ନୂଆଦିଲ୍ଲୀ ୦୬।୧୧; ପ୍ରଥମଥର ପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଅନ୍ୟ ଦଳ ସହ ମେଣ୍ଟ କରିବାକୁ ଲୋକପ୍ରିୟ ଅଭିନେତା ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ଆଗ୍ରହ ପ୍ରକାଶ କରିବାର କାରଣ କ’ଣ ହୋଇଥାଇପାରେ ? କରୁର ଦଳାଚକଟା ଘଟଣା ପରେ ରାଜନୈତିକ ଦୃଷ୍ଟିକୋଣରୁ ଟିଭିକେ ଏକ ଘରିଆ ହୋଇପଡିଥିଲା । କେବଳ ବିଜେପିର କେନ୍ଦ୍ରୀୟସ୍ତରର ନେତୃବୃନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ବିଜୟଙ୍କୁ ସମର୍ଥନ କରିବାକୁ ଆଗେଇ ଆସିନଥିଲେ ।

ରାଜନୀତିରେ ଏହି ଅପ୍ରିୟ ସତକଥା ବିଜୟଙ୍କୁ ବୁଝିବାକୁ ବେଶ ସମୟ ଲାଗିନାହିଁ । ଯାହାଫଳରେ ଉଭୟ ଡିଏମକେ ଓ ବିଜେପି, ଏଆଇଏଡିଏମକେ ସହ କୌଣସି ସମ୍ପର୍କ ରଖିବାକୁ ସମ୍ପୂର୍ଣ୍ଣ ମନା କରୁଥିବା ଟିଭିକେ ମେଣ୍ଟ ପାଇଁ ଆଗେଇ ଆସିଛି। ଡିଏମକେକୁ ତାମିଲନାଡୁର ଶାସନ କ୍ଷମତାରୁ ହଟାଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ବହୁଦିନ ହେଲା ଚେଷ୍ଟାର ଅଛନ୍ତି। ଏଥିପାଇଁ ଭାଙ୍ଗିଯାଇଥିବା ଏଆଇଏଡିଏମକେ ମେଣ୍ଟକୁ ବିଜେପି ପୁଣି ଥରେ ଯୋଡିଛି । ଏହା ସହିତ ଦଳର ଉଦୟମାନ ସଭାପତି ଆନ୍ନାମଲାଇଙ୍କୁ ବଳି ଦେବାକୁ ମଧ୍ୟ ପଛାଇନଥିଲା । ଏତଦ ବ୍ୟତୀତ ଏଆଇଏଡିଏମକେ ଛାଡ଼ି ଚାଲିଯାଇଥିବା ଅସନ୍ତୁଷ୍ଟ ଦଳମାନଙ୍କୁ ସାମିଲ କରିବାକୁ ବିଜେପି ଚାହୁଛି।

କରୁର ଦଳାଚକଟା ଘଟଣା ପରେ ବିଜୟଙ୍କ ସହ ଏଥିପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଯାହାର ପ୍ରତିଫଳନ ଆଜିର ଟିଭିକେର ମେଣ୍ଟ ସମ୍ବନ୍ଧୀୟ ନୂଆ ମନ୍ତବ୍ୟରେ ବାରି ହୋଇପଡୁଛି। ରାଜ୍ୟର ସାଧାରଣ ଜନତାଙ୍କ ପ୍ରିୟ ହୋଇଥିବାରୁ ଟିଭିକେ,ତାର ମୁଖ୍ୟ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିବାକୁ ଚାହୁଛି। ଯାହାକି ଏଆଇଏଡିଏମକେ ମାନିବା ସ୍ଥିତିରେ ନାହିଁ । ଏଭଳି ସ୍ଥଳେ ବିଜେପି ମେଣ୍ଟରେ ଟିଭିକେ ଯୋଗଦାନ ଉପରେ ପ୍ରଶ୍ନ ଲାଗିବା ସ୍ବାଭାବିକ ।