ବିଶ୍ୱରେ ସାମ୍ୱାଦିକଙ୍କୁ ବିପଦ ବଢିଛି, ଇସ୍ରାଏଲରେ ଆକ୍ରମଣରେ ଅଧିକ ମୃତ୍ୟୁ; ମେକ୍ସିକୋ ସବୁଠୁ ଅସୁରକ୍ଷିତ

NEWS7
miscreants-loot-laptopmoney-after-breaking-car-glass-in-konark

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାମ୍ୱାଦିକଙ୍କ ପାଇଁ ବର୍ଷ ୨୦୨୫ ଅତ୍ୟନ୍ତ ବିପଦଜ୍ଜନକ ଥିଲା । ଖବର ସଂଗ୍ରହ ବେଳେ ଅନେକ ସାମ୍ୱାଦିକ ଜୀବନ ମଧ୍ୟ ହରାଇଛନ୍ତି । ସାରା ଦୁନିଆରେ ସାମ୍ୱାଦିକଙ୍କ କାର୍ଯ୍ୟରେ ଉପଜୁଥିବା ଆହ୍ୱାନ ଉପରେ ନଜର ରଖୁଥିବା ରିପୋର୍ଟର ୱିଥ୍‌ଆଉଟ୍ ବୋର୍ଡର ନିଜର ବାର୍ଷିକ ରିପୋର୍ଟ ଜାରି କରିଛି । ୨୦୨୫ରେ ମୋଟ ୬୭ ଜଣ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଛି, ଏଥି ମଧ୍ୟରୁ ଗାଜାରେ ଇସ୍ରାଏଲ୍ ଫୋର୍ସଙ୍କ ହାତରେ ୨୯ ଜଣଙ୍କ ଜୀବନ ଯାଇଛି ବୋଲି ସଂସ୍ଥା କହିଛି ।

ନିଜର ବାର୍ଷିକ ରିପୋର୍ଟରେ ମିଡିଆ ଫ୍ରିଡମ୍ ଗ୍ରୁପ୍ କହିଛି, ୨୦୨୪ରେ ୬୬ ଜଣ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ବଢିଛି । ଏଥିରୁ ଅଧିକାଂଶ ଯୁଦ୍ଧ ଓ ଅପରାଧ ନେଟୱାର୍କର ପୀଡ଼ିତ ।

ଆରଏସ୍‌ଏଫ୍ ମହାନିର୍ଦ୍ଦେଶକ ଥିବାଉଟ୍ ବ୍ରୁଟିନ୍ ଏକ ବିବୃତ୍ତିରେ କହିଛନ୍ତି, "ସାମ୍ବାଦିକଙ୍କ ପ୍ରତି ଘୃଣା ଏହିଠାରୁ ଆରମ୍ଭ ହୁଏ ! ଏହା ଏହି ବର୍ଷ ୬୭ ଜଣ ସାମ୍ବାଦିକଙ୍କ ମୃତ୍ୟୁର କାରଣ ହୋଇଥିଲା - ଦୁର୍ଘଟଣାବଶତଃ ନୁହେଁ, ଏବଂ ସେମାନେ କୌଣସି ପ୍ରକାରର ଶିକାର ହୋଇନଥିଲେ । ସେମାନଙ୍କୁ ହତ୍ୟା କରାଯାଇଥିଲା, ସେମାନଙ୍କ କାମ ପାଇଁ ଟାର୍ଗେଟ୍ କରାଯାଇଥିଲା ।"

ରିପୋର୍ଟ ଅନୁସାରେ ସାମ୍ୱାଦିକଙ୍କ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନ ହେଉଛି ଗାଜା ଷ୍ଟ୍ରିପ୍ । ଚଳିତ ବର୍ଷ ସେଠାରେ ୨୯ ସାମ୍ୱାଦିକଙ୍କ ଜୀବନ ଯାଇଛି । ଏହାପରେ ୯ ସାମ୍ୱାଦିକଙ୍କ ହତ୍ୟା ସହ ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରହିଛି । ୨୦୨୫, ଅଗଷ୍ଟ ୨୫ ଦକ୍ଷିଣ ଗାଜାର ଏକ ହସ୍ପିଟାଲରେ ହୋଇଥିବା ଆକ୍ରମଣରେ ୫ ଜଣ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ରୟଟର୍ସ ଓ ଆସୋସିଏଟେଡ୍ ପ୍ରେସ୍‌ର ସାମ୍ୱାଦିକ ମଧ୍ୟ ସାମିଲ ଥିଲେ ।

ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୨୩ରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲୀ ସେନା ପ୍ରାୟ ୨୨୦ ଜଣ ସାମ୍ବାଦିକଙ୍କୁ ହତ୍ୟା କରିଛି । ସେମାନଙ୍କ ମଧ୍ୟରୁ ଅତି କମରେ ୬୫ ଜଣଙ୍କୁ ସେମାନଙ୍କ କାମ ଯୋଗୁଁ କିମ୍ବା କାମ କରୁଥିବା ସମୟରେ ହତ୍ୟା କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି । ସେପଟେ କିନ୍ତୁ ସାମ୍ୱାଦିକଙ୍କୁ ଟାର୍ଗେଟ୍ କରୁଥିବା ରିପୋର୍ଟକୁ ଇସ୍ରାଏଲ ଖଣ୍ଡନ କରିଆସୁଛି । ସେପଟେ ସାରା ବିଶ୍ୱରେ ୫୦୩ ଜଣ ସାମ୍ବାଦିକଙ୍କୁ ଅଟକ ରଖାଯାଇଛି ।

ୟୁକ୍ରେନ ଏବଂ ସୁଡାନ ପରି ଅନ୍ୟାନ୍ୟ ସଂଘର୍ଷପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ମଧ୍ୟ ତିନି ଏବଂ ଚାରି ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମୃତ ୬୭ ଜଣ ମଧ୍ୟରୁ ଅତି କମରେ ୫୩ ଜଣ ଯୁଦ୍ଧ କିମ୍ବା ଅପରାଧିକ ନେଟୱାର୍କର ଶିକାର ହୋଇଥିଲେ ।