୁ ହସ୍ତାନ୍ତର କଲେ ଏସିଆ କପ୍ ଟ୍ରଫି

NEWS7
NAQVI

ନୂଆଦିଲ୍ଲୀ: ପାକିସ୍ତାନ ସରକାରରେ ମନ୍ତ୍ରୀ ଓ ପିସିବି ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ଏସିଆ କପ୍ ଟ୍ରଫିକୁ ନେଇ ବଡ଼ ବିବାଦରେ ଫସୁଥିବା ନଜର ଆସୁଛି । ରବିବାର ନକଭିଙ୍କ ହାତରୁ ଭାରତୀୟ ଖେଳାଳମାନେ ଟ୍ରଫି ନେବା ମନା କରିଦେଇଥିଲେ । ଏହାପରେ ନକଭି ଟ୍ରଫିକୁ ନିଜ ସହ ନେଇଯାଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କ ବିରୁଦ୍ଧରେ ମହାଭିଯୋଗ ଚଲାଇବା ପାଇଁ ବିସିସିଆଇ ଜୋର ଦେଉଛି ଓ ଏହି କାରଣରୁ ଏବେ ସେ ଟ୍ରଫିକୁ ୟୁଏଇ ବୋର୍ଡକୁ ହସ୍ତାନ୍ତର କରିଛନ୍ତି ।

ଏନଡିଟିଭି ରିପୋର୍ଟ ଅନୁଯାୟୀ, ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ବିସିସିସିଆଇର ଏକ ଅସନ୍ତୁଷ୍ଟ ଗୋଷ୍ଠୀ ଦ୍ୱାରା ଉଠାଯାଉଛି ଏହାର ନେତୃତ୍ୱ ସେହି ଅଧିକାରୀମାନେ ନେଉଛନ୍ତି ଯେଉଁମାନେ ନିକଟରେ ଏସିସିଏକ ଭର୍ଚୁଆଲ୍ ବୈଠକରେ ସାମିଲ ହୋଇଥିଲେ । ଅଧିକାରୀମାନେ ଦାବି କରିଛନ୍ତି ଯେ ନକଭିଙ୍କ କାର୍ଯ୍ୟ ସିଧାସଳଖ କ୍ଷମତାର ଅପବ୍ୟବହାର ଏବଂ କ୍ରୀଡ଼ା ମାନଦଣ୍ଡର ଅବମାନନା କରିଥିଲା । ଏସିସି ବୈଠକ ନକଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜୀବ ଶୁକ୍ଳା ଏବଂ ଆଶିଷ ଶେଲାର ଭାରତୀୟ ବୋର୍ଡର ପ୍ରତିନିଧିତ୍ୱ କରିଥିଲେ । ରିପୋର୍ଟ ଅନୁଯାୟୀ, ଏସିଆ କପ୍ ଟ୍ରଫି ବର୍ତ୍ତମାନ UAE କ୍ରିକେଟ୍ ବୋର୍ଡ ପାଖରେ ଅଛି । ଭାରତକୁ କେବେ ଏବଂ କିପକି ଟ୍ରଫି ହସ୍ତାନ୍ତର କରାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ରବିବାର ଏସିଆ କପ୍‌ ଫାଇନାଲ ପରେ ଟ୍ରଫି ବିବାଦ ଦେଖିବାକୁ ମିଳିଥିଲା । ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା । କିନ୍ତୁ ବିଜୟୀ ଭାରତ ନକ୍‌ଭିଙ୍କ ହାତରୁ ଟ୍ରଫି ନେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲା । ନକ୍‌ଭିଙ୍କ ବଦଳରେ ୟୁଏଇ କ୍ରିକେଟ ବୋର୍ଡର ଉପାଧ୍ୟକ୍ଷଙ୍କ ହାତରୁ ଟ୍ରଫି ନେବାକୁ ଚାହୁଁଥିଲା ଭାରତ । ଷ୍ଟେଜ ଉପରେ ଏପରି କିଛି ସମୟ ହାଇଡ୍ରାମା ହୋଇଥିଲା । ହଟହଟା ହେବା ପରେ ଟ୍ରଫି ଧରି ସିଧା ହୋଟେଲ ରୁମ୍‌କୁ ଚାଲିଯାଇଥିଲେ ନକ୍‌ଭି । ଜିତିବା ପରେ ମଧ୍ୟ ଭାରତ ବିନା ଟ୍ରଫିରେ ବିଜୟ ଉତ୍ସବ ମନାଇଥିଲା ।