ନୂଆଦିଲ୍ଲୀ ୨୯।୦୫; ଜଲନ୍ଧର ବାସିନ୍ଦା ରଚେଲ ଗୁପ୍ତା ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସ୍ନାଲ-୨୦୨୪ ମୁକୁଟ ଜିତି ଇତିହାସ ରଚିଥିଲେ । ଟାଇଟଲ ଜିତିବାର ପ୍ରାୟ ବର୍ଷେ ପରେ ତାଙ୍କଠୁ ମୁକୁଟ ଫେରାଇ ନିଆଯାଇଛି । ସୁନ୍ଦରୀ ପ୍ରତିଯୋଗିତା ତରଫରୁ ଏହା ଘୋଷଣା କରାଯାଇଛି। ତେବେ ରଚେଲଙ୍କ ଦାବି ଯେ ସେ ନିଜେ ଦୁଃଖର ସହ ଏହି ନିଷ୍ପତ୍ତି ନେଇଛନ୍ତି । ରଚେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ସେୟାର କରିଛନ୍ତି । ଏଥିରେ ସେ ସୁନ୍ଦରୀ ପ୍ରତିଯୋଗିତାର ବିଷାକ୍ତ ପରିବେଶକୁ ମୁକୁଟ ଫେରାଇବାର କାରଣ ବୋଲି କହିଛନ୍ତି। ରଚେଲ ଲେଖିଛନ୍ତି ‘ବିଶ୍ୱରେ ମୋର ସମସ୍ତ ସମର୍ଥକଙ୍କ ପାଇଁ, ଯଦି ଏହି ଖବର ଆପଣଙ୍କୁ ନିରାଶ କରିଛି, ତେବେ ମୁଁ ଦୁଃଖିତ । ମୋ ସହିତ ଠିଆ ହେବାପାଇଁ ଧନ୍ୟବାଦ । ଦୟାକରି ବୁଝନ୍ତୁ ଯେ ଏହି ନିଷ୍ପତ୍ତି ନେବା ସହଜ ନ ଥିଲା । କିନ୍ତୁ ମୋ ପାଇଁ ଏହା ସବୁଠୁ ଉଚିତ୍ ନିଷ୍ପତ୍ତି ଥିଲା । ସତ ଖୁବ୍ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ । ମୁଁ ଆପଣମାନଙ୍କୁ ଶବ୍ଦଠୁ ବହୁତ ଅଧିକ ଭଲପାଏ । ମୁଁ ଆପଣମାନଙ୍କୁ ଅବସୋସର ସହ ଏହି ଖବର ଦେଉଛି ଯେ ମିସ୍ ଗ୍ରାଣ୍ଡ ଇଣ୍ଟର୍ନ୍ୟାସନାଲ-୨୦୨୪ ପଦରୁ ଇସ୍ତପା ଦେବାକୁ ଏବଂ ନିଜ ମୁକୁଟ ଫେରାଇବାକୁ ମୁଁ ନିଷ୍ପତ୍ତି ନେଇଛି।
ରଚେଲ ଆହୁରି କହିଛନ୍ତି ‘ମୁକୁଟ ପିନ୍ଧିବା ମୋ ଜୀବନର ଅନ୍ୟତମ ସବୁଠୁ ସୁନ୍ଦର ସ୍ୱପ୍ନ ଥିଲା । ମୁଁ ଆଶାବାଦୀ ଓ ଗର୍ବିତ ଥିଲି ଯେ ନିଜ ଦେଶକୁ ପ୍ରତିନିଧିତ୍ୱ କରି ଇତିହାସ ରଚିବି । କିନ୍ତୁ ମୁକୁଟ ପିନ୍ଧିବା ପର ମାସଗୁଡ଼ିକରେ ମୋର ଅନୁଭବ ମଉଳା ଆଶା, ଖରାପ ବ୍ୟବହାର ଓ ଏକ ବିଷପୂର୍ଣ୍ଣ ପରିବେଶରେ ପରିପୂର୍ଣ୍ଣ ଥିଲା । ଯାହାକୁ ଏବେ ମୁଁ ଚୁପ୍ଚାପ୍ ସହିପାରିବି ନାହିଁ । ଏହି ନିଷ୍ପତ୍ତିକୁ ମୁଁ ହାଲୁକାରେ ନେଇନାହିଁ । ଆଗାମି ଦିନରେ ମୁଁ ଏକ ଭିଡିଓ ଶେୟାର କରିବି, ଯେଉଁଥିରେ ଏହି ଜଟିଳ ଯାତ୍ରାର ସବୁ କଥା କହିବି । ମୁଁ ଆପଣଙ୍କଠୁ ଦୟା, ଖୋଲା ହୃଦୟ ଏବଂ ନିଜର ଆଗାମି ପଦକ୍ଷେପରେ ନିରନ୍ତର ଆପଣଙ୍କ ସମର୍ଥନ ପ୍ରାର୍ଥନା କରୁଛି । ଆପଣଙ୍କ ଭଲପାଇବା ମୋ ପାଇଁ କଳ୍ପନାଠୁ ମଧ୍ୟ ଅଧିକ ମୂଲ୍ୟବାନ ।’
ରଚେଲ ନିଜ ତରଫରୁ କାହାଣୀ ବର୍ଣ୍ଣନା କରିଦେଲେ । କିନ୍ତୁ ସଂଗଠନ ଭିନ୍ନ କଥା କହିଛି । ସୁନ୍ଦରୀ ପ୍ରତିଯୋଗିତା ଅନୁସାରେ, ଏହା ରଚେଲଙ୍କୁ ଉକ୍ତ ପଦରୁ ହଟାଇଛି । ସେ ଏବେ ଏହି ଟାଇଟଲ୍ର ହକ୍ଦାର ନୁହଁନ୍ତି । ରଚେଲଙ୍କୁ ଟାଇଟଲ୍ରୁ ବହିଷ୍କାର କରିଥିବା ଏକ ଔପଚାରିକ ଘୋଷଣା ମାଧ୍ୟମରେ ମିସ୍ ଗ୍ରାଣ୍ଡ୍ ଇଣ୍ଟର୍ନ୍ୟାସନାଲ ସଂଗଠନ ସ୍ପଷ୍ଟ କରିଛି । ଦିଆଯାଇଥିବା କର୍ତ୍ତବ୍ୟ ପୂରଣ ନ କରିପାରିବା, ସଂଗଠନର ଅନୁମତି ବିନା ବାହ୍ୟ ପ୍ରକଳ୍ପରେ ସାମିଲ ହେବା ଏବଂ ନିର୍ଦ୍ଧାରିତ ଗୁଏଟମାଲା ଯାତ୍ରାରେ ଭାଗ ନେବାକୁ ସେ ମନା କରିବା ଏହାର କାରଣ ବୋଲି ଦର୍ଶାଇ ସଂଗଠନ ଏହି ନିଷ୍ପତ୍ତି ନେଇଛି । ତାଙ୍କ ଟାଇଟଲ୍କୁ ତତ୍କାଳ ରଦ୍ଦ କରାଯାଇଛି । ଏଣିକି ରଚେଲ ଗୁପ୍ତା ମିସ୍ ଗ୍ରାଣ୍ଡ୍ ଇଣ୍ଟର୍ନ୍ୟାସନାଲ-୨୦୨୪ ଟାଇଟଲ୍ ଉପଯୋଗ କରିବା ବା ମୁକୁଟ ପିନ୍ଧିବାରେ ଯୋଗ୍ୟ ନୁହଁନ୍ତି ।