ମୋହନ ମାଝୀ ଏବେ ହିରୋ ନମ୍ବର ଓ୍ଵାନ, ୨୪ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ, ଏମିତି ଥିଲା ରାଜନୈତିକ ଯାତ୍ରା

Published By : Prameya-News7 Bureau | June 11, 2024 IST

ଭୁବନେଶ୍ଵର: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦୀର୍ଘ ସମୟ ବିଚାର ବିମର୍ଶ ଏବଂ ମାନସ ମନ୍ଥନ ପରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାଁ ଉପରେ ବାଜିଛି ମୋହର। ଏଥିସହ ମୋହନ ମାଝୀଙ୍କ ରୂପେ ଦୀର୍ଘ ୨୪ ବର୍ଷ ପରେ ରାଜ୍ୟକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ।  ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ବିଧାୟକ ଦଳ ବୈଠକରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ନବ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ମୋହନ ମାଝୀ ଓଡ଼ିଶାରେ ବିଜେପିର ବଡ଼ ଆଦିବାସୀ ଚେହେରା।  ୧୯୭୨ ମସିହା ଜାନୁଆରୀ ୬ ତାରିଖରେ କେନ୍ଦୁଝରର ରାଉକଳା ଗାଁରେ ଜନ୍ମଗ୍ରହଣ କରିଥିଲେ ମୋହନ ମାଝୀ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମଏ ଏଲଏଲବି ରହିଛି।  ତାଙ୍କର ବାପା ହେଉଛନ୍ତି ସ୍ଵର୍ଗତ ଗୁଣମଣି ମାଝୀ। ପ୍ରଥମେ ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷକ ଥିଲେ ମୋହନ। ଶିଶୁ ମନ୍ଦିର ଗୁରୁଜୀରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୭ରୁ ରାଇକଲାରୁ ସରପଞ୍ଚ ଭାବେ ରାଜନୀତିରେ ପାଦ ଥାପିଥିଲେ। ଏହାପରେ ୨୦୦୦ ମସିହାରେ କେନ୍ଦୁଝର ସଦରରୁ ବିଜେପି ଟିକେଟରେ ନିର୍ବାଚନ ଲଢି ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୫ରୁ ୨୦୦୯ ମସିହା  ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।  

ଏହା ପରେ ୨୦୧୯ ଏବଂ ୨୦୨୪ରେ ନିର୍ବାଚନ ଜିତି ମୋଟ୍ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ୫୨ ବର୍ଷୀୟ ମୋହନ ମାଝୀ ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ୮୭ ହଜାର ୮୧୫ ଭୋଟରେ ହରାଇଛନ୍ତି। ପୂର୍ବ ସରକାରରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ। 

କେନ୍ଦୁଝର ସଦରରୁ ଚାରି ଥର ନିର୍ବାଚିତ ହୋଇଥିବା ମୋହନ ମାଝୀ ଜଣେ ସମାଜସେବୀ ଓ ରାଜନେତା ଭାବେ ପରିଚିତ। ମାଝୀଙ୍କର ପତ୍ନୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ବ୍ୟବସାୟରେ ଥିବା ଓ୍ଵିକି ପିଡ଼ିଆ ତଥ୍ୟରୁ ଜଣା ପଡିଛି। ଓଡ଼ିଶା ରାଜନୀତିରେ ଜଣେ ସେ ନିର୍ବିବାଦୀୟ ଚେହେରା ଭାବେ ପରିଚିତ। ସେ ମେଳାପି ଏବଂ ନମ୍ର ସ୍ଵଭାବ ଭାବେ ପରିଚିତ। ସେ ବିଧାନସଭାରେ ବିରୋଧୀ ଦଳର ଜଣେ ବିଧାୟକ ଭାବେ ସେ ନିଜର ସ୍ଵର ଶାଣିତ କରି ଆସିଥିଲେ। 

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.